ଶାହାଜାହାଁପୁର, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ଶାହାଜାହାନପୁର ଗଙ୍ଗା ଏକ୍ସପ୍ରେସ ୱେର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟ ନାଥ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ବି.ଏଲ ବର୍ମା ଅନ୍ୟମାନଙ୍କ ମଧ୍ୟରେ ଏହି ଅବସରରେ ଉପସ୍ଥିତ ଥିଲେ ।
ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କୋକରୀ ଘଟଣାରେ ବିପ୍ଳବ ରାମପ୍ରସାଦ ବିସମିଲ, ଆସଫାକ୍ଉଲ୍ଲା ଖାଁ ଏବଂ ରୋଶନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସ୍ଥାନୀୟ ଉପଭାଷାରେ ପ୍ରଧାନମନ୍ତ୍ରୀ ଦାମୋଦର ସ୍ୱରୂପ (ବିଦ୍ରୋହୀ) ରାଜବାହାଦୁର ଭିକଲ ଏବଂ ଅଗ୍ନିବେଶ ଶୁଳ୍କା ସ୍ୱାଧୀନତା ସଂଗ୍ରାମର କବିଗଣଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । “ଆସନ୍ତାକାଲି ରାମପ୍ରସାଦ ବିସମିଲ, ଆସଫାକ ଉଲ୍ଲାଖାଁ, ଠାକୁର ରୋଶନ ସିଂଙ୍କ ଶହୀଦ ଦିବସ । ଏହି ଶାହାଜାହାନପୁର ତିନି ସୁପୁତ୍ରଙ୍କୁ ବ୍ରିଟିଶ ଶାସନ ପ୍ରତି ଆହ୍ୱାନ ଦେଇଥିବାରୁ ଡିସେମ୍ବର ୧୯ତାରିଖ ଦିନ ଫାଶୀ ଦିଆଯାଇଥିଲା । ଏହି ବୀରମାନଙ୍କ ପ୍ରତି ଆମର ବଡ ଋଣ ଅଛି । ଯେଉଁମାନେ ଭାରତରେ ସ୍ୱାଧୀନତା ପାଇଁ ଅମୂଲ୍ୟ ବଳିଦାନ ଦେଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ମା’ ଗଙ୍ଗା ହେଉଛନ୍ତି ପ୍ରତ୍ୟେକ ଶୁଭ ଓ ପ୍ରଗତିର ଉତ୍ସ । ମା’ ଗଙ୍ଗା ସମସ୍ତଙ୍କୁ ଖୁସି ଦେଇ ଦୁଃଖକଷ୍ଟ ନେଇଯାଇଥାନ୍ତି । ସେହିପରି ଗଙ୍ଗା ଏକ୍ସପ୍ରେସ ୱେ ଉତ୍ତରପ୍ରଦେଶର ନୂତନ ବିକାଶର ଦ୍ୱାର ଉନ୍ମୁକ୍ତ କରିବ । ଏହା ରାଜ୍ୟର ପାଞ୍ଚଟି ବରଦାନର ଉତ୍ସ ହେବ । ଏକ୍ସପ୍ରେସ ୱେ, ନୂତନ ବିମାନଘାଟୀ ଏବଂ ରେଳପଥର ନଜିର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଥମ ବରଦାନ ହେଉଛି ଲୋକମାନଙ୍କୁ ସମୟ ବଂଚାଇବା, ଦ୍ୱିତୀୟ ବରଦାନ ହେଉଛି ଜନସାଧାରଣଙ୍କ ଅସୁବିଧା ଓ କଷ୍ଟଲାଘବ କରିବା, ତୃତୀୟ ବରାଦନା ହେଉଛି ଉତ୍ତରପ୍ରଦେଶର ସମ୍ପଦର ସୁବିନିଯୋଗ, ଚତୁର୍ଥ ହେଲା ଉତ୍ତରପ୍ରଦେଶର ସାମର୍ଥ୍ୟ ବୃଦ୍ଧି ଓ ପଂଚମ ବରଦାନ ହେଉଛି ଉତ୍ତରପ୍ରଦେଶର ସର୍ବାଙ୍ଗୀନ ସମୃଦ୍ଧି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଧୁନିକ ଭିତ୍ତିଭୂମି ଯାହା ଏବେ ଉତ୍ତରପ୍ରଦେଶରେ ବିକଶିତ ହୋଇଛି । ତାହା ଯଥାର୍ଥ ବିନିଯୋଗ ହୋଇଛି । “ଆପଣମାନେ ଦେଖିଥିବେ, ଆଗରୁ ଜନସାଧାରଣଙ୍କ ଅର୍ଥ କିପରି ଖର୍ଚ୍ଚ ହେଉଥିଲା, ମାତ୍ର ଆଜି ଉତ୍ତରପ୍ରଦେଶରେ ଅର୍ଥ ରାଜ୍ୟର ବିକାଶ ଦିଗରେ ବିନିଯୋଗ ହେଉଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯେତେବେଳେ ସମଗ୍ର ଉତ୍ତରପ୍ରଦେଶର ବିକାଶ ହୁଏ, ସେତେବେଳେ ଦେଶର ମଧ୍ୟ ପ୍ରଗତି ହୋଇଥାଏ । ସେ ଦୃଷ୍ଟିରୁ ଡବଲ ଇଞ୍ଜିନ ସରକାର ଉତ୍ତରପ୍ରଦେଶ ବିକାଶରେ ସହାୟକ ହୋଇଛି । ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଆମେ ଉତ୍ତରପ୍ରଦେଶର ବିକାଶ ପାଇଁ ନିଷ୍ଠାପର ଉଦ୍ୟମ କରୁଛୁ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ପାଂଚବର୍ଷ ତଳର ପରିସ୍ଥିତିକୁ ସ୍ମରଣ କରାଇ କହିଥିଲେ ଯେ ଅଳ୍ପ କେତେକ ଅଞ୍ଚଳକୁ ଛାଡିଦେଲେ ଉତ୍ତରପ୍ରଦେଶର ଅନେକ ସହର ଓ ଗ୍ରାମରେ ବିଦ୍ୟୁତ ଶକ୍ତି ନ ଥିଲା । ମାତ୍ର ଡବଲ ଇଞ୍ଜିନ ସରକାର କେବଳ କେବଳ ଅଶୀ ଲକ୍ଷ ବିଦ୍ୟୁତ ସଂଯୋଗ ଦେଇନାହାନ୍ତି ବରଂ ଆଗ ଅପେକ୍ଷା ଅନେକ ସ୍ଥାନକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦେଇଛନ୍ତି । ସେ କହିଥିଲେ ଯେ ୩୦ଲକ୍ଷରୁ ଅଧିକ ଗରିବ ଲୋକ ପକ୍କା ଘର ପାଇଛନ୍ତି ଓ ଏହି ପ୍ରକ୍ରିୟା ଅବଶିଷ୍ଟ ହିତାଧିକାରୀ ପାଇବା ପର୍ଯ୍ୟନ୍ତ ଜାରି ରହିବ । ଶାହାଜାହାନପୁରରେ ମଧ୍ୟ ୫୦ହଜାର ପକ୍କା ଘର ତିଆରି ହୋଇଛି ।
ପ୍ରଥମଥର ପାଇଁ ଦଳିତ, ବଞ୍ôଚତ ଓ ଅନଗ୍ରସରମାନଙ୍କୁ ତାଙ୍କ ଦ୍ୱାରା ଅଗ୍ରାଧିକାର ଦିଆଯାଉଛି ବୋଲି ସେ କହିଥିଲେ । ସମାଜରେ ଯିଏ ପଛରେ ପଡିଛି ଓ ଅନଗ୍ରସର ରହିଛି ସେମାନଙ୍କୁ ବିକାଶର ସୁବିଧା ଉପଲବ୍ଧ କରାଇବା ହେଉଛି ସରକାରଙ୍କ ପ୍ରାଥମିକତା । ସେହି ଭାବନା ଆମ କୃଷି ଓ କୃଷି ନୀତିରେ ପ୍ରତିଫଳିତ ।”
