
ସାଲେପୁର, କଳିଙ୍ଗ ଭାରତୀ ଫାଉଣ୍ଡେସନ ତରଫରୁ ନେତାଜୀ ସୁବାଷ ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀ ରାଜସ୍ଥାନର ଭିୱାଡିସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମହାସାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ହେଲିକ୍ୟାପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସେନାର ମୁଖ୍ୟ ମୃତ୍ୟୁବରଣ କରିଥିବା ସିଡିଏସ ବିପିନ୍ ରାୱାତ ସମେତ ଅନ୍ୟ ଜୱାନମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ଆଜାଦ୍ ହିନ୍ଦ୍ ଫୌଜରେ ଭାଗ ନେଇଥିବା ଅନେକ ସହୀଦ ପରିବାରଙ୍କୁ ସମ୍ମାନୀତ କରାଯାଇଥିଲା ।
ଏହି ଉତ୍ସବରେ କଳିଙ୍ଗ ଭାରତୀ ଫାଉଣ୍ଡେସନର ପ୍ରତିଷ୍ଠାତା, ରାଷ୍ଟ୍ରୀୟ ଅଧ୍ୟକ୍ଷ, ବିଶିଷ୍ଟ ସମାଜସେବୀ ଇଂ. ଅକ୍ଷୟ କୁମାର ସାମଲ ଅତିଥି ପରିଚୟ ପ୍ରଦାନ କରିବା ସହିତ ନେତାଜୀଙ୍କ ସ୍ମୃତିଚାରଣ କରିଥିଲେ । ନେତାଜୀଙ୍କ ଆଦର୍ଶରେ ଯୁବ ସମାଜ ଅନୁପ୍ରାଣୀତ ହେବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟ ଅତିଥି ଭାବରେ ଭାରତ ସରକାରଙ୍କ ଆୟକର ବିଭାଗର ଅବସରପ୍ରାପ୍ତ ମୁଖ୍ୟ କମିଶନର ତଥା କଳିଙ୍ଗ ଭାରତୀ ଫାଉଣ୍ଡେସନର ମୁଖ୍ୟ ଉପଦେଷ୍ଟା ଶ୍ରୀ ଏନ୍ ମିଶ୍ର ଫାଉଣ୍ଡେସନର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ସୁବାଷ ବୋଷଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ବ୍ୟାଙ୍କ ଅଫ୍ ଆମେରିକାର ମାନବ ସମ୍ବଳ ବିଭାଗର ଉପସଭାପତି ତଥା କଳିଙ୍ଗ ଭାରତୀ ଫାଉଣ୍ଡେସନର ଆର୍ନ୍ତଜାତୀୟ ସଂଯୋଜକ ସଂଜୟ କୁମାର ଦାସ ନେତାଜୀଙ୍କ ବିରତ୍ୱପୂର୍ଣ୍ଣ ସଂଗ୍ରାମ ସମ୍ପର୍କରେ ସୂଚନା ଦେଇଥିଲେ । ବିଭିନ୍ନ ବିଭାଗରେ ଅନୁଷ୍ଠିତ ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । କୁନି କୁନି ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୧୫୦୦ ରୁ ଉର୍ଦ୍ଧ୍ବ ପ୍ରବାସୀ ଓଡିଆ ଯୋଗଦେଇଥିଲେ । ଏହିଭଳି କାର୍ଯ୍ୟକ୍ରମରେ ପୂର୍ବରୁ ମଧ୍ୟ ଭାରତୀୟ ସେନାଧ୍ୟକ୍ଷର ଉପମୁଖ୍ୟ ତଥା କଳିଙ୍ଗ ଭାରତୀ ଫାଉଣ୍ଡେସନର ଚିଫ୍ ମେଣ୍ଟ୍ରୋନ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ଅଧ୍ୟକ୍ଷତା କରିଥିଲେ ।
ଆଜିର କାର୍ଯ୍ୟକ୍ରମରେ ରାଜେନ୍ଦ୍ର ନାୟକ, ନବୀନ କିଶୋର ଲେଙ୍କା, ଅମୀୟ ମହାନ୍ତି, ପ୍ରଫୁଲ୍ଲ କୁମାର ବେହେରା, ଅନନ୍ତ ସାମଲ, ଅନୀଲ ଜେନା, ବିଜୟ ମିଶ୍ର, ଅକ୍ଷୟ ଓଝା, ଗୋବିନ୍ଦ ବେହେରା, ଜୟପ୍ରକାଶ ସ୍ୱାଇଁ, ସରୋଜ ନାୟକ, ସଂଗ୍ରାମ ପାଣିଗ୍ରାହୀ ପରିଚାଳନାରେ ସହଯୋଗ କରିଥିଲେ । ଆଗାମୀ ଦିନରେ ନେତାଜୀଙ୍କ ଜନ୍ମସ୍ଥଳୀ ତଥା କଟକର ସହୀଦ ଭବନରେ ହରିଆନା ରାଜ୍ୟର ଗୁଡଗାଓଁରେ ଏବଂ ନେତାଜୀଙ୍କ କର୍ମସ୍ଥଳୀ କଲିକତାରେ ସୁବାଷ ବୋଷ ଜୟନ୍ତୀ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କଳିଙ୍ଗ ଭାରତୀ ଫାଉଣ୍ଡେସନ ଓଡିଶା ଶାଖାର ସାଧାରଣ ସଂପାଦିକା ରଶ୍ମିତା ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।