
ସାଲେପୁର ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ଲଘୁଚାପ ଜନିତ ବର୍ଷାରେ ୭୫ଭାଗ ଧାନ ଫସଲ ନଷ୍ଟ ହୋଇଥିଲେ ମଧ୍ୟ ଅଦ୍ୟାବଧି ସରକାରୀ ସ୍ତରରେ କ୍ଷୟକ୍ଷତି ଆକଳନ ପାଇଁ କୌଣସି ନିର୍ଦ୍ଦେଶନାମା ଜାରି ହୋଇନାହିଁଁ । କ୍ଷେତରେ ରହିଥିବା ଅନ୍ୟ ୨୫ ଭାଗ ପାଚିଲା ଦାନକୁ ଚାଷୀମାନେ କାଟିବା ଆରମ୍ଭ କରିଥିଲେ ମଧ୍ୟ ଅଦ୍ୟାବଧି ଧାନ ଅମଳ ମେସିନ୍ ପାଇପାରୁନଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ପୂର୍ବରୁ କୃଷି ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ଯନ୍ତ୍ରପାତି, ପାଣି ମଟର ଓ ଧାନ ଅମଳ ମେସିନକୁ ଚାଷୀ ମାନେ କୃଷି କାର୍ଯ୍ୟାଳୟରୁ ରିହାତି ମୂଲ୍ୟରେ ପାଇପାରୁଥିଲେ । ବର୍ତମାନ ଅନଲାଇନ ମାଧ୍ୟମରେ ପ୍ରଥମେ ଆବଶ୍ୟକୀୟ କାଗଜପତ୍ର ଦେଇ ଆବେଦନ କରିବା ପରେ କ୍ରମାନୁସାରେ ଚାଷୀଙ୍କୁ ଏହି ସରଞ୍ଜାମ ଗୁଡିକ ଯୋଗାଇ ଦିଆଯାଉଛି । ଏହି ବ୍ଲକ ଅଂଚଳକୁ ଆବଶ୍ୟକ ଅନୁଯାୟୀ ଧାନ ବାଡିଆ ମେସିନ ଆସୁନଥିବା ଏବଂ ଯେତିକି ମେସିନ ଆସୁଛି ସେଥିରେ ଚଂଚକତା ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ବହୁ ଚାଷୀ ଧାନ ଅମଳ ମେସିନ ପାଇବା ପାଇଁ ୨ ବର୍ଷ ହେବ ଅନଲାଇନ ମାଧ୍ୟମରେ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ଅଦ୍ୟାବଧି ମିଳିପାରିନାହିଁ । ଗତବର୍ଷ ଏହି ବ୍ଲକକୁ ମାତ୍ର ୨୦ଟି ଧାନ ଅମଳ ମେସିନ ଯୋଗାଇ ଦିଆଯାଇଥିବା ବେଳେ ଶହ ଶହ ଚାଷୀ ଏହାକୁ ପାଇବା ପାଇଁ ଆବେଦନ କରି ନପାଇ ହତାଶ ହୋଇପଡିଛନ୍ତି । ଫଳରେ ଧାନ ଅମଳ ହେବାରେ ଚାଷୀମାନଙ୍କ ମଧ୍ୟରେ ସମସ୍ୟା ଉପୁଜିଛି । ଚଳିତ ବର୍ଷ ଏହି ବ୍ଲକକୁ ୧୦୦ଟି ଧାନ ଅବଳ ମେସିନ ଚାଷୀମାନଙ୍କୁ ରିହାତି ଦରରେ ଦେବା ପାଇଁ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ବିଭାଗୀୟ ପକ୍ଷରୁ ଏପର୍ଯ୍ୟନ୍ତ ଅନଲାଇନ ଆବେଦନ ଆରମ୍ଭ ହୋଇନଥିବାରୁ ଚାଷୀମାହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଡିସେମ୍ବର ୨୦ ତାରିଖ ଠାରୁ ଧାନ ଅମଳ ମେସିନ ପାଇଁ ଚାଷୀମାନେ ଅଡ଼ଲାଇନ ଆବେଦନ କରିବାର ଧାର୍ଯ୍ୟ ତାରିଖ ବିଭାଗୀୟ ପକ୍ଷରୁ ଘୋଷଣା କରାଯାଇଥିବା ଜଣାଯାଇଛି । ତୁରନ୍ତ ଏହି ବ୍ଲକକୁ ପର୍ଯ୍ୟାପ୍ତ ପରିମାଣରେ ଧାନ ଅମଳ ମେସିନ ଯୋଗାଇ ଦେବା ନିମନ୍ତେ ଚାଷୀମାନେ ବିଭାଗୀୟ ଉଚ୍ଚ କର୍ତୁପକ୍ଷଙ୍କ ଠାରେ ଦାବି କରିଛନ୍ତି ।