ରାଉରକେଲା – ସମଗ୍ର ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପୁର୍ତବିଭାଗରେ କାମ କାମ କରୁଥିବା ଇଂଜିନିୟର ମାନଙ୍କର ବଦଳି ତାଲିକା ସରକାରଙ୍କ ବିଭାଗୀୟ ମୁଖ୍ୟ ଅଧିକାରୀ ଗତକାଲି ବାହାର କରିଛନ୍ତି । ହେଲେ ରାଉରକେଲାରେ ୭ ରୁ ୨୫ବର୍ଷ ୬ମାସ ପୁରଣ କରି ଗାଦି ମାଡି ବସିଥିବା ଇଂଜିନିୟର ମାନଙ୍କ ଭିତରେ ମାତ୍ର ଜଣଙ୍କର ଏଠାରୁ ସମ୍ବଲପୁର ବଦଳି ହୋଇଛି । ସେ ହେଉଛନ୍ତି ନିରୋଦ କୁମାର ଦଳବେହେରା । ସେ ଏଠାରେ ୨୦ବର୍ଷ ପୁରଣ କରିଥିଲେ । କିନ୍ତୁ ତାଙ୍କ ଭଳି ୨୦ବର୍ଷ ପୁରଣ ସାଙ୍ଗକୁ ୧୦ ବର୍ଷ ପୁରଣ କରିଥିବା ବାବୁ ମାନଙ୍କୁ ସରକାର ହାତ ମାରିନଥିବା ଦେଖା ଯାଇଛି । ବଣେଇରେ ଥିବା ଇଂଜିନିୟର ୨୫ବର୍ଷ ୬ମାସ ପୁରଣ କଲେଣି, ହେଲେ ତାଙ୍କର ବଦଳି ହେଉନି । ନିକଟରେ ଅକ୍ଟୋବର ମାସ ୨ୟ ସପ୍ତାହରେ ଏନେଇ ମୋଟ ୧୦ ରୁ ଅଧିକ ଇଂଜିନିୟରଙ୍କର ରାଉରକେଲାରେ ରହଣି ସମୟ ଓ ସରକାର କିଭଳି ଏମାନଙ୍କୁ ବଦଳି ନକରି ରଖିବା ନେଇ ବିସ୍ତୃତ ବିବରଣୀ ପ୍ରକାଶ ପାଇଥିଲା । ରାଉରକେଲା ପୁର୍ତ ବିଭାଗ, ବିଗତ ୨୫ବର୍ଷରୁ ନେଇ ଗତ ୭ବର୍ଷ ଭିତରେ ରାଉରକେଲାର ଏହି ବିଭାଗକୁ ବିଭିନ୍ନ ସମୟରେ ଜେଇ ଭାବେ ଆସି ଯୋଗଦାନ କରି ଏଠାରୁ ଆଉ ବଦଳି ହୋଇନଥିବା ବେଳେ, ପଦୋନ୍ନତି ସହ ୭ବର୍ଷରୁ ୨୫ ବର୍ଷ ଧରି ଏ ଯାଗାରେ ଗାଦି ମାଡି ବସି ରହିଥିଲେ ବି ସରକାରଙ୍କର ବଦଳି ବ୍ୟବସ୍ଥା ତାଙ୍କୁ ଛୁଇଁପାରିନଥିବା ଦେଖାଯାଇଛି ।୨୦ ବର୍ଷ ଭିତରେ ୪ଟି ସରକାର ଗଲାଣି । ଅନେକ ଶାସକ ପ୍ରଶାସକ, ନିର୍ବାହୀ ଯନ୍ତ୍ରୀ ଗଲେଣି ।ହେଲେ ଏମାନଙ୍କ ବଦଳି ହୋଇ ନପାରିବା ଓ ଗୋଟାଏ ଯାଗାରେ ଏତେଦିନ ରହିବା ନିଶ୍ଚୟ ସରକାରଙ୍କର ଶାସନ ବ୍ୟବସ୍ଥାକୁ ଅଙ୍ଗୁଳି ଉଠାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି ।
ଏଭଳି କିଛି ଲୋକଙ୍କ ନାମ ଯଦି ଦେଖିବା ସେଥିରେ ୧ନମ୍ବରରେ ଆସିବେ ପାର୍ଥସାରଥି ଜେନା, ସେ ୧୩-୭-୧୯୯୪ ରେ ରାଉରକେଲା ପୁର୍ତବିଭାଗରେ ଜୁନିୟର ଇଂଜିନିୟର ଭାବେ ଯୋଗଦାନ କରିଥିଲେ । ତାରି ଭିତରେ ସେ ଆରସି, ବଣେଇ, ପାନପୋଷ, ସିଟି ଭିତରେ ବଦଳି ହୋଇ କେବଳ ଏପାଖ ସେପାଖ ରାଉରକେଲା ପୁର୍ତ ବିଭାଗ ଭିତରେ ସିନା ହୋଇଛନ୍ତି । କିନ୍ତୁ ତାଙ୍କର ଜିଲ୍ଲା ବାହାରକୁ ବଦଳି ନହେବା ୨୫ ବର୍ଷ ୬ମାସ ହୋଇଯାଇଛି । ସେହିଭଳି ଟିକେଶ୍ୱର କିଶାନ । ଚାକିରୀ କାଳର ୨୩ ବର୍ଷ ରାଉରକେଲାରେ ରହି ସାରିଛନ୍ତି । ଆଉ କିଛି ଦିନ ଭିତରେ ସେ ଅବସର ନେବେ । ସେ ୮-୧୦-୧୯୯୯ରେ ରାଉରକେଲାରେ ଜେଇ ଭାବେ ଯୋଗଦାନ କରି ଏବେ ଯାଏ ରହିଛନ୍ତି । ହେମେନ୍ଦ୍ର କୁମାର ଷଡଙ୍ଗୀ ୪-୧୨-୨୦୦୦ରେ ଜେଇ ଭାବେ ବିଶ୍ରା ସେକ୍ସନରେ ଯୋଗ ଦାନ କରିଥିଲେ । ତାଙ୍କର ମଧ୍ୟ ୨୦ ବର୍ଷ ପୁରିଛି ରାଉରକେଲାରେ । କିନ୍ତୁ ବଦଳି କେବେ ବି ହୋଇନି । ଜୟଶ୍ରୀ ଅନୁରାଧା ରଥ ଏଭଳି ବଦଳି ହୋନଥିବା ଇଂଜିନିଅରଙ୍କ ଭିତରେ ୫ମ ସ୍ଥାନରେ ରହିଛନ୍ତି । ସେ ୨୧-୫-୨୦୦୩ରେ ସେ କୋଇଡା ସେକ୍ସନରେ ଯୋଗଦାନ କରି ରାଉରକେଲାରେ ୧୬ ବର୍ଷ ବିତାଇ ସାରିଛନ୍ତି ।୬ଷ୍ଠ ସ୍ଥାନରେ ବନବିହାରୀ ଚୌଧୁରୀ ରହିଛନ୍ତି ।୧୭-୨-୨୦୦୪ରେ ସେ ସିଟି ସବଡିଭିଜନରେ ଯୋଗଦାନ କରି ବର୍ତମାନ ଯାଏ ରାଉରକେଲାରେ ରହିଛନ୍ତି । ୭ମ ସ୍ଥାନରେ ଜୟନାରାୟଣ ପଟେଲ ୬-୦୮-୨୦୦୪ରେ ରାଉରକେଲାରେ ଯୋଗଦେଇ ଏବେବି ରହିଛନ୍ତି । ସେହିଭଳି ୧୫-୭-୨୦୦୮ରେ ପ୍ରମୋଦ ମହାପାତ୍ର, ଅଷ୍ଟମରେ ମନୋହର ଲାଲ ଓରାମ ୨୮-୨-୨୦୦୮ରେ ରାଉରକେଲା ଆସି ରହିଛନ୍ତି, ହେଲେ ଅଦ୍ୟାବଧି ବଦଳି ତାଙ୍କୁ ଛୁଇଁ ପାରିନି । ନବମରେ ବେଣୁଧର ନାୟକ । ସେ ୧୬-୬-୨୦୧୦ ରେ ରାଉରକେଲା ଆସି ୯ବର୍ଷ ପୁରଣ କରି ସାରିଲେଣି । ସେ ପୁରୁଣା ବାବୁ ମାନଙ୍କୁ ଅନୁସରଣ କରି ଏଯାଗା ଛାଡିବା ଚକ୍କରରେ ନଥିବା ଖବର ମିଳିଛି ।୧୦ମରେ ଅଶୋକ କୁମାର ଦେ ।୧-୦୭-୨୦୧୨ରେ ରାଉରକେଲାକୁ ଆସି ୭ମ ବର୍ଷରେ ପହଁଚିଛନ୍ତି । ସହରରେ ତାଙ୍କ ସମୟରେ କୋଟି କୋଟି ଟଙ୍କାର କାମ ତାଙ୍କ ଦ୍ୱାରା କରାଯାଇ ବ୍ୟାପକ କାରନାମା କରାଯାଇଥିବା ଅଭିଯୋଗ ହୋଇଚାଲିଛି । ଏହା ପୂର୍ବରୁ ଅନ୍ୟାନ୍ୟ ଗଣମାଧ୍ୟମରେ ମଧ୍ୟ ଏନେଇ ରିପୋର୍ଟ ପ୍ରକାଶ ପାଇଥିଲା । ହେଲେ ସରକାର ବାହାଦୁରଙ୍କୁ କେବଳ ଦଳବେହେରା ବାବୁଙ୍କ କଥା ରାଉରକେଲାରେ ଏତେ ଜଣଙ୍କ ଭିତରେ ଦେଖାଗଲା, ଅନ୍ୟମାନେ ଦେଖା ଗଲେ ନାହିଁ । ଅନେକ ଦିନ ପରେ ଏହି ବିଭାଗରେ ବଦଳି ତାଲିକା ପ୍ରକାଶ ପାଇଛି ହେଲେ ପୂର୍ବ ଭଳି ଅନେକଙ୍କୁ ଘଂଟ ଘୋଡା ଯାଇଥିବା ନେଇ ଆଲୋଚନା ଚାଲିଛି । ରାଜ୍ୟରେ ୫-ଟି ସଚିବଙ୍କ ଭୟରେ ହୁଏତ କିଛିଟା ବଦଳି କରିଦେଇ ନିଜ କାମ ସାରିଦେବା ଭଳି ବ୍ୟବସ୍ଥା ବିଭାଗୀୟ ଅଧିକାରୀ କଲେ ବୋଲି ଆଲୋଚନା ଚାଲିଛି । ଏ ସରକାରରେ ସ୍ୱଚ୍ଛତାକୁ ନେଇ ଏବେ ସବୁସ୍ତରରେ ସମସ୍ତେ ବ୍ୟସ୍ତ ଥିବା ବେଳେ ପୁର୍ତ ବିଭାଗରେ ଏଭଳି ବଦଳିକୁ ୩ୟ ମହଲା ସମୀକ୍ଷା କରିବା ଦରକାର ବୋଲି ଦାବୀ ହୋଇଛି ।