
ପଟ୍ଟାମୁଣ୍ଡାଇ ,ସାମୁଦ୍ରିକ ବାତ୍ୟା ‘ଜୱାଦ’ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁ ପଟ୍ଟାମୁଣ୍ଡାଇ-ରାଜନଗର ଅଂଚଳ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଧାନ କ୍ଷେତରୁ ପାଣି ଖସୁନଥିବା ବେଳେ ସୁନାର ଫସଲ ଏବେ ଗଜା ହୋଇଯାଇଛି, ଯାହାକି ଗତକାଲି କେନ୍ଦ୍ରୀୟ ଟିମ ଗସ୍ତ ସମୟରେ ଚାଷୀ ନିଜର ଫସଲ ଦେଖାଇ ଦୁଃଖ ବଖାଣିଛନ୍ତି । ପାଖିପାଖି ୮୦ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ବେଳେ ୪୦ ପ୍ରତିଶତ ଧାନ ବର୍ଷା ଯୋଗୁ ନଷ୍ଟ ହୋଇଯାଇଛି । ବିଲରେ ପାଣି ବୁଡି ରହିବା ଯୋଗୁ ପାଚିଲା ଧାନ ଗଜା ହୋଇଯାଇଛି । ଭାଗ ଚାଷୀମାନେ ଋଣ କରି ଚାଷ କରିଥିବା ଏବେ କିପରି ଋଣ ସୁଝିବେ ସେ ଚିନ୍ତାରେ ପଡିଛନ୍ତି । ବାତ୍ୟା ପ୍ରଭାବରେ ପଟ୍ଟାମୁଣ୍ଡାଇ-ରାଜନଗର ଅଂଚଳର ଚାଷୀଭାଇମାନେ ନାହିଁ ନଥିବା କ୍ଷତିର ସମ୍ମୁଖୀନ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ କ୍ଷତିପୂରଣ ଓ ଅନ୍ୟାନ୍ୟ ସୁବିଧା, ସହାୟତା ଯୋଗାଇ ଦେବାକୁ ଆଜି ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମିଳନୀରେ ପ୍ରତିଷ୍ଟତା ବିଜୟ କେତନ ସ୍ୱାଇଁ କହିଛନ୍ତି ବିକାଶ ପରିଷଦ ପ୍ରତିଷ୍ଟତା ଶ୍ରୀ ସ୍ୱାଇଁ କହିଛନ୍ତି ଯେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ କରୁଣାରୁ ବାତ୍ୟା ‘ଜୱାଦ’ ଓଡିଶାର ସ୍ଥଳ ଭାଗ ଛୁଇଁ ନାହିଁ ସତ, କିନ୍ତୁ ଏହି ବାତ୍ୟା ଓ ଲଗାଣ ବର୍ଷା ଜନିତ କ୍ଷୟକ୍ଷତି କୃଷକ ପରିବାର ବର୍ଷକର ଦାନା ହରାଇ ହତାସ ହୋଇପଡିଛନ୍ତି । ଦୈବୀ ଦୁର୍ବିପାକ କାହା ହାତର କଥା ନୁହେଁ । ତେଣୁ, ଏଥିପାଇଁ କାହାକୁ ଦାୟୀ କରିହେବ ନାହିଁ । କିନ୍ତୁ ଦୁର୍ବିପାକ ପୂର୍ବ ଓ ପରବତୀ ପ୍ରସଙ୍ଗର ସୁପରିଚାଳନା ଦାୟିତ୍ୱ ସରକାରଙ୍କର । ଏଥିରେ ସାମାନ୍ୟ ଅଦୂରଦର୍ଶିତା ବା ଦାୟିତ୍ୱହୀନତା ରହିଲେ ତାହା ଦୁର୍ବିପାକର ଦୁଃଖଠାରୁ ଅଧିକ ହୋଇଯାଏ । ଆମ ଅଂଚଳରେ ଚାଷୀମାନେ ସାଧାରଣତଃ ଲମ୍ବା ଧାନ ଚାଷ କରନ୍ତି । ଏହି ଧାନ କଟା ଡିସେମ୍ବର ମାସରୁ ଆରମ୍ଭ ହୁଏ । କିନ୍ତୁ ଚଳିତବର୍ଷ ଅନାବୃଷ୍ଟି ଯୋଗୁ ଧାନ ଚାଷ ପ୍ରାୟ ବିଳମ୍ବ ହୋଇଥିଲେ ମଧ୍ୟ ଅଧିକ ଓ ଶୀଘ୍ର ଅମଳକ୍ଷମ ହାଇବ୍ରିଡ ବିହନ ଚାଷୀ ଚାଷ କରି ଭଲ ଫସଲ କରିଥିଲେ । କିନ୍ତୁ ‘ଜୱାଦ’ ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁ ଧାନ କିଆରିରେ ବଳିପଡିଥିବା ଧାନ ଏବେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସରକାରର ଆନ୍ତରିକତା ଅଭାବରୁ ଓ ଭୁଲ୍ କୃଷିନୀତି ଯୋଗୁଁ ଏ ପର୍ଯ୍ୟନ୍ତ ଓଡିଶାର ଭାଗଚାଷୀମାନଙ୍କୁ ଚିହ୍ନଟ କରାଯାଇ ପାରିଲା ନାହିଁ । ଯାହାଫଳରେ ଚାଷ ଜମିରେ ମାଲିକ ପରିବର୍ତେ ପ୍ରକୃତ ଭାଗଚାଷୀ ଚାଷ କରୁଥିଲେ ମଧ୍ୟ ସେ ସମସ୍ତ ଯୋଜନାରେ ସୁଫଳ ପାଇବାରୁ ବଂଚିତ ହେଉଛି । ଫସଲବୀମାରେ ଶତକଡା ମାତ୍ର ୨ ଭାଗ ପ୍ରିମିୟମ୍ ଦେବାକୁ ପଡୁଥିଲେ ମଧ୍ୟ ଫସଲବୀମା କରିବାକୁ ଚାଷୀ ଆଗ୍ରହ ପ୍ରକାଶ କରୁନାହାଁନ୍ତି । କାରଣ, ଭାଗଚାଷୀଙ୍କ ପାଇଁ ଏଥିରେ କୌଣସି ସୁବିଧା ନାହିଁ ଓ ପ୍ରକୃତ ଚାଷୀ ତା’ର କ୍ଷୟକ୍ଷତିକୁ ରିପୋଟିଂ କରିବାରେ ଯେଉଁ ପ୍ରକାର ଜଟିଳ ନିୟମ ଅଛି, ସେଥିପାଇଁ ଚାଷୀ ଫସଲବୀମା ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି । ସମସ୍ତ ଚାଷୀ କିପରି ଫସଲବୀମାର ସୁଯୋଗ ସହଜରେ ପାଇପରିବ, ସେ ଦିଗରେ ସରକାରର କିଛି ଯୋଜନା ଅଛି କି ବୋଲି ପ୍ରଶ୍ନ କରିଥିଲେ । ବାରମ୍ବାର ଲଗାଣ ବର୍ଷା ବାତ୍ୟାରେ ଚାଷୀମାନେ କ୍ଷତିଗ୍ରସ୍ତ ହେଉଥିବା ବେଳେ ଜଳ ନିଷ୍କାସନର କୌଣସି ତ୍ୱରିତ ବ୍ୟବସ୍ଥା କରାଯାଉନି । ବନ୍ୟାବାତ୍ୟାରେ ଚାଷୀମାନେ କ୍ଷତିଗ୍ରସ୍ତ ହେଉଥିବା ସତ୍ୱେ ରିଲିଫ୍ କୋଡରେ ଆବଶ୍ୟକ ବ୍ୟବସ୍ଥା କରାଯାଉନି । ଯାହାଫଳରେ ଚାଷୀମାନଙ୍କର କ୍ଷତିକୁ ଭରଣା କଲାବେଳେ ସେମାନଙ୍କୁ ଦୟା କଲାପରି ସମୁଦ୍ରକୁ ଶଙ୍ଖେ ସହାୟତା ଦିଆଯାଉଛି ।ସରକାରୀ କର୍ମଚାରୀ ମାନେ ଚାଷୀମାନଙ୍କର କ୍ଷୟକ୍ଷତିର ଆକଳନ କଲାବେଳେ ମନୋବୃତିରୁ ଉର୍ଦ୍ଧ୍ୱକୁ ଯିବା କଥା । କିନ୍ତୁ ଅଧିକାଂଶ କ୍ଷେତ୍ରରେ ତାହାର ବିଡମ୍ବନା ଦେଖାଯାଉଛି ।ଧର୍ମକୁ ଆଖିଠାର ଭଳି ଆରଆଇ, ସୁପରଭାଜର, ତହସିଲଦାର ଓ ପର୍ଯ୍ୟବେକ୍ଷକମାନେ କ୍ଷୟକ୍ଷତିର ଆକଳନ କରୁଛନ୍ତି ବୋଲି ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ଅଭିଯୋଗ କରିଛି।
ପଟ୍ଟାମୁଣ୍ଡାଇ, ରାଜନଗର ୨ଟି ବ୍ଲକ ସମେତ ପଟ୍ଟାମୁଣ୍ଡାଇ ମୁନିସିପାଲିଟକୁ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ଅଚଂଳ ଘୋଷଣା କରିବା ପାଇଁ ଦାବି କରିଛି ବିକାଶ ପରିଷଦ।