ପଟ୍ଟାମୁଣ୍ଡାଇ, ଗତକାଲି ରାତିରେ ଜନୈକା ନିଶାସକ୍ତ ଯୁବତୀଙ୍କ ଉନ୍ମତ କାଣ୍ଡ ପଟ୍ଟାମୁଣ୍ଡାଇ ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଯୁବତୀ ଜଣକ ପୁରୁଷ ପୋଷାକ ପିନ୍ଧିଥିବା ବେଳେ ଦିନତମାମ ସହରରେ ଏଣେତେଣେ ଘୁରି ବୁଲୁଥିବା ଦେଖା ଯାଇଥିଲା । ରାତିରେ ନିଶାସକ୍ତ ଅବସ୍ଥାରେ ସହରରେ ହଙ୍ଗାମା ଆରମ୍ଭ କରିଦେଇଥିଲେ ଏହି ଯୁବତୀ । ସମ୍ପୃକ୍ତା ଯୁବତୀଙ୍କର ପାଟିରୁ ଅନର୍ଗଳ ଯାତ୍ରା ସଂଳାପ ଭଳି ଡାଇଲଗ୍ ବାହାରୁଥିଲା । ମଝିରେ ମଝିରେ ସମ୍ପୃକ୍ତା ଯୁବତୀ ବଡ ପାଟିରେ କାନ୍ଦୁଥିବା ଦେଖିବାକୁ ମିଳୁଥିଲା ।
ନିଶାସକ୍ତ ଯୁବତୀ ସମାଜସେବା କରନ୍ତି ବୋଲି କହୁଥିବାବେଳେ ତାଙ୍କ ରୋଜଗାର ଅର୍ଥ ଗରିବଙ୍କୁ ବାଣ୍ଟୁଥିବା କହିବା ସହିତ ମଦ ପିଇବା ପରେ ମଧ୍ୟ ସେ ନିଜକୁ କଟ୍ରୋଂଲରେ ରଖନ୍ତି ବୋଲି ସଫେଇ ଦେଉଥିଲେ । କିନ୍ତୁ, ବାସ୍ତବରେ ପଟ୍ଟାମୁଣ୍ଡାଇ ବଜାରରେ ଦୀର୍ଘ ସମୟ ଧରି ନିଶାସକ୍ତ ଯୁବତୀ ହଙ୍ଗାମା କରୁଥିବାବେଳେ ସହରବାସୀ ଓ ପଥଚାରୀମାନେ ବହୁ ଅଡୁଆ ପରିସ୍ଥିତିରେ ପଡୁଥିଲେ । ଲୋକମାନଙ୍କ ଠାରୁ ଖବରପାଇ ପଟ୍ଟାମୁଣ୍ଡାଇ ଆଇଆଇସି ତପନ କୁମାର ରାଉତ ପୋଲିସ ପଠାଇ ନିଶାସକ୍ତ ଯୁବତୀଙ୍କୁ ଥାନାକୁ ଆଣି ଅଟକ ରଖିବା ସହିତ ତାଙ୍କ ପରିଚୟ ଓ ଠିକଣା ସମ୍ପର୍କରେ ପଚାରି ବୁଝିଥିଲେ । ସମ୍ପୃକ୍ତା ଯୁବତୀ କେନ୍ଦ୍ରାପଡା ବ୍ଲକ ଅଂଚଳର ହୋଇଥିବା ଜଣାପଡିବା ପରେ ପୋଲିସ ତାଙ୍କ ପରିବାର ଲୋକଙ୍କୁ ଖବର ଦେବା ସହିତ ଡାକ୍ତରୀ ମାଇନା କରାଇଥିଲେ । ପରେ ସମ୍ପୃକ୍ତା ଯୁବତୀଙ୍କୁ ପୋଲିସ ତାଙ୍କ ପରିବାର ଲୋକଙ୍କ ଜିମାରେ ଛାଡିଥିବା ଜଣାପଡିଛି ।