
ବ୍ରହ୍ମପୁର, ସ୍ଥାନୀୟ ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ଶାଖାର ସାଧାରଣ ସଭା ସଭାପତି ଡ଼ଃ. ସୁବ୍ରତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ସ୍ୱାଗତ ଭାଷଣ ପ୍ରଦାନ କରି ପ୍ରସ୍ତାବ ଆଗତ କରିଥିଲେ । ପ୍ରସ୍ତାବ କ୍ରମରେ ଭାରତର ସର୍ବୋଚ୍ଚ ସେନାଧ୍ୟକ୍ଷ ଜେନେରାଲ ବିପିନ୍ ରାୱତ୍ ଏବଂ ତାଙ୍କ ପତ୍ନୀଙ୍କ ସମେତ ଅନ୍ୟ ସେନାଅଧିକାରୀ ମାନଙ୍କ ହେଲିକପ୍ଟର ଦୁର୍ଘଟଣାଜନିତ ମୃତ୍ୟୁ ଯୋଗୁଁ ଗଭୀର ଶୋକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ଏବଂ ସ୍ୱର୍ଗତ ରାୱତଙ୍କ ଦେଶ ପାଇଁ ସମର୍ପିତ କାର୍ଯ୍ୟଦକ୍ଷତାର ଆଲୋଚନା କରାଯାଇଥିଲା । ପରବର୍ତୀ ସମୟରେ ସଭାପତି ଡ଼ଃ. ସୁବ୍ରତ କୁମାର ସାହୁ ସମ୍ମିଳନୀ ଶାଖାର କର୍ମକର୍ତା ଚୟନ କରିବା ପାଇଁ ସମ୍ମିଳନୀର ରାଜ୍ୟ କେନ୍ଦ୍ରୀୟ କମିଟି ପତ୍ର ପ୍ରଦାନ କରିଥିବା ବିଷୟ ସଭାକୁ ଅବଗତ କରାଇଥିଲେ । ସଭାରେ ଉପସ୍ଥିତ ସମସ୍ତ କର୍ମକର୍ତା ଏବଂ ସଦସ୍ୟ ସଦସ୍ୟା ସର୍ବସମ୍ମତି ସମର୍ଥନ ଜଣାଇ ସଭାପତି ଭାବରେ ଡ଼ଃ. ସୁବ୍ରତ କୁମାର ସାହୁଙ୍କ ସମେତ ପୂର୍ବ କର୍ମକର୍ତା କମିଟି ପୁନର୍ବାର କାର୍ଯ୍ୟ କରିବା ପାଇଁ ମତ ପ୍ରକାଶ କରି ଗୃହୀତ କରିଥିଲେ । ଏବଂ ଖାଲିଥିବା ଅନ୍ୟତମ ଉପସଭାପତି ପଦବୀରେ ଡ଼ଃ. ବନମାଳୀ ପାଣିଗ୍ରାହୀଙ୍କୁ ଓ ଜିଲ୍ଲା ପ୍ରତିନିଧି ପଦବୀରେ ରାଧାଚରଣ ନାୟକଙ୍କୁ ମନୋନୀତ କରାଯାଇ ଗୃହୀତ କରାଯାଇଥିଲା । କୋଷାଧ୍ୟକ୍ଷ ନରସିଂହ ପାଣିଗ୍ରାହୀ ଦୀର୍ଘଦିନ ହେଲା ଅସୁସ୍ଥ ଥିବାରୁ ତାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇ ଅନ୍ୟ ଜଣେ କୋଷାଧ୍ୟକ୍ଷଙ୍କୁ ପରବର୍ତୀ ସମୟରେ ଚୟନ କରାଯିବା ପାଇଁ ସ୍ଥିର କରାଯାଇଥିଲା । ଶାଖାର କର୍ମକର୍ତାଙ୍କୁ ଚୟନ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ହୋଇଥିବା ସମ୍ମିଳନୀର ରାଜ୍ୟ ଉପସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଟେଲିଫୋନ ମାଧ୍ୟମରେ ସର୍ବସମ୍ମତି କ୍ରମେ ଗୃହୀତ କର୍ମକର୍ତା ଚୟନକୁ ଅନୁମୋଦନ କରିଛନ୍ତି ।
ଅନୁଷ୍ଠିତ ସଭାରେ ସୂର୍ଯ୍ୟକାନ୍ତ ପାତ୍ର, ନବୀନ କୁମାର ପଟ୍ଟନାୟକ, ରାଧାଚରଣ ନାୟକ, ଡଃ. ବନମାଳୀ ପାଣିଗ୍ରାହୀ, ଗୋପାଳ କୃଷ୍ଣ ପାଢ଼ୀ, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ମହମ୍ମଦ ଆସଲାମ୍, ଭବାନୀ ଶଙ୍କର ପାଣିଗ୍ରାହୀ, ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ, ଭୀଷ୍ମାଚାର୍ଯ୍ୟ ଚୌଧୁରୀ, ହାଡିବନ୍ଧୁ ମାଳି, ସୁରେଶ ଚନ୍ଦ୍ର ତ୍ରିପାଠୀ ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । ସମ୍ପାଦକ ଶ୍ରୀପଲ୍ଲବ ସମ୍ମିଳନୀର ବିଗତ ଦିନରେ ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରି ଆସିଥିବାରୁ ସମସ୍ତ କର୍ମକର୍ତା ଏବଂ ସଦସ୍ୟ ସଦସ୍ୟା ମାନଙ୍କୁ ଧନ୍ୟବାଦ ଅର୍ପଣ କରି ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀର କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।