
-
ସମ୍ପର୍କିୟଙ୍କ ସ୍ୱାବ୍ ନମୂନା ରିପୋର୍ଟ ନେଗେଟିଭ୍
-
କଂଟେନମେଂଟ କଟକଣା ବଳବତର
ଗଞ୍ଜାମ, ଗତ ୬ ତାରିଖରେ ଭଞ୍ଜନଗର ଲଣ୍ଡେଇ ସାହିରେ ଜଣେ ଦୁବାଇ ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସମ୍ପୃକ୍ତ ବ୍ୟକ୍ତି ଜଣକ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ମୂଳ ବାସିନ୍ଦା ବୋଲି ଜଣାପଡିଥିଲା । ସେ ନିଜ ସମ୍ପର୍କିୟଙ୍କ ଘର ଲଣ୍ଡେଇ ସାହିକୁ ଆସିଥିଲେ । ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଡ଼ାକ୍ତରଖାନାର ସ୍ୱାସ୍ଥ୍ୟ ଟିମ୍ ଲଣ୍ଡେଇ ସାହିରୁ ଆଣି ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡ଼ରେ ରଖିଛନ୍ତି । ଏହାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମ୍ପର୍କୀୟ ମାନଙ୍କର ସ୍ୱାବ୍ ନମୂନା ସଂଗ୍ରହ ହୋଇଥିଲା । ତେବେ ଗତକାଲି ସେମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ମେଡ଼ିକାଲ କର୍ତୃପକ୍ଷ ସୂଚନା ଦେଇଛନ୍ତି । ଯାହା ଫଳରେ ସ୍ଥାନୀୟ ଲୋକେ ଆଶ୍ୱସ୍ତି ଲାଭ କରିଛନ୍ତି ।
ଅନ୍ୟପକ୍ଷରେ ଘଟଣା ପରେ ସମ୍ପୃକ୍ତ ଆକ୍ରାନ୍ତଙ୍କ ସମ୍ପର୍କୀୟଙ୍କ ଘର ଓ ଏହାର ଆଖପାଖ ୫୦ ମିଟର ପର୍ଯ୍ୟନ୍ତ ଅଂଚଳକୁ ମିନି କଂଟେନମେଂଟ ଜୋନ୍ ଘୋଷଣା କରାଯିବା ସହ ବାଉଁଶ ବ୍ୟାରିକେଡ୍ କରାଯାଇଥିଲା । ବର୍ତମାନ ସୁଦ୍ଧା ସମ୍ପୃକ୍ତ ଅଂଚଳରେ କଂଟେନମେଂଟ କଟକଣା ବଳବତର ରହିଛି । ସେହିପରି ଦୁବାଇ ଫେରନ୍ତାଙ୍କ ଶରୀରରେ ଓମିକ୍ରନ ଭାଇରସ୍ ରହିଛି କି ନାହିଁ ଏହା ଜାଣିବାକୁ ତାଙ୍କର ସ୍ୱାବ୍ ନମୂନା ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି । କିନ୍ତୁ, ଏହାର ରିପୋର୍ଟ ଅଦ୍ୟାବଧି ଆସିନଥିବା କାରଣରୁ ସେ ଏବେ ସୁଦ୍ଧା ଆଇସୋଲେସନ ୱାର୍ଡ଼ରେ ରହିଛନ୍ତି । ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି ।