-
ମହୋଦଧିର ସୁରକ୍ଷା ଓ ପବିତ୍ରତା ପାଇଁ ଏକାଠି ହେଲେ ସଂଗଠନ
ପୁରୀ, ପୁରୀ ଜିଲ୍ଲା ସ୍ଵେଚ୍ଛାସବୀ ସଂଗଠନ ସାମ୍ମୁଖ୍ୟ ଦି ବେଲ୍ ତରଫରୁ ସ୍ଥାନୀୟ ନୀଳାଦ୍ରି ବିଚ୍ ଠାରେ ମହୋଦଧି ଦିବସ ପାଳିତ ହୋଇଛି । ପୁରୀ ଜିଲ୍ଲାର ୧୦ ରୁ ଉର୍ଦ୍ଧ୍ବ ଅଗ୍ରଣୀ ଅନୁଷ୍ଠାନକୁ ନେଇ ଆରମ୍ଭ ହୋଇଥିବା ଅନୁଷ୍ଠାନ ଦି ବେଲ୍ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ପତାକା ଉତୋଳନ ପୂର୍ବକ ବେଲ୍ ଅନୁଷ୍ଠାନର ଲୋଗୋ ଉନ୍ମୋଚନ କରାଯାଇଥିଲା ଏବଂ ସ୍କୁଲ୍ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱଚ୍ଛତା ସମ୍ପର୍କୀତ ଶପଥ ପାଠ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପୁରୀ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସୁଭାଷ ଚନ୍ଦ୍ର ନାଥଶର୍ମା ଅନୁଷ୍ଠାନର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହିତ ବର୍ତ୍ତମାନ ସମୟରେ ମହୋଦଧି ଦିବସ ଭଳି ଏକ ରଚନାତ୍ମକ ଚିନ୍ତାଧାରାରେ ସାମିଲ୍ ହୋଇ ସମୁଦ୍ରର ସ୍ୱଚ୍ଛତା ଓ ପବିତ୍ରତା ପାଇଁ ସମସ୍ତେ ଆଗେଇ ଆସିବା ଉଚିତ୍ ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ରୂପେ ପୁରୀ ଷ୍ଟେଟ୍ ବ୍ୟାଙ୍କ୍ ର ଡେପୁଟି ଜେନେରାଲ ମ୍ୟାନେଜର ପ୍ରଦୀପ୍ତ କୁମାର ଓଝା ସମାଜ ବିକାଶରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ବିଶେଷ ଭୂମିକା ରହିଛି ଏବଂ ଶ୍ରୀକ୍ଷେତ୍ର ବିକାଶ ଓ ମହୋଦଧିର ସ୍ୱଚ୍ଛତାରେ ସମସ୍ତେ ସାମିଲ୍ ହେଲେ ପୁରୀ ଭାରତର ଶ୍ରେଷ୍ଠ ସହର ରୂପେ ପରିଗଣିତ ହୋଇପାରିବ ବୋଲି କହିଥିଲେ ।
ଏହି ଅବସରରେ ସମୁଦ୍ର ଜୀବନ ରକ୍ଷକ ଆର୍. ପ୍ରକାଶ, ଜି. ସହଦେବ ଓ ବେଳାଭୂମି ସଫେଇ କର୍ମଚାରୀ ବି. ଦେବୀଙ୍କୁ ଅନୁଷ୍ଠାନ ତରଫରୁ ସେମାନଙ୍କ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଆୟୋଜିତ ବେଳାଭୂମି ଓ ସାମୁଦ୍ରିକ ଜିବଙ୍କ ସୁରକ୍ଷା ଶୀର୍ଷକ ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀ ଦୁଦୁଲ୍ ମହାନ୍ତି, ସ୍ୱରୂପ ନନ୍ଦ ଏବଂ ଆଦିତା ଚୌଧୁରୀ ଯଥାକ୍ରମେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ । ନିର୍ମାଣ ଅନୁଷ୍ଠାନ ର ସମ୍ପାଦକ ତଥା ଏହି ମିଳିତ ମଞ୍ଚ ଦି ବେଲ୍ ