ଭୁବନେଶ୍ୱର,ଶୀତରେ ଥରୁଛି ସାରା ଓଡ଼ିଶା । ଆଗକୁ ଆହୁରି ଥରାଇବ । ଆଗାମୀ ଦୁଇ-ତିନି ଦିନ ଯାଏଁ ରାଜ୍ୟରେ ଶୀତ ଲହରି ଜାରି ରହିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି ।
ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଆଗାମୀ ୨୪ ଘଂଟା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଏହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, କଳାହାଣ୍ଡି, ବଲାଙ୍ଗିର, ସୁବର୍ଣ୍ଣପୁର ଓ ବୌଦ୍ଧ । ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ହେବାର ସମ୍ଭାବନା ରହିଛି ।
ସେହିପରି ୧୯ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି ରହିଛି । ଏହି ଜିଲ୍ଲା ଗୁଡ଼ିକ ହେଲେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ନୟାଗଡ଼, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, କନ୍ଧମାଳ ଓ ନବରଙ୍ଗପୁର ।
୨୩ ତାରିଖ ପାଇଁ ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୨୪ ତାରିଖ ପାଇଁ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ପାଗ ଗୁଡ଼ିକ ମୁଖ୍ୟତ ଶୁଖିଲା ରହିବ । କିନ୍ତୁ ଶୀତର ପ୍ରକୋପ ଜାରି ରହିବ । ବିଶେଷକରି ଆଗାମୀ ତିନି ଦିନ ଯାଏ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୫ରୁ ୬ ଡିଗ୍ରୀ ସେଲସିୟସ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ଗତକାଲି ରାତିରେ ଦାରିଙ୍ଗବାଡ଼ିକୁ ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ରେକର୍ଡ କରାଯାଇଛି । ଏଠାରେ ଗତ ରାତିରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ରହିଥିବା ବେଳେ ୧୯ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି । ତେବେ ଆଜି ରାତିରେ ଆହୁରି ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି ।