ମାଲକାନଗିରି,ଆଜି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ଚାଷୀମାନେ ଧାନର ବିକ୍ରୟ ପରିମାଣ ବଢାଇବା ପାଇଁ ଦାବି କରିଛନ୍ତି । ଯଦି ଦାବି ପୂରଣ ନକରାଯାଏ ତେବେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ସହିତ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ।
ଘଟଣାରୁ ପ୍ରକାଶ ଯେ, ମାଥିଲି ବ୍ଲକର ମେକ୍କା, କତ୍ତାପାଲ୍ଲୀ, ଭଣ୍ଡାରିପାଙ୍ଗାମ ପଞ୍ଚାୟତର ଚାଷୀମାନେ ଆଜି ମାଲକାନଗିରି ଜିଲ୍ଲାପାଳଙ୍କୁ ଭେଟି ଏ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରି ପ୍ରକାଶ କରିଛନ୍ତି ଯେ, ଏହି ତିନି ପଞ୍ଚାୟତରେ ୨୦ଟି ରାଜସ୍ବ ଗ୍ରାମ ରହିଥିବା ବେଳେ ପ୍ରାୟ ୬ ହଜାର ପରିବାର ବସବାସ କରନ୍ତି । ଚାଷ ସ୍ଥାନୀୟ ଅଧିବାସୀଙ୍କ ମୁଖ୍ୟ ଜୀବିକା ହୋଇଥିବା ବେଳେ ସମସ୍ତେ ଚାଷ ଉପରେ ନିର୍ଭରଶୀଳ । ଏହି ଅଞ୍ଚଳର ଧାନ ବିକ୍ରୟ ଲାଗି ମେକ୍କା ଠାରେ ଏକ ମାତ୍ର ଧାନ ମଣ୍ଡି ରହିଛି । ଗତ ୨୦୨୦/୨୧ ଖରଫ ବର୍ଷରେ ୪୦୦ ଟୋକେନ୍ ଧାନ ବିକ୍ରୟ ଲାଗି ଚାଷୀମାନଙ୍କୁ ପ୍ରଦାନ କରାଯାଇଥିଲା ବେଳେ ମାତ୍ର ୧୦୦ ଟୋକେନରେ ଚାଷୀ ଧାନ ବିକ୍ରୟ କରିଥିଲେ । ସପ୍ତାହକୁ ଏକ ହଜାର କ୍ବିଣ୍ଟାଲ ଧାନ ବିକ୍ରୟ ଲାଗି ବ୍ୟବସ୍ଥା ରହିଥିଲା । କିନ୍ତୁ ୬ ଶହ ଚାଷୀ ନାମ ପଞ୍ଜୀକରଣ କରିଥିଲେ । ନିୟମ ଅନୁସାରେ ଏକ ହଜାର ଟୋକନ ଚାଷୀଙ୍କୁ ପ୍ରଦାନ କରିବା କଥା । ତେବେ ଚଳିତ ଖରିଫ ଋତୁ ପାଇଁ ମେକ୍କା ଧାନ ମଣ୍ଡିରେ ସପ୍ତାହକୁ ୨ ହଜାର କ୍ବିଣ୍ଟାଲ ଧାନ ବିକ୍ରୟ ଲାଗି ଦାବି କରିଛନ୍ତି । ଯଦି ସପ୍ତାହକୁ ୨ ହଜାର କ୍ବିଣ୍ଟାଲ ଧାନକୁ ଜିଲ୍ଲା ପ୍ରଶାସନ କ୍ରୟ ନକରେ ତେବେ ଧାନ ମଣ୍ଡିକୁ ବନ୍ଦ କରି ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ଯଦି ଜିଲ୍ଲା ପ୍ରଶାସନ ଧାନ କ୍ରୟ ନକରିବ, ତେବେ ଅନ୍ୟ ରାଜ୍ୟରେ ଚାଷୀମାନେ ଧାନ ବିକ୍ରୟ ଲାଗି ଅନୁମତି ଦେବାକୁ ଦାବି କରିଛନ୍ତି ।
ଏହି ଦାବି ପତ୍ର ମେକ୍କା ସରପଞ୍ଚ ରାମଚନ୍ଦ୍ର ଗୁରୁତେଲି, ଭଣ୍ଡାରୀପାଙ୍ଗାମ ସରପଞ୍ଚ ମନମୋହନ ମାଢି, କତ୍ତାପାଲ୍ଲୀ ସରପଞ୍ଚ ଗୁପ୍ତ ଦୁରୁଆ, ଚାଷୀ ଆବାହକ ସଦାଶିବ ପୂଜାରୀ ଏବଂ ବଳରାମ ଅନଗୁଳିଆଙ୍କ ମାଧ୍ୟମରେ ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂଙ୍କୁ ପ୍ରଦାନ କରାଯାଇଥିଲା ।