-
ଆସନ୍ତା ୨୫ ଓ ୧ ତାରିଖ ମନ୍ଦିର ବନ୍ଦ ପାଇଁ ପ୍ରଶାସନକୁ ପ୍ରସ୍ତାବ
-
ଭୋଗ ଦୋକାନୀ ଓ ଅଣପୂଜକଙ୍କ ଅସାଧୁ କାରବାର ବିରୋଧରେ ଥାନାରେ ଏତଲା ଦିଆଯିବ
ଘଟଗାଁ, ଘଟଗାଁ ମା ତାରିଣୀ ମନ୍ଦିର ପରିଚାଳନା କମିଟି ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସର୍ବ ସମ୍ମତି କ୍ରମେ ଆସନ୍ତା ୨୫ ତାରିଖ ବଡ଼ଦିନ ଓ ୧ ତାରିଖ ନୂଆବର୍ଷ ଉପଲକ୍ଷେ ମନ୍ଦିର ବନ୍ଦ ପାଇଁ ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏହି ପ୍ରସ୍ତାବ ଦିଆଯାଇଛି ।
ସେହିପରି କରୋନା ଗାଇଡ଼୍ ଲାଇନ୍ ଅନୁସାରେ ମନ୍ଦିର ଭିତରକୁ ଶ୍ରଦ୍ଧାଳୁ ମାନେ ଭୋଗ, ଫୁଲ, ଫଳ, ଧୂପ, ଦୀପ ଆଦି ପୂଜା ସାମଗ୍ରୀ ନେବା ଉପରେ କଟକଣା ରହିଥିବା ବେଳେ ଭୋଗ ଦୋକାନୀ ମାନେ ଶ୍ରଦ୍ଧାଳୁ ମାନଙ୍କୁ ଭୋଗ କିଣିବାକୁ ବାଧ୍ୟ କରିବା, ଅଣପୂଜକଙ୍କ ଦ୍ୱାରା ମନ୍ଦିର ପରିସର ବାହାରେ ଠାକୁରାଣୀଙ୍କ ଉଦ୍ଦେଶ୍ୟ ଭୋଗ କରାଇବା, ଏଥି ନିମନ୍ତେ ଭକ୍ତଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ଏବଂ ଯେଉଁଥିପାଇଁ ଦୁରଦୂରନ୍ତରୁ ତାରିଣୀ ଦର୍ଶନ ନିମନ୍ତେ ଆସୁଥିବା ଭକ୍ତ ଅଯଥାରେ ଶୋଷଣର ଶିକାର ହେବା ସହ ତିକ୍ତ ଅନୁଭୂତି ନେଇ ଏଠାରୁ ଫେରୁଛନ୍ତି । ତେଣୁ, ସମ୍ପୃକ୍ତ ଭୋଗ ଦୋକାନୀ ଓ ଅଣପୂଜକଙ୍କ ଅସାଧୁ କାରବାର ବିରୋଧରେ ଘଟଗାଁ ଥାନାରେ ଏତଲା ଦିଆଯିବାକୁ ବୈଠକରେ ପ୍ରସ୍ତାବ ପାରିତ ହୋଇଥିଲା ।ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ପୂଜକ ରବିନାରାୟଣ ଦେହୁରୀ, ଶ୍ୟାମସୁନ୍ଦର ଦେହୁରୀ, ରାଜକିଶୋର ଦେହୁରୀ, ପ୍ରଦୀପ କୁମାର ଦେହୁରୀ, ରମେଶ ଚନ୍ଦ୍ର ଦେହୁରୀ, ଶରତ ଚନ୍ଦ୍ର ଦେହୁରୀ, ଟ୍ରଷ୍ଟ ବୋର୍ଡ଼ର ସଦସ୍ୟ କ୍ଷୀରୋଦ ଚନ୍ଦ୍ର ଦାଶ, ଆନନ୍ଦ ଚନ୍ଦ୍ର ସିଂ, ନିର୍ମଳ କୁମାର ମହାନ୍ତି, କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜିବ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।