
ମାଲକାନଗିରି, ଚଳିତ ବର୍ଷ ଅନ୍ତଃ ମହାବିଦ୍ୟାଳୟସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଆନୁକୂଲ୍ୟରେ ବୁଗୁଡ଼ାର ପିପୁଲ୍ସ କଲେଜରେ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ୨୫ରୁ ଊର୍ଦ୍ଧ୍ବ ମହାବିଦ୍ୟାଳୟର ଛାତ୍ରମାନେ ଭାଗ ନେଇଥିଲେ । ଫାଇନାଲ୍ ମ୍ୟାଚରେ ବୁଗୁଡ଼ା ପିପୁଲ୍ସ କଲେଜକୁ ଏକତରଫା ପରାସ୍ତ କରିଥିଲେ ମାଲକାନଗିରି କଲେଜର ଛାତ୍ରମାନେ । ଏହି ଟୁର୍ଣ୍ଣାମେଣ୍ଟରେ ମାଲକାନଗିରି କଲେଜ ଚାମ୍ପିଅନ୍ ହୋଇ ପୁରସ୍କୃତ ହୋଇଥିଲା । ମାଲକାନଗିରି ଭଲିବଲ୍ ଟିମ୍ ର ପ୍ରଶିକ୍ଷକ ଭାବେ ଅଭିମନ୍ୟୁ ଦଳବେହେରା ରହିଥିଲେ । ତେବେ ଆଜି ଏହି ଚାମ୍ପିଅନ୍ ଦଳ ମାଲକାନଗିରି ପହଞ୍ଚିବା ପରେ ବସଷ୍ଟାଣ୍ଡରୁ ବାଇକ୍ ରାଲିରେ ବାହାରି କଲେଜ ପର୍ଯ୍ୟନ୍ତ ନେଇ ସେଠାରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି ସମ୍ବର୍ଦ୍ଧନା ଉତ୍ସବରେ ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ, ଅଧ୍ୟାପକ ଡ. ରଂଜନ କୁମାର ସ୍ବାଇଁ, ପ୍ରାଧ୍ୟାପକ ଲିଙ୍ଗରାଜ ମିଶ୍ର, ଗୌତମ ନାୟକ, ସୁଶାନ୍ତ ମାଝି ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଚାମ୍ପିଅନ୍ ଦଳରେ ସୋନିଆ ମାଡ଼କାମୀ, ଶଙ୍କର ଚୌପଦୀ, ସୁରେନ୍ଦ୍ର ମାଡ଼କାମୀ, ଗଙ୍ଗା କୁଞ୍ଜ, ଭୀମ ମାଡ଼କାମୀ, ଅନନ୍ତ ଟୁକୁମିଆ, ରମେଶ ସୋଡ଼ି ପ୍ରମୁଖ ଯୋଗ ଦେଇଥିଲେ ।