
-
ଦୁଇଟି ବନ୍ଧୁକ, ଇଲେଟ୍ରିକ ତାର ଓ ପଲସର ବାଇକ୍ ଜବତ
କନ୍ଧମାଳ, କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅନ୍ତର୍ଗତ ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ ବଦାଙ୍ଗୀ ଗ୍ରାମ ନିକଟରେ ଡ଼କାୟତି ଉଦ୍ୟମ ପଣ୍ଡ ହୋଇଛି । ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ ଏକ ବ୍ରୟେଲର୍ କୁକୁଡ଼ା ବୋଝେଇ ପିକଅପ୍ ଭ୍ୟାନ୍ ଆସୁଥିବା ସମୟରେ ବନ୍ଦାଙ୍ଗିର ମୁଖ୍ୟ ରାସ୍ତା ଜମ୍ବୁବଣିଆ ବ୍ରିଜ୍ ନିକଟରେ କିଛି ଡ଼କାୟତ ଛପି ରହିଥିଲେ । କିନ୍ତୁ ଗାଡ଼ି ଚାଳକ ଡ଼କାୟତ ଉଦ୍ୟମ ସମ୍ପର୍କରେ ଜାଣିପାରିବା ପରେ ସେଠାରୁ ଗାଡ଼ିକୁ ବୁଲାଇ ଚାଲି ଆସିବା ସହିତ ଗ୍ରାମବାସୀଙ୍କୁ ଫୋନ ଯୋଗେ ଜଣାଇଥିଲା । ଗ୍ରାମବାସୀ ଘଟଣା ଜାଣିବା ପରେ ସେଠାରେ ପହଞ୍ଚିଥିଲେ । ସେଠି ଡ଼କାୟତି କରିବା ଉଦ୍ଦେଶ୍ୟରେ ଥିବା ଗ୍ୟାଙ୍କ ଛତ୍ରଭଙ୍ଗ ଦେଇଥିଲେ । ଏ ନେଇ ଗ୍ରାମବାସୀ ପୋଲିସକୁ ଖବର୍ ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଜିବା ପରେ ଗୋଟିଏ ଡ଼କାୟତ ଆହତ ଅବସ୍ଥାରେ ତଳେ ପଡିଥିଲା । ତାର ଗୋଡରେ ଗୁଳି ବାଜିଥିବା ଯୋଗୁଁ ସେ ଗୁରୁତର ହୋଇପଡିଥିଲା । ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରାଯାଇ ବ୍ରାହ୍ମଣପାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ, ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଡ଼କାୟତ ଜଣକର ମୃତ୍ୟୁ ଘଟିଥିଲା । ପୋଲିସ ବହୁ ଖୋଜାଖୋଜି ପରେ ଗୋଟିଏ ପିସ୍ତଲ ଓ ଗୋଟିଏ ମାଉଜର୍, କିଛି ଇଲେଟ୍ରିକ ତାର ଓ ଏକ ପଲସର ବାଇକ୍ ଜବତ କରିବା ସହ ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଡ଼କାୟତି ଘଟଣାରେ ୭୫/୨୦୨୧ ରେ ଏକ ମାମଲା ଏବଂ ଡ଼କାୟତର ମୃତ୍ୟୁ ଘଟଣାରେ ୭୬/୨୦୨୧ ରେ ଏକ ମାମଲା । ଏହିପରି ପୃଥକ୍ ପୃଥକ୍ ମାମଲା ରୁଜ୍ଜୁ କରିବା ସହ ଜଣେ ଡ଼କାୟତକୁ ଅଟକ ରଖି ପଚରା ଉଚୁରା ଚଳାଇଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଥିବା ନେଇ ଚକାପାଦ ଥାନା ଅଧିକାରୀ ଅମ୍ବିକା ପ୍ରସାଦ ପଟ୍ଟନାୟକ ସୂଚନା ଦେଇଛନ୍ତି ।