ରାଉରକେଲା, ରାଉରକେଲା ସହରର ସର୍ବପୁରାତନ ସେକ୍ଟର ୩ ଠାରେ ଥିବା ଜଗନ୍ନାଥ ମନ୍ଦିର ସମେତ ସେଠାରେ ଥିବା କାଶି ବିଶ୍ୱନାଥଙ୍କ ମନ୍ଦିର ଓ ଏହାର ପାଚେରୀ ଆଦି ବିପଦରେ ରହିଥିବା ବେଳେ ଏହାର ଟ୍ରଷ୍ଟି କମିଟୀ ଦିର୍ଘ ୨ ବର୍ଷ ଧରି ଏସବୁ ପ୍ରତି ଧ୍ୟାନ ଦେଉନଥିବାର ଅଭିଯୋଗ ହୋଇଛି । ଏହି ମନ୍ଦିରର କିଛି ସେବକ କହିଛନ୍ତି ଯେ, ଜଗନ୍ନାଥଙ୍କ ମୁଖ୍ୟ ମନ୍ଦିରର ପତାକା ନିକଟରେ ପ୍ଲାଷ୍ଟର ବାହାରି ଇଟା ଦେଖା ଗଲାଣି, ସେଠି ଗଛ ଉଠି ମନ୍ଦିରକୁ ନଷ୍ଟ କରିବାରେ ଲାଗିଛି, ଟ୍ରଷ୍ଟି କମିଟୀ ଏହାକୁ ଦେଖୁଛି ହେଲେ ୨ ବର୍ଷ ହେଲା ଏହାର ମରାମତି କରାଯାଉ ନାହିଁ ।
ସେହିଭଳି କାଶୀ ବିଶ୍ୱନାଥଙ୍କ ମନ୍ଦିରର ଛାତ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ତାହାର ମଧ୍ୟ ଦେଖାଶୁଣା କରାଯାଉନାହିଁ । ଏହି ପୁରାତନ ମନ୍ଦିରର ମେଘନାଦ ପାଚେରୀ ସମ୍ପୂର୍ଣ୍ଣ ବିପଦଶଙ୍କୁଳ ଭାବେ ରହିଛି । ଏହାର ମଧ୍ୟ ମରାମତି କିମ୍ବା ତିଆରି କରାଯାଉନାହିଁ । ଅବଶ୍ୟ ମନ୍ଦିରର ଅନ୍ୟାନ୍ୟ ନୂତନ କାମ ଅନେକ କରାଯାଇଛି, ହେଲେ ଖୋଦ ଜଗନ୍ନାଥଙ୍କର ମନ୍ଦିର କାହିଁକି ଏଭଳି ୨ ବର୍ଷ ହେଲା ପଡିଛି, କାହାର ଦୟା ହେଲେ ଏହାର ମରାମତି ହେବ ସେ ନେଇ ଭକ୍ତ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିଭଳି ଏଠାରେ ପୂର୍ବରୁ ହେଉଥିବା କୁଡୁଆ ଭୋଗ ତିଆରୀକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି । ଏନେଇ ଭକ୍ତ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି ।