କନ୍ଧମାଳ – କନ୍ଧମାଳ ପୁଲିସ ପକ୍ଷରୁ ଜିଲ୍ଲା ବଡିବିଲ୍ଡିଙ୍ଗ ଆସୋସିଏସନ ସହଯୋଗରେ ଗାନ୍ଧିସ୍ମୃତି ଭବନ(ସଭାଗୃହରେ ଠାରେ) ଏକ ଜିଲ୍ଲାସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହାକୁ କନ୍ଧମାଳ ଏସପି ପ୍ରତୀକ ସିଂ ଉଦଘାଟନ କରିଥିଲେ । ଏଥିରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ୧୦୦ରୁ ଉଦ୍ଧ୍ୱର୍ ପ୍ରତିଯୋଗୀ ୬୦ କିଲୋ, ୭୫ କିଲୋରୁ କମ୍ ବର୍ଗରେ ଓ ୭୫ କିଲୋରୁ ଉଦ୍ଧ୍ୱର୍ ଏପରି ମୋଟ ୩ଟି ବର୍ଗରେ ଅଂଶଗ୍ରହଣ କରିଥିଲେ । ୬୦ କିଲୋ ବର୍ଗର ପ୍ରତିଯୋଗିତାରେ ଦେବାଶିଷ ନାୟକ ପ୍ରଥମ ହୋଇ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ, ଯୁଗଳ ଦିଗାଲ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ଓ ସନ୍ଦିପ୍ତ କିଶୋର ଦାସ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ହାସଲ କରିଥିଲେ । ସେହିପରି ୭୫ କିଲୋରୁ କମ୍ ବର୍ଗର ପ୍ରତିଯୋଗିତାରେ କିଶାନ ଦିଗାଲ ପ୍ରଥମ ହୋଇ ସ୍ୱର୍ଣ୍ଣ, ଜେସିମ ଦିଗାଲ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ଓ ସଞ୍ଜୀବ କୁମାର ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ହାସଲ କରିଥିଲେ । ୭୫ କିଲୋରୁ ଉଦ୍ଧ୍ୱର୍ ବର୍ଗରେ ରାଜୀବ ମହାନ୍ତି ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ସୁଜିତ୍ କୁମାର ସାହାଣୀ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ଏବଂ ଜ୍ୟୋତି କିଶୋର ମହାନ୍ତି ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ଜିତିଥିଲେ । ସମସ୍ତ ବିଭାଗର ପଦକ ବିଜେତାଙ୍କୁ ନେଇ ଫାଇନାଲ ଟାଇଟଲ ରାଉଣ୍ଡ ଅନୁଷ୍ଠିତ ହୋଇଥିଲା । ଏହି ରାଉଣ୍ଡରେ ପ୍ରଥମ ସ୍ଥାନ ଅଧିକାର କରି ରାଜୀବ ମହାନ୍ତି କନ୍ଧମାଳ ଗୌରବ ବିବେଚିତ ହୋଇଥିବା ବେଳେ କିଶୋର ଦିଗାଲ ଦ୍ୱିତୀୟ ସ୍ଥାନ ଅଧିକାର କରି କନ୍ଧମାଳ ଶ୍ରୀ ଏବଂ ତୃତୀୟ ସ୍ଥାନ ଅଧିକାର କରି ଦେବାଶିଷ ନାୟକ କନ୍ଧମାଳ କୁମାର ଟାଇଟଲ ହାସଲ କରିଥିଲେ । ସମସ୍ତ ପ୍ରତିଯୋଗିତାର ବିଚାରକ ମଣ୍ଡଳିରେ ମିଷ୍ଟର ଭୁବନେଶ୍ୱର ଟାଇଟଲ ଜିତିଥିବା ନାରାୟଣ ବାରିକ ଓ ମିଷ୍ଟର କଳାହାଣ୍ଡି ଟାଇଟଲ ଜିତିଥିବା ମୁକ୍ତେଶ୍ୱର ମଲ୍ଲିକ ରହି କାର୍ଯ୍ୟ ସମ୍ପାଦନ କରିଥିଲେ ।
ପୁରସ୍କାର ବିତରଣ ଉତ୍ସବର ମୁଖ୍ୟ ଅତିଥିଭାବେ ଏସପି ପ୍ରତୀକ ସିଂ, ସମ୍ମାନୀତ ଅତିଥିଭାବେ ଅତିରିକ୍ତ ଏସପି ବିଷ୍ଣୁପଦ ମହନ୍ତ, ଡିଏସପି କୃଷ୍ଣ ପ୍ରସାଦ ପଟ୍ଟନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ କୁମାର ପାତ୍ର, ଜିଲ୍ଲା କ୍ରୀଡା ସଂଘ ସଭାପତି ଶିବ ପ୍ରସାଦ ତ୍ରିପାଠୀ ଏବଂ ବରିଷ୍ଠ ନାଗରିକ ସଂଘର ସଭାପତି ରାଜକିଶୋର ବେହେରା ପ୍ରମୁଖ ଯୋଗ ଦେଇ ବିଜୟୀ ପ୍ରତିଯୋଗୀଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । କନ୍ଧମାଳ ଜିଲ୍ଲାରେ ଏଭଳି ଏକ ପ୍ରତିଯୋଗିତାକୁ ସଫଳ ଭାବେ ଆୟୋଜନ କରିଥିବାରୁ ଫୁଲବାଣୀ ବଡି ବିଲ୍ଡିଂ ଆସୋସିଏସନ ପକ୍ଷରୁ ଏହାର ଉପଦେଷ୍ଟା ତଥା ପୂର୍ବତନ ପୌର ଅଧ୍ୟକ୍ଷ ରାଜେନ୍ଦ୍ର କହଁର ଏବଂ ସମ୍ପାଦକ ପାର୍ଥସାରଥୀ ବିଶ୍ୱାଳ, ଏସପି ପ୍ରତିକ୍ ସିଂ ଏବଂ ଆରଆଇ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହ ସମସ୍ତ ଅତିଥି ଓ ଜଜ୍ ମାନଙ୍କୁ ଜିଲ୍ଲା ପୁଲିସ ପକ୍ଷରୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅଶୋକ କୁମାର ମହାନ୍ତି ସଂଯୋଜନା କରିଥିଲେ । ରିଜର୍ଭ ଇନ୍ସିପେକ୍ଟର ଧର୍ମେନ୍ଦ୍ର ପ୍ରଧାନ. ସର୍ଜେଂଟ ସରୋଜ କୁମାର ବେହେରା ପରିଚାଳନା କରିଥିବା ବେଳେ ସମସ୍ତ ପୁଲିସ ଷ୍ଟାଫ ଏଥିରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ମଝିରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ ହୋଇଥିଲା ।