ପ୍ରଧାନମନ୍ତ୍ରୀ ଦେଶର ଐତିହ୍ୟ ଓ ବିକାଶକୁ ବାଧା ଦେଲାଭଳି କାର୍ଯ୍ୟର ସମାଲୋଚନା କରିଥିଲେ । ସେଭଳି ଲୋକମାନେ ଗରିବ ଓ ସାଧାରଣ ଲୋକଙ୍କୁ ସେମାନଙ୍କ ଉପରେ ନିର୍ଭରଶୀଳ ହେବାକୁ ଚାହୁଁଛନ୍ତି । “ଏହି ଲୋକମାନଙ୍କ ବାବା ବିଶ୍ୱନାଥଙ୍କ କାଶୀର ବିରାଟ ଧାମ ନିର୍ମାଣ ନେଇ ଅସୁବିଧା ହେଉଛି । ସେମାନଙ୍କର ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ନେଇ ଅସୁବିଧା ହେଉଛି । ଗଙ୍ଗାଜୀଙ୍କ ସ୍ୱଚ୍ଛତା ଅଭିଯାନ ପାଇଁ ସେମାନଙ୍କ ଅସୁବିଧା ହେଉଛି । ଏମାନେ ସେହିଲୋକ ଯେଉଁମାନେ ସେନାର ଆତଙ୍କ ମୁକାବିଲା ନେଇ ପ୍ରଶ୍ନ ଉଠାଉଛନ୍ତି । ସେମାନେ ଭାରତୀୟ ବିଜ୍ଞାନୀ ମାନେ ବିକଶିତ କରିଥିବା କରୋନା ଟିକା ଉପରେ ମଧ୍ୟ ପ୍ରଶ୍ନ ଉଠାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଆଗରୁ ଥିବା ଖରାପ ଆଇନ ଶୃଙ୍ଖଳା ପରିସ୍ଥିତିରେ ଏବେ ପରିବର୍ତ୍ତନ ଆସିଛି । ପ୍ରଧାନମନ୍ତ୍ରୀ ଏକ ସୂତ୍ର ଦେଇଥିଲେ ୟୁ.ପି.ୱାଇ. ଓ ଜି.ଆଇ ୟୁପି ପ୍ଲସ ଯୋଗୀ ବହୁତ ହୈ ଉପଯୋଗୀ ।
ଏହି ଏକ୍ସପ୍ରେସୱେ ର ଉତ୍ସାହ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ସଂଯୋଗୀକରଣ ଦୂରଦୃଷ୍ଟିକୁ ଭିତ୍ତିକରି ଦିଆଯାଇଥିଲା। ୫୯୪କିଲୋମିଟର ବ୍ୟାପି ୬ଲେନ୍ ବିଶିଷ୍ଟ ଏହି ଏକ୍ସପ୍ରେସ ୱେ ୩୬,୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ । ମିରଟର ବିଦାଉଲି ଗ୍ରାମରୁ ଆରମ୍ଭ ହୋଇ ପ୍ରୟାଗରାଜଚ ଜୁଦାପୁର ଭଣ୍ଡୁପର୍ଯ୍ୟନ୍ତ ଯିବ। ଏହା ମିରଟ, ଭାପୁର, ବୁଲେନ୍ଦସର,ଆମରୋହା, ସମ୍ବଲ, ବାଦାଉନ୍, ଶାହାଜାନପୁର, ହରଦୋଇ, ଉନାଡ, ରାୟବରେଲୀ, ପ୍ରତାପଗଡ ଏବଂ ପ୍ରୟାଗରାଜ ପର୍ଯ୍ୟନ୍ତ ଯିବ । କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଏହା ଉତ୍ତରପ୍ରଦେଶର ସବୁଠାରୁ ଦୀର୍ଘତମ ଏକ୍ସପ୍ରେସ ୱେ ହେବ । ଶାହାଜାନପୁରଠାରେ ୩.୫କିଲୋମିଟର ଦୀର୍ଘ ଏୟାର ଷ୍ଟ୍ରିପ୍ ମଧ୍ୟ ଜରୁରୀକାଳୀନ ବିମାନ ଉଡାଣ ଓ ଅବତରଣ ବ୍ୟବସ୍ଥା ରହିବ । ଏକ୍ସପ୍ରେସ ୱେ ସହ ଏକ ଶିଳ୍ପ ଅଳିନ୍ଦ ମଧ୍ୟ ହେବାର ପ୍ରସ୍ତାବ ରହିଛି ।
ଏହି ଏକ୍ସପ୍ରେସ ୱେ ଶିଳ୍ପ ବିକାଶ, ବାଣିଜ୍ୟ, କୃଷି, ପର୍ଯ୍ୟଟନ ଇତ୍ୟାଦି କ୍ଷେତ୍ରକୁ ମଧ୍ୟ ପ୍ରୋତ୍ସାହନ ଦେବ । ଏହା ସେହି ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶରେ ମଧ୍ୟ ସହାୟକ ହେବ ।