ଭୁବନେଶ୍ୱର, ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନିରଂଜନ ମିଶ୍ର କହିଛନ୍ତି ଯେ ତୃତୀୟ ଲହର ମୁକାବିଲା ଲାଗି ଆମେ ପ୍ରସ୍ତୁତ ଅଛୁ । ଏଠାରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ସେ ଏହା କହିଛନ୍ତି ।
ଶ୍ରୀ ମିଶ୍ର କହିଛନ୍ତି ଯେ , ଯେତେ ରୋଗୀ ଚିହ୍ନଟ ହେଲେ ମଧ୍ୟ ତାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଆମର ପ୍ରସ୍ତୁତି ରହିଛି । ବ୍ରିଟେନରେ ଯେମିତି ସଂକ୍ରମଣ ବଢ଼ୁଛି, ତୃତୀୟ ଲହର ସମ୍ଭାବନା ନିଶ୍ଚିତ ରହିଛି । ତେଣୁ ଯାହା ସରକାରଙ୍କର ନିୟମାବଳୀ ରହିଛି, ଆନ୍ତର୍ଜାତିକ ଯାତ୍ରୀଙ୍କର ସର୍ଭେଲାନ୍ସ କରାଯିବା ସହ ସତର୍କତା ବଢା ଯାଇଛି । ଓମିକ୍ରନ ଚିହ୍ନଟ ପାଇଁ ଜିନମ ସିକ୍ୱେନ୍ସିଂ ଆବଶ୍ୟକ । ତେଣୁ ସିକ୍ୱେନ୍ସିଂ ପାଇଁ ଯାଉଥିବା ନମୁନା ସଂଖ୍ୟା ବଢାଇବାକୁ କୁହାଯାଇଥିବା ସେ ପ୍ରକାଶ କରିଛନ୍ତି ।
ସେ ଆହୁରି କହିଛନ୍ତି ଯେ ଏବେ ସୁଦ୍ଧା ରାଜ୍ୟକୁ ଆଟ ରିସ୍କ ଦେଶ ମାନଙ୍କରୁ ୧୫ ଶହରୁ ଅଧିକ ଲୋକ ଆସିଲେଣି । ଯାହା ତଥ୍ୟ ଅଛି, ଓମିକ୍ରନର ଲକ୍ଷଣ ପୂର୍ବ ଭଳି ପ୍ରାୟ ସମାନ । ଦ୍ୱିତୀୟ ଲହରରେ ଯେଉଁ ଟ୍ରିଟମେଂଟ ଥିଲା, ଏବେ ବି ତାହା ରହିଛି । ଓମିକ୍ରନ ଯୋଗୁ ଯେଉଁ ପରିସ୍ଥିତି ସୃଷ୍ଟି ହେବ, ତାକୁ ସମ୍ଭାଳିବା ଲାଗି ଆମର କ୍ଷମତା ରହିଥିବା ସେ କହିଛନ୍ତି । ସେ କହିଛନ୍ତି ଯେ ରୋଗୀ ସଂଖ୍ୟା ବୃଦ୍ଧି ସହ ତାଳ ଦେଇ ଭିତ୍ତିଭୂମି ବଢ଼ାଯିବ । ପୂର୍ବ ପ୍ରସ୍ତୁତି ସହ ଅକ୍ସିଜେନ, ବେଡ, ଜରୁରୀ ଔଷଧ ମହଜୁଦ ରଖାଯାଉଛି । ନିୟମିତ ଏହାର ତର୍ଜମା କରାଯାଉଛି ଓ ପ୍ରସ୍ତୁତି ଚାଲିଛି । ରାଜ୍ୟର ସମସ୍ତ କୋଭିଡ ହସ୍ପିଟାଲ, ଘରୋଇ ହସ୍ପିଟାଲରେ ସ୍ୱତନ୍ତ୍ର ଓମିକ୍ରନ ବ୍ଲକ ରଖିବାକୁ ନିର୍ଦେଶ ଦିଆଯାଇଥିବା ସେ କହିଛନ୍ତି ।