ମାଲକାନଗିରି,ଝିଅ କୌଣସି ଗୁଣରେ କମ ନୁହନ୍ତି ବୋଲି ପ୍ରମାଣିତ କରି ଦେଖାଇଛନ୍ତି ମହିଳା ଉଦ୍ୟୋଗୀ ରାଣୀ ବିଶ୍ଵାସ । ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ମହିଳାଙ୍କ ବିକାଶ ପାଇଁ ବହୁପ୍ରକାର ଯୋଜନା ପ୍ରଣୟନ କରିଥିବା ବେଳେ ତାକୁ ବାସ୍ତବ ରୂପ ଦେଇ ସମସ୍ତ ମହିଳାଙ୍କ ପାଇଁ ଉଦାହରଣ ସାଜିଛନ୍ତି ରାଣୀ । ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଏମ୍ ଭି ୩୮ ଗ୍ରାମର ମହିଳା ଉଦ୍ୟୋଗୀ ରାଣୀ ବିଶ୍ଵାସଙ୍କ ପିତା ମୁକୁନ୍ଦ ବିଶ୍ଵାସ ଜଣେ ଚାଷୀ । ରାଣୀଙ୍କ ପରିବାରରେ ବାପା ମା”ଙ୍କ ସମେତ ଦୁଇ ଭଉଣୀ , ଗୋଟିଏ ଭାଇ ଅଛନ୍ତି । ବଡ଼ ଭଉଣୀ ବାହା ହୋଇସାରିଥିବା ବେଳେ ରାଣୀ ସାନ ରାଣୀ ୨୦୧୬ ମସିହାରେ ନିକଟସ୍ଥ ଚିତପରି – ୧ବିଦ୍ୟାଳୟ ରୁ ୧୦ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହେବାପରେ ମନ ବଳାଇଥିଲେ ଆଇଟିଆଇ କରିବା ପାଇଁ । ରାଣୀ ଘରେ ବାପଙ୍କୁ କହିଥିଲେ ଯେ , ସେ ଆଇଟିଆଇ କରିବାକୁ ଚାହୁଁଛନ୍ତି । ସେଥ୍ରେ ପରିବାର ସମେତ ସାହି ପଡ଼ିଶା ମଧ୍ୟ ରାନୀଙ୍କୁ ସାହସ ଦେଇଥିଲେ । ରାଣୀ ୨୦୧୭ ମସିହାରେ ମାଲକାନଗିରି ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ଫିଟର ବିଭାଗରେ ନାମ ଲେଖାଇଥିଲେ || ସେଠାରେ ଦୁଇବର୍ଷ ପ୍ରଶିକ୍ଷଣ ନେବା ପରେ ୨୦୧୯ ରେ ସେଠାରୁ ଘରକୁ ଫେରିଥିଲେ । ଘରକୁ ଫେରିବା ପରେ ରାଣୀ ବାପାଙ୍କୁ ଚାଷ କାମରେ ସାହାଯ୍ୟ କରିଆସୁଥିଲେ । ୨୦୧୯ ଡିସେମ୍ବର ମାସରେ ରାଣୀ ବାପାଙ୍କୁ କହିଥିଲେ କି , ସେ ଗୋଟିଏ ୱାର୍କସପ କରିବାକୁ ଚାହାନ୍ତି , ବାପ ମଧ୍ୟ ରାଣୀଙ୍କ କଥାରେ ରାଜି ହୋଇଥିଲେ । ଦୁଇଲକ୍ଷ ଟଙ୍କାର ଯନ୍ତ୍ରାଂଶ ଆଣି ରାଣୀଙ୍କୁ ଦେଇଥିଲେ । ସେହିଦିନ ଠାରୁ ଆଜକୁ ଦୁଇବର୍ଷ ହେବ ରାଣୀ ନିଜ ଘର ପାଖରେ ଗୋଟିଏ ୱାର୍କସପକରି ବହୁ ପ୍ରକାର ସୁନ୍ଦର ସୁନ୍ଦର ସାମଗ୍ରୀ କରି ବିକ୍ରି କରିଆସୁଛନ୍ତି । ରାଣୀ ସେଥୁରୁ ମାସକୁ ୨୦ ହଜାରରୁ ୩୦ ହଜାର ପର୍ଯ୍ୟନ୍ତ ରୋଜଗାର କରୁଥିବା ତାଙ୍କ ବାପା କହିଛନ୍ତି । କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନ ସୁଦ୍ଧା ରାଣୀଙ୍କୁ କିଛି ସରକାରୀ ସାହାଯ୍ୟ ମିଳିପାରିନାହିଁ । କିଛି ସରକାରୀ ସାହାଯ୍ୟ ମିଳିଥିଲେ ଆଉକିଛି ଅଧ୍ଵକ କରିପାରିଥାନ୍ତି ବୋଲି ରାଣୀ କହିଛନ୍ତି । ବଣ ମଲ୍ଲି ବଣରେ ଫୁଟି ବଣରେ ଝଡ଼ିପଡିବା ପୂର୍ବରୁ ସ୍ଥାନୀୟ ପ୍ରଶାସନ ରାଣୀଙ୍କୁ କିଛି ସାହାଯ୍ୟର ହାତ ବଢାଇବାକୁ ସ୍ଥାନୀୟ ଜନସାଧାରଣ ଅନୁରୋଧ କରିଛନ୍ତି ଏବଂ ଆଗାମୀ ଦିନରେ ଝିଅ ମାନଙ୍କୁ ଏପରି କାର୍ଯ୍ୟରେ ଯୋଗଦେବା ପାଇଁ ପ୍ରେରଣା ଯୋଗାଇବା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।