-
ଅନ୍ୟ ଦିନ ମାନଙ୍କରେ ସକାଳ ସାଢ଼େ ୭ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ଏବଂ ଅପରାହ୍ନ ସାଢ଼େ ୩ଟା ଠାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ
-
୧୦ ବର୍ଷରୁ କମ୍ ବୟସର ପିଲାଙ୍କ ପ୍ରବେଶ ଉପରେ କଟକଣା
-
ମନ୍ଦିର ପରିସରରେ ଥିବା ସମସ୍ତ ଦୋକାନ ପରବର୍ତି ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବନ୍ଦ
ଘଟଗାଁ, ଆଗକୁ ଏକ୍ସ ମାସ୍ ଛୁଟି, ବଡ଼ଦିନ ପର୍ବ ଓ ଇଂରାଜୀ ନବବର୍ଷ -୨୦୨୨ ପଡୁଥିବାରୁ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି କେନ୍ଦୁଝରର ପ୍ରସିଦ୍ଧ ଘଟଗାଁ ତାରିଣୀ ମନ୍ଦିରରେ ଆସନ୍ତା ୨୫, ୨୬, ୩୧ ଏବଂ ଜାନୁଆରୀ ମାସର ୧ ଓ ୨ ତାରିଖରେ ଭକ୍ତଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । କୋଭିଡ଼ ସଂକ୍ରମଣକୁ ଏଡାଇବା ପାଇଁ କେନ୍ଦୁଝର ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଜାରୀ କରିଛନ୍ତି ।
ଉକ୍ତ ଦିନ ମାନଙ୍କରେ ମନ୍ଦିର ପରିସରକୁ କୌଣସି ଭକ୍ତ ପ୍ରବେଶ କରିପାରିବେ ନାହିଁ । ମାତ୍ର ପୂର୍ବଭଳି ମାଙ୍କ ବେଶ, ନୀତିକାନ୍ତି, ସକାଳ ଆଳତୀ, ଅନ୍ନପ୍ରସାଦ ନୀତି, ସନ୍ଧ୍ୟା ଆଳତୀ ଓ ପହଡ଼ ଆଳତୀ ଯଥାରୀତି ସମ୍ପାଦନ ହେବ ।ମନ୍ଦିର ବନ୍ଦ ହେବା ଦିନଗୁଡିକ ବ୍ୟତୀତ ଅନ୍ୟ ଦିନ ମାନଙ୍କରେ ସରକାରଙ୍କ କୋଭିଡ୍ – ୧୯ ନିୟମ ଅନୁଯାୟୀ ମନ୍ଦିରକୁ ଯାଉଥିବା ସମସ୍ତ ଭକ୍ତ ମାସ୍କ ପରିଧାନ କରି ପ୍ରବେଶ କରିବା ବାଧ୍ୟତାମୂଳକ । ମା ତାରିଣୀ ମନ୍ଦିରରେ ସାଧାରଣ ଦର୍ଶନ ସକାଳ ସାଢ଼େ ୭ଟାରେ ଆରମ୍ଭ ହୋଇ ମଧ୍ୟାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ଏବଂ ଅପରାହ୍ନ ସାଢ଼େ ୩ଟା ଠାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ ।ମନ୍ଦିର ମଧ୍ୟରେ କୌଣସି ଭୋଗ ଅର୍ଥାତ୍ ନଡ଼ିଆ, ଫୁଲ, ଦୀପ, ଭୋଗ ଆଦି ମାଙ୍କୁ ଲାଗି କରାଯିବ ନାହିଁ । କେବଳ ଭକ୍ତ ମାନେ ମାଙ୍କ ଦର୍ଶନ କରିପାରିବେ । ମାଙ୍କ ସକାଳ ଆଳତୀ, ଅନ୍ନପ୍ରସାଦ ନୀତି, ସନ୍ଧ୍ୟା ଆଳତୀ ଓ ପହଡ଼ ଆଳତୀରେ କୌଣସି ଭକ୍ତ ଉପସ୍ଥିତ ରହିବେ ନାହିଁ । ମନ୍ଦିରକୁ ୧୦ ବର୍ଷରୁ କମ୍ ବୟସର ପିଲା ପ୍ରବେଶ କରିପାରିବେ ନାହିଁ । ଯଦି ମନ୍ଦିର ପ୍ରବେଶ କରୁଥିବା ସମୟରେ କୌଣସି ପିଲାର ବୟସ ୧୦ ବର୍ଷରୁ କମ୍ ହୋଇଥିବାର ସନ୍ଦେହ ସୃଷ୍ଟି ହୁଏ, ତେବେ ସମ୍ପକ୍ତ ପିଲାର ଆଧାର କାର୍ଡ଼ ଦେଖାଇ ମନ୍ଦିରକୁ ପ୍ରବେଶ କରିବେ ।ସେହିପରି ଚୂଳ ସମର୍ପଣ ନିମନ୍ତେ ସମସ୍ତ ଭକ୍ତ ଗେଟ୍ ନଂ -୫ ରେ ପ୍ରବେଶ କରି ଚୂଳ ସମର୍ପଣ କରିସାରିବା ପରେ ପୁର୍ନବାର ଉକ୍ତ ଗେଟ୍ ଦେଇ ମୁଖ୍ୟ ରାସ୍ତାକୁ ପ୍ରତ୍ୟାବର୍ତନ କରିବେ । ମା ତାରିଣୀ ମନ୍ଦିରରେ ପ୍ରସ୍ତୁତ ହେଉଥିବା ଦୈନନ୍ଦିନ ଅନ୍ନପ୍ରସାଦ/ ଚକୁଳି ପ୍ରସାଦ ବିକ୍ରୀ କିମ୍ବା ପାର୍ସଲ ପରବର୍ତି ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବନ୍ଦ ରହିବ । ଅନୁରୂପ ଭାବେ ମନ୍ଦିରକୁ ପୂଜା ନିମନ୍ତେ ଆସୁଥିବା ଗାଡି ଗୁଡିକ ଗେଟ୍ ନଂ ୫ ରେ ପ୍ରବେଶ କରି ଗାଡିପୂଜା କରିପାରିବେ । ଏହା ବ୍ୟତୀତ ମା ତାରିଣୀ ମନ୍ଦିର ପରିସରରେ ଥିବା ସମସ୍ତ ଦୋକାନ ଗୁଡିକ ପରବର୍ତି ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ଼ର ସଭାପତି ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।