କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଗୋବର୍ଦ୍ଧନପୀଠ-ଶ୍ରୀଶଙ୍କରାଚାର୍ଯ୍ୟ ମଠ ପରିସରରେ ତୀର୍ଥ ରାଜ ମହୋଦଧି ଆରତୀ ର ୧୬ତମ ବାର୍ଷିକ ଉତ୍ସବ ର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ଙ୍କ ଚିନ୍ମୟ କରକମଳରେ ପବିତ୍ର ପୌଷ ପୂର୍ଣ୍ଣିମା ତିଥିରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପ୍ରତ୍ୟହ ସଂଧ୍ୟା ଘ ୬:୩୦ ମିନିଟରେ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ସମ୍ପାଦିତ ହୋଇଆସୁଅଛି ।
ନିତ୍ୟ ସଂଧ୍ୟା ଆରତୀର ୧୬ତମ ବାର୍ଷିକ ଉତ୍ସବ ଆସନ୍ତା ଜାନୁୟାରୀ ୧୭ ତାରିଖ ପବିତ୍ର ପୌଷପୂର୍ଣ୍ଣିମା ଦିନ ଅନୁଷ୍ଠିତ ହେବ। ଏହି ଭବ୍ୟ ସମାରୋହ ପ୍ରାତଃ କାଳ ସଂକୀର୍ତ୍ତନ ରୁ ଆରମ୍ଭ ହୋଇ ମଧ୍ୟାହ୍ନରେ ସୁନ୍ଦରକାଣ୍ଡ ପାଠ ଓ ଅପରାହ୍ନ ରେ ପୂଜ୍ୟ ଗୋବର୍ଦ୍ଧନ ପୀଠାଧିଶ୍ୱର ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ସମସ୍ତ ମଠାଧୀଶ, ସାଧୁସନ୍ଥ, ବୈଷ୍ଣବ, ପୁରୀ ଗଜପତି ମହାରାଜା, ବରିଷ୍ଠ ସନ୍ଥଗଣ, ମାନ୍ୟବର ମନ୍ତ୍ରୀ, ସାଂସଦ, ବିଧାୟକ, ବରିଷ୍ଠ ପ୍ରଶାସକ, ଏବଂ ବାହାରୁ ଆସିଥିବା ଅତିଥି, ଆଗନ୍ତୁକ,ଏବଂ ସ୍ଥାନୀୟ ଅଧିବାସୀ ଓ ଭକ୍ତବୃନ୍ଦଙ୍କ ଦିବ୍ୟ ଉପସ୍ଥିତି ରେ ସମୁଦ୍ର ଆରତୀ ଅନୁଷ୍ଠିତ ହେବ । ଏହି ସଂଧ୍ୟା ଆରତୀ କାର୍ଯ୍ୟକ୍ରମ ଅପରାହ୍ନ ୪ଟା ରୁ ରାତି ୮ ଟା ପର୍ଯ୍ୟନ୍ତ ଚାଲୁ ରହିବ। ଏହି କାର୍ଯ୍ୟକ୍ରମ ରେ ଭକ୍ତ ସମାବେଶ ଓ ଉତ୍ସବ କିପରି ସୁନିୟନ୍ତ୍ରିତ ହେବ ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହିତ ସଞ୍ଚାଳନ ସମିତି ଆଲୋଚନା କରି ନିଷ୍ପତ୍ତି ଗ୍ରହଣ କରିବେ । ଏହି ଆଧ୍ୟାତ୍ମିକ ସଂଧ୍ୟା କୁ ଭବ୍ୟ କରିବା ପାଇଁ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାର ପ୍ରସ୍ତାବ ଗୃହୀତ ହୋଇଛି। କିନ୍ତୁ ପବିତ୍ର ମହୋଦଧି ଙ୍କ ଦିବ୍ୟ ଆରତୀ କୁ ଘରେ ଘରେ ପହଞ୍ଚାଇ ଏକ ଆଧ୍ୟାତ୍ମିକ ଜାଗରଣର ପ୍ରଚାର ପ୍ରସାର ର ସମସ୍ତ ଦାୟିତ୍ବ ପୀଠ ପରିଷଦ ଅନ୍ତର୍ଗତ ଆଦିତ୍ୟବାହିନୀ ଓ ଆନନ୍ଦ ବାହିନୀ ର ରାଷ୍ଟ୍ରୀୟ, ପ୍ରାନ୍ତୀୟ ଓ ଜିଲ୍ଲା କାର୍ଯ୍ୟକର୍ତ୍ତା ଙ୍କୁ ପ୍ରଦାନ କରାଯାଇଅଛି ।
ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ପରିସୀମା ଅନ୍ତର୍ଗତ ତୀର୍ଥରାଜ ମହୋଦଧିଙ୍କର ବିସ୍ତୀର୍ଣ୍ଣ ସ୍ବର୍ଣ୍ଣାଭ ବାଲୁକା ରାଶିରେ ପରିପୂର୍ଣ୍ଣ ବେଳାଭୂମିର ପ୍ରତିଟି ଧୂଳିକଣା ଭଗବତ ଶକ୍ତି ର ଦ୍ୟୋତକ ଏବଂ ଜୀବକୁ ଭଗବତମୁଖୀ କରିବା ପାଇଁ ସର୍ବ ସମର୍ଥ। ତେଣୁ ପ୍ରକୂତିର ପଞ୍ଚ ମହାଭୂତଙ୍କର ଉପାସନା ହିଁ ଭଗବାନଙ୍କର ଉପାସନା। ସୁତରାଂ ଏହି ତୀର୍ଥରାଜ ମହୋଦଧିଙ୍କୁ ଆବାଙ୍ ମାନସଗୋଚର , ଅବ୍ୟକ୍ତ ବ୍ରହ୍ମଙ୍କର ସଗୁଣ ସାକାର ବିରାଟ ଶରୀର କେବଳ ଜୀବର ଭଗବତ୍ ଭକ୍ତିକୁ ଅନନ୍ତ ଗୁଣରେ ବୃଦ୍ଧି କରିବାରେ ଏକମାତ୍ର ଧ୍ୟାନର କେନ୍ଦ୍ରବିନ୍ଦୁ ହେଉ । ଏହି ପବିତ୍ର ବେଳାଭୂମି ଅର୍ଚ୍ଚନ, ପୂଜନ, ବନ୍ଦନ, ଏବଂ ଆରାଧନା ର କେନ୍ଦ୍ର ହେଉ ବୋଲି ମତ ପ୍ରକାଶ ।