କନ୍ଧମାଳ – ଜାଗ୍ରତ କନ୍ଧମାଳ ସଂଗଠନ ପକ୍ଷରୁ ସହରର ପିଅନ ପଡାରେ ଅବହେଳିତ ଅବସ୍ଥାରେ ଥିବା ୩ଟି ପୋଖରୀର ପୁନଃଉଦ୍ଧାର ପାଇଁ ଦାବି କରାଯାଇଛି । ଏନେଇ ସଂଗଠନର ସାଧାରଣ ସମ୍ପାଦକ ସତ୍ୟନାରାୟଣ ବେହେରା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ସହରର ଏହି ୩ଟି ବହୁ ପୂରାତନ ପୋଖରୀକୁ ପିଅନପଡା ଅଂଚଳର ଶତାଧିକ ପରିବାର ଦୈନନ୍ଦିନ ଆବଶ୍ୟକତା ପାଇଁ ବ୍ୟବହାର କରୁଥିଲେ । ତେବେ ଦୀର୍ଘ ଦିନ ଧରି ଏହି ୩ଟି ପୋଖରୀର ରକ୍ଷଣା ବେକ୍ଷଣ କରାନଯିବା ସହ ନିକଟରେ ଥିବା ମଦ ଦୋକାନ ତଥା ଅନ୍ୟ ହୋଟେଲର ଅବର୍ଜନା ଏହି ପୋଖରୀ ଗୁଡିକରେ ପଡି ଏହା ଦୁଷିତ ହୋଇପଡିଛି । ଫଳରେ ଏହା ଆଉ ଲୋକଙ୍କ ବ୍ୟବହାର ଉପଯୋଗୀ ହୋଇ ପାରୁନାହିଁ । ଫଳରେ ଉକ୍ତ ଅଂଚଳବାସୀ ଖରାଦିନରେ ପାଣି ସମସ୍ୟା ଭୋଗୁଛନ୍ତି । ତେଣୁ ଉକ୍ତ ୩ ପୋଖରୀର ପୁନଃଉଦ୍ଧାର କରାଯାଇ ସେଠାରେ ନୋ÷କା ବିହାର ଓ ପାର୍କର ବ୍ୟବସ୍ଥା କରାଗଲେ ସହରର ସୈାନ୍ଦର୍ଯ୍ୟ ବୃଦ୍ଧି ହେବା ସହ ଲୋକଙ୍କ ମନୋରଞ୍ଜନ ଓ ଜଳ ସମସ୍ୟାର ସମାଧାନ ହୋଇ ପାରନ୍ତା । ଏଥି ସହ ଏହି ପୋଖରୀ କୂଳ ଦେଇ ପିଅନପଡାରୁ ବଜାରକୁ ଯାଇଥିବା ରାସ୍ତାରେ ଏକ ପୋଲ ନିର୍ମାଣ କରାଗଲେ ଲୋକେ ଉପକୃତ ହେବେ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି । ତେଣୁ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ଅନ୍ୟପକ୍ଷରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବେହେରା ନିଶ୍ଚିତ ଭାବେ ଏହି ଦାବି ଉପରେ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।