ମାଲକାନଗିରି, ମାଲକାନଗିରି ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ପୋଟେରୁ ନାରନାରାୟଣ ଆଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସଭାପତି ନିମାଇ ଚନ୍ଦ୍ର ପାଲ ସଭାପତିତ୍ବ କରିଥିବା ବେଳେ ବିଧାୟକ ଆଦିତ୍ୟ ମାଢି, ଶ୍ୟାମଲ ସୁନାନୀ, ସାଧାରଣ ସଂପାଦକ ମାଣିକ ଚକ୍ରବର୍ତୀ, ଯୁବ ସଭାପତି ଭବାନୀ ଶଙ୍କର ମୁଖାର୍ଜୀ, ପୂର୍ବତନ ସଭାପତି ଗୁରୁଚରଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ବିପୁଳ ସଂଖ୍ୟାରେ ବିଜୟୀ ହୋଇଥିବା ବେଳେ ଆଗାମୀ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଏହି ବିଜୟଯାତ୍ରା ଜାରି ରହିବ ବୋଲି କୁହାଯାଇଥିଲା । ବୈଠକରେ ବିଶେଷ କରି ମଣ୍ଡିକୁ ନେଇ ଆଲୋଚନା କରାଯାଇଥିଲା । ମଣ୍ଡିରେ ସମସ୍ତ ଚାଷୀଙ୍କ ଧାନ ଯେପରି ଉଠିବ ସେନେଇ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିବା, ବୋନସ୍ ଦେବାର ବ୍ୟବସ୍ଥା କରିବା, ଚାଷୀଙ୍କୁ ଖାଲି ବସ୍ତାର ମୂଲ୍ୟ ମଧ୍ୟ ଫେରସ୍ତ କରିବାକୁ ଦାବି କରାଯାଇଥିଲା । ସେହିପରି ବିଜେପି ବିଗତ ଦିନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ପଦବି ପୂରଣ ନେଇ ଦାବି କରିଥିଲା । ଏଥିସହ ସମସ୍ତ ରୋଗୀଙ୍କୁ ମାଗଣାରେ ଔଷଧ ପ୍ରଦାନ ନେଇ ମଧ୍ୟ ଦାବି କରିଥିଲା । ଆଜି ପର୍ଯ୍ୟନ୍ତ ଏହାର ସମାଧାନ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କରିପାରିଲା ନାହିଁ ବୋଲି ଅଭିଯୋଗ ହୋଇଥିଲା । ମାଲକାନଗିରି ଜିଲ୍ଲାରେ ବଙ୍ଗଳା ଭାଷୀ ଶିକ୍ଷକ ନିଯୁକ୍ତି ନେଇ ମଧ୍ୟ ଦାବି କରାଯାଇଥିଲା । ୫-ଟି ମାଧ୍ୟମରେ କେବଳ ବିଦ୍ୟାଳୟ ଗୁଡିକର ରୂପରେଖ ପରିବର୍ତ୍ତନ ହେଉଛି । ତେଣୁ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ କରାଯାଉ ବୋଲି ବିଜେପି ଦାବି କରିଥିଲା । ଜିଲ୍ଲାରେ ପାନୀୟ ଜଳର ଭଲ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ । ରାଜସ୍ବ ଗ୍ରାମ ଏବଂ ପଡା ଗ୍ରାମରେ ପ୍ରତ୍ୟେକ ଘରେ ପାଇପ୍ ଯୋଗେ ପାନୀୟ ଜଳର ବ୍ୟବସ୍ଥା କରାଯାଉ । ଏହି ଦାବି ଗୁଡିକ ଯଦି ତୁରନ୍ତ ପୂରଣ କରାନଯାଏ ତେବେ ଆଗାମୀ ଦିନରେ ବିଜେପି ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଥିଲା ।
ବୈଠକରେ ଉତ୍ତମ ରାୟ, ପଡିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦେବ ମାଡକାମୀ, କୋରୁକୋଣ୍ଡା ବ୍ଲକ୍ ଅଧ୍ୟକ୍ଷ ସାବିତ୍ରୀ ପଡିଆମି, ରବୀ ମାଢି, ଦେବୀକା ମାଡକାମୀ, ପ୍ରମିଳା ଦାସ, ରତ୍ନାକର ପାଣିଗ୍ରାହୀ, ଗଙ୍ଗା ସୋଡି ପ୍ରମୁଖ ଉପସ୍ଥିତ ଥିଲେ ।