ଗଞ୍ଜାମ, ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ଏକ ସପ୍ତାହ ବ୍ୟାପୀ ପଲିଶ୍ରୀ ମେଳାର ଆୟୋଜନ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଆସନ୍ତା ୨୦ରୁ ୨୪ ତାରିଖ ୫ ଦିନ ଧରି ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ କଲେଜ ପଡ଼ିଆରେ ଏହି ମେଳା ଅନୁଷ୍ଠିତ ହେବ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ସୂଚନା ଦେଇଛନ୍ତି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଜିଲ୍ଲା ସଂସ୍କୃତି ବିଭାଗ ଓ ଓରମାସର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ମେଳାରେ ସ୍ୱୟଂ ସହାୟକ ମହିଳା ଗୋଷ୍ଠିଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ଉତମ ବଜାର ସୃଷ୍ଟି ନିମନ୍ତେ ଷ୍ଟଲ୍ ବ୍ୟବସ୍ଥା କରାଯିବ । ଏହା ସହ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରିବା ଲାଗି ବିଭିନ୍ନ ପ୍ରଦର୍ଶନୀ ଷ୍ଟଲ୍ ଖୋଲାଯିବ । ସେହିପରି ଲୋକକଳା ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହେବ ।
ଅନୁରୂପ ଭାବେ ଆସନ୍ତା ୧୮ ଓ ୧୯ ତାରିଖ ଦୁଇ ଦିନ ଧରି ଛତ୍ରପୁର ଷ୍ଟାଡ଼ିୟମ ଠାରେ ମଧ୍ୟ ପଲିଶ୍ରୀ ମେଳା ଅନୁଷ୍ଠିତ ହେବ । କୋଭିଡ଼୍ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।