ଧର୍ମଶାଳା – ଶିଶୁମାନଙ୍କ ପୁଷ୍ଟି ସାଧନ ସହ ଶାରୀରିକ, ମାନସିକ, ବୌଦ୍ଧିକ ବିକାଶ ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ସେହିଭଳି ଗର୍ଭବତୀ ଓ ପ୍ରସୂତୀ ମାମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସରକାର ଯଥେଷ୍ଟ ଧ୍ୟାନ ଦେଉଛନ୍ତି । ଏ ଦିଗରେ ଗର୍ଭସ୍ଥ ଶିଶୁ ଠାରୁ ଆରମ୍ଭକରି ନବଜାତକ ଓ ସେମାନଙ୍କ ମାମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି । ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଗାଁ ଅଙ୍ଗନୱାଡି କେନ୍ଦ୍ର ଜରିଆରେ ସେମାନଙ୍କୁ ଛତୁଆ, ହାଲୁଆ, ଅଣ୍ଡା, ବାଦାମ ଲଡୁ,ଚୁଡା ମୁଆଁ, ଗଜା ମୁଗ ଓ ବୁଟ, ଗରମ ରନ୍ଧାଖାଦ୍ୟରେ ଭାତ, ଡାଲମା, ସୋୟା ଆଳୁ, ଅଣ୍ଡା ତରକାରୀ ଭଳି ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯାଉଛି । ଶତପ୍ରତିଶତ ସଭିଏଁ ବଢନ୍ତୁ ଓ ପଢନ୍ତୁ ଲକ୍ଷ୍ୟ ସାଧାନ ହେବାନେଇ ଏଭଳି କରାଯାଉଛି । ହେଲେ ପୁଷ୍ଟିକର ଖାଦ୍ୟ ପ୍ରଦାନ ଦାଇତ୍ୱରେ ଥିବା କମ୍ପାନୀ, ଗୋଷ୍ଠି, ଏଜେନ୍ସି, ବ୍ୟକ୍ତିବିଶେଷଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ ସରକାରୀ ଲକ୍ଷ୍ୟ ସାଧନ ହେବାରେ ବାଧା ଉପୁଯୁଛି । ଏଭଳି ସମସ୍ୟା ଯାଜପୁର ଜିଲା ରସୁଲପୁର ବ୍ଲକରେ ଦେଖାଯାଇଛି । ଏହି ବ୍ଲକରେ ଗର୍ଭବତୀ, ପ୍ରସୂତି ମା ଓ ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ପ୍ରହସନରେ ପରିଣତ ହୋଇଛି । ମା ଓ ଶିଶୁମାନଙ୍କୁ ନିମ୍ନମାନର ଛତୁଆ, ହାଲୁଆ, ଲଡୁ ପ୍ରଦାନ କରାଯାଉଛି । ସେଗୁଡିକ ଅରୁଚିକର ହୋଇଥିବାରୁ ପରିବାର ଲୋକେ ଗୋରୁଖାଦ୍ୟ ଭାବରେ ବ୍ୟବହାର କରୁଥିବାର ଦେଖାଯାଉଛି । ଏ ସବୁ ସାମଗ୍ରୀ ମାନ ଯାଂଚ କରିବା ପାଇଁ ଉଦିଷ୍ଟ କମିଟି ଠିକ୍ ଭାବରେ କାର୍ଯ୍ୟକରୁ ନଥିବାରୁ ଶୁଖିଲା ଖାଦ୍ୟ ଯୋଗାଣକାରୀ ସଂସ୍ଥା ମନୋମୁଖି କାର୍ଯ୍ୟ କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ଏହିକ୍ରମରେ ଦେଖିବାକୁ ଗଲେ ରସୁଲପୁର ବ୍ଲକ ସମନ୍ୱିତ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିନସ୍ଥ ୨୮ଗୋଟି ପଂଚାୟତରେ ମୋଟ ୨୬୬ଟି ଅଙ୍ଗନୱାଡି କେନ୍ଦ୍ର ପରିଚାଳିତ ହେଉଛି । ଏହି କେନ୍ଦ୍ର ଅଧିନରେ ହାରାହାରି ୩ହଜହାର ଗର୍ଭବତୀ ଓ ପ୍ରସୂତି ମହିଳା, ୭ ମାସ ରୁ ୨ବର୍ଷ ୧୧ମାସ ଶିଶୁ ୭,୫୦୦, ୩ ରୁ ୫.୧୧ ବର୍ଷ ଶିଶୁ ୬,୫୦୦କୁ ମିଶାଇ ମୋଟ ୧୭ହଜାର ମା ଓ ଶିଶୁଙ୍କୁ ଖାଦ୍ୟ ଶୁଖିଲା ଓ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ସମସ୍ତ ଗର୍ଭବତୀ ମା ଓ ଶିଶୁମାନଙ୍କୁ ଶୁଖିଲା ଖାଦ୍ୟ(ଛତୁଆ, ହାଲୁଆ, ବାଦାମ ଲଡୁ) ଯୋଗାଣ ଦାଇତ୍ୱ ପ୍ରଥମାଖଣ୍ଡି ପଂଚାୟତର ସ୍ୱୟଂସହାୟିକା ଗୋଷ୍ଠି ଶ୍ରୀ ଶ୍ରୀ ରାମେଶ୍ୱର ଛତୁଆ ଉତ୍ପାଦନ କେନ୍ଦ୍ରକୁ ଦିଆଯାଇଛି । ପ୍ରତ୍ୟେକ ମାସରେ ଗର୍ଭବତୀ ଓ ପ୍ରସୂତି ୨ ପାକେଟ ଛତୁଆ( ପ୍ରତି ପାକେଟ ପରିମାଣ ୨.୫୦୦ କି.ଗ୍ରା), ଗୋଟିଏ ପାକେଟ ବାଦାମ ଲଡୁ( ପରିମାଣ ୨୪ ପିସ୍), ୭ ମାସ ରୁ ୨.୧୧ବର୍ଷ ପିଲାଙ୍କୁ ଗୋଟିଏ ପାକେଟ ଛତୁଆ ସହ ଗୋଟିଏ ହାଲୁଆ(୧କି. ୩୫୦ଗ୍ରାମ) ପାକେଟ ପ୍ରଦାନ କରାଯିବାର ନିୟମ ରହିଛି । ନିୟମାନୁଯାଇ ଗୋଟିଏ ପାକେଟ ଛତୁଆ ପ୍ରସ୍ତୁତ କରିବା ପାଇଁ ୧୫୩୧.୨୫ ଗ୍ରାମ ଗହମ, ୩୦୬.୨୫ଗ୍ରାମ ବୁଟ, ୨୨୯.୬୯ ଗ୍ରାମ ବାଦାମ, ୩୮୨.୮୧ ଗ୍ରାମ ଚିନି ବ୍ୟବହାର କରିବାକୁ ଥିବା ବେଳେ ସେହିପରି ଗୋଟିଏ ହାଲୁଆ ପାକେଟ ପ୍ରସ୍ତୁତ ପାଇଁ ୮୦୦ଗ୍ରାମ ମକା, ୩୫୦ ଗ୍ରାମ ବେସନ, ୩୫୦ଗ୍ରାମ ଚିନି, ରାଶି ତେଲ ୧.୩୫୦ଗ୍ରାମ ମିଶ୍ରଣ କରାଯିବ । ଛତୁଆ ଓ ହାଲୁଆ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀକୁ ମିଶ୍ରଣ କାର୍ଯ୍ୟ ଯାଂଚ କମିଟି ସମ୍ମୁଖରେ କରାଯିବ । ଯାହାକି ପ୍ରତ୍ୟେକ ମାସର ୨୩ ତାରିଖରେ ସବୁ ଛତୁଆ ଉତ୍ପାଦନ କେନ୍ଦ୍ରରେ କରାଯିବାର ନିୟମ ରହିଛି । ବ୍ୟବହୃତ ସାମଗ୍ରୀର ମାନକୁ ଯାଂଚ କରାଯିବା ସହ ସଠିକ୍ ପରିମାଣରେ ସମସ୍ତ ଖାଦ୍ୟ ପଦାର୍ଥ ବ୍ୟବହାର ହେଉଛିକି ନାହିଁ ସେ ଦିଗରେ କମିଟି ଧ୍ୟାନ ଦେବ । ଏହାପରେ ଛତୁଆ ପ୍ରସ୍ତୁତ ହୋଇ ପ୍ୟାକିଂ କରାଯିବ । ପ୍ରତ୍ୟେକ ମାସର ୧ତାରିଖରେ ଅଙ୍ଗନୱାଡି କେନ୍ଦ୍ରରେ ଛତୁଆ ବଂଟନ କରାଯିବ । ଏଥିପୂର୍ବରୁ ଉତ୍ପାଦନକାରୀ ସଂସ୍ଥା ସବୁ କେନ୍ଦ୍ରରେ ଛତୁଆ ପହଁଚିବାକୁ ନିଶ୍ଚିତ କରିବେ । ନଚେତ୍ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ । ଏ ସବୁ ନିୟମକୁ ରାମେଶ୍ୱର ଛତୁଆ ଉତ୍ପାଦନକାରୀ ସଂସ୍ଥା ମାନୁନାହିଁ । ଛତୁଆ ପ୍ରସ୍ତୁତ ବେଳେ ଗହମ ପରିମାଣକୁ ଅଧିକା ରଖାଯାଉଛି । ଅନ୍ୟ ସାମଗ୍ରୀ ପରିମାଣ କମିଯାଉଥିବାରୁ ଏହା ମହିଳା ଓ ଶିଶୁମାନଙ୍କୁ ଅରୁଚିକର ହେଉଛି । ଛତୁଆରୁ ଖଦଡିଆ ଗୁଣ୍ଡ, ପୋକରା ଗହମ ଖଣ୍ଡି, ଗୋଡି ବାହାରୁଛି । ଏହାକୁ ପରିବାର ଲୋକେ ଚଲାଇବା ପରେ ଛତୁଆର ବାସ୍ତବ ସ୍ଥିତି ଧରାପଡୁଛି । ଏଭଳି ଛତୁଆ ପୃଷ୍ଟି ସାଧନ ଦିଗରେ ବ୍ୟବହାର ନହୋଇ ଗୋରୁଗାଈଙ୍କ ଖାଇବାରେ ମିଶାଇ ଦିଆଯାଉଛି । ହାଲୁଆ ପାକେଟ ନିମ୍ନମାନର ଯୋଗୁଁ ତାହାବି ବ୍ୟବହାର ଉପେଯାଗୀ ହୋଇପାରୁ ନାହିଁ । ଏଥିସହ ସୁଜି, ଚିନି ଓ ରାଶି ତେଲ ଅଲଗା ଅଲଗା ଭାବରେ ପାକିଂକରି ଦେବା ନିୟମକୁ ଖୋଲାଖୋଲି ଉଲଙ୍ଘନ କରାଯାଉଛି । ଏଠି ରାଶି ତେଲେ ଆଦୌ ଦିଆଯାଉ ନାହିଁ । ଚିନି ଉଦିଷ୍ଟ ପରିମାଣଠାରୁ କମ୍ ଦିଆଯାଉଛି । ଏ ନେଇ ବିଭିନ୍ନ ସ୍ଥାନରେ ଅସନ୍ତୋଷ ପ୍ରକାଶ ପାଉଛି । ଲଡୁ ଅତ୍ୟନ୍ତ ନିମ୍ନମାନର ବାଦମ ଓ ଗୁଡରେ ପ୍ରସ୍ତୁତ କରାଯାଉଛି । ଗୋଟିୁଏ ପାକେଟରେ ୨୪ଟି ଲଡୁ ରହିବା ବଦଳରେ ୮ ରୁ ୧୦ଟି ଲଡୁ ରହୁଛି । ହାଲୁଆ ପାକେଟରେ ଓଜନ ୧୩୫୦ ଗ୍ରାମ ଉଲ୍ଲେଖ ରହିଛି । ମାତ୍ର ଏହାକୁ ଓଜନ କଲାବେଳକୁ ଏହା ୧୧୧୦ଗ୍ରାମ ହେଉଛି । ଅଥଚ ଗୋଟିଏ ପାକେଟରେ ୨୪୦ ଗ୍ରାମ ଓଜନର ହାଲୁଆ କମ୍ ରହୁଛି । ନିର୍ଦ୍ଧାରିତ ପରିମାଣଠାରୁ କମ୍ ଓ ନମ୍ନମାନର ସାମଗ୍ରୀ ଯୋଗାଣ କରି ଉତ୍ପାଦନକାରୀ ସଂସ୍ଥା ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ମୁନାଫା ହାତଉଛି । ଏଥିରୁ କିଛି ଅଂଶ ଅଧିକାରୀ, ରାଜନେତାମାନଙ୍କ ହାତ ଚିକ୍କଣ କରିଦେଇ ନିଜର ଦୋଷ ଲୁଚାଇବାକୁ ସକ୍ଷମ ହେଉଛି । ଏଭଳି କାର୍ଯ୍ୟ ବର୍ଷବର୍ଷ ଧରି ଚାଲିଆସୁଛି । ଖାଦ୍ୟର ମାନକୁ ଯାଂଚ ନକରି ବିଭାଗୀୟ ଅଧିକାରୀମାନେ ପ୍ରମାଣପତ୍ର ପ୍ରଦାନ କରୁଛନ୍ତି । ଚଳିତ ମାସ ୧ ତାରିଖ ରବିବାର ପଡିଥିଲା । ଏହି ଦିନ ସବୁ କେନ୍ଦ୍ରରେ ଶୁଖିଲା ଖାଦ୍ୟ ବାଂଟିବାକୁ ଥିଲା । ଉତ୍ପାଦନକାରୀ ସଂସ୍ଥା ପକ୍ଷରୁ ସବୁ କେନ୍ଦ୍ରରେ ଶୁଖିଲା ଖାଦ୍ୟ ପହଁଚାଇବାରେ ବିଫଳ ହେବାରୁ ତାହା ସମ୍ଭବ ହୋଇପାରିଲା ନାହିଁ । ହେଲେ ଏ ଦିଗରେ ଯାଂଚ କମିଟି ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଘଟଣାକୁ ସାଧାରଣରେ ସନ୍ଦେହ କରାଯାଉଛି । ଉତ୍ପାଦନକାରୀ ସଂସ୍ଥା ଓ ଯାଂଚ ଅଧିକାରୀଙ୍କ ମଧ୍ୟରେ ଭତିରି ବୁଝାବଣା ଯୋଗୁଁ ଏଭଳି ହେଉଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଏ ସଂପର୍କରେ ଜିଲା ଶିଶୁ ମଙ୍ଗଳ ଅଧିକାରିଣୀ ବିୟଲକ୍ଷ୍ମୀ ପଣ୍ଡାଙ୍କୁ ପଚାରିବାରୁ ଏ ଦିଗରେ ଧ୍ୟାନ ଦେବାକୁ ନେଇ ଛତୁଆ ଉତ୍ପାଦନକାରୀ ସଂସ୍ଥାମାନଙ୍କୁ ବାରମ୍ବାର ତାଗିଦ୍ କରାଯାଉଛି । ଏହାପରେ ବି ସେମାନଙ୍କ ଠାରେ ତ୍ରୁଟିବିଚ୍ୟୁତି ଲକ୍ଷ୍ୟ କରାଯାଉଛି ବୋଲି ସ୍ୱୀକାର କରିଛନ୍ତି । ଚଳିତ ମାସ ୨୩ ତାରିଖରେ ରାମେଶ୍ୱର ଛତୁଆ ଉତ୍ପାଦନ କେନ୍ଦ୍ରରେ ଯାଂଚକାରୀ ଦଳ ଉପସ୍ଥିତିରେ ଛତୁଆ ଓ ହାଲୁଆ ପ୍ରସ୍ତୁତରେ ବ୍ୟବହୃତ ସାମଗ୍ରି ମିଶ୍ରଣ କରାଯାଇଛି କି ନାହିଁ । ତାର ସନ୍ତୋଷଜନକ ଉତର ମିଳି ନଥିବା ବେଳେ ଜଣେ ଅଧିକାରିଣୀ ଦୁଇଦୁଇଟି ବ୍ଲକ ଦାଇତ୍ୱରେ ଅଛନ୍ତି । ତେବେ ସବୁ ବୁଝିବା ତାଙ୍କ ପକ୍ଷରେ ସମ୍ଭବପର ହୋଇପାରୁନାହିଁ ବୋଲି ସଫେଇ ଦିଆଯାଇଛି । ଏହାଛଡା ରାମେଶ୍ୱର ସ୍ୱୟଂ ସହାୟିକା ଗୋଷ୍ଠିର ସଭାନେତ୍ରୀ ସତ୍ୟଭାମା ରାଉତଙ୍କୁ ପଚାରିବାରୁ ତାଙ୍କୁ ମିଳୁଥିବା ସରକାରୀ ଅର୍ଥ ପର୍ଯ୍ୟାପ୍ତ ହେଉନାହଁ । ଫଳରେ ଛତୁଆ ଓ ହାଲୁଆର ମାନ ପରିଚାଳନା କରିବା ସମ୍ଭବପର ହେଉନାହିଁ । ହାୁଲୁଆରେ ଉଲ୍ଲେଖ ଥିବା ଓଜନର ପରିମାଣ ଠାରୁ ୨୪୦ ଗ୍ରାମ ହାଲୁଆ ଓଜନ କମ୍ ହେବା ନେଇ ସେ କେମିତି ଭୁଲରେ ହୋଇଯାଇଥିବ ବୋଲି ଅତି ହାଲୁକା ଭାବରେ ମତ ରଖିଥିଲେ ।
Related Stories
November 22, 2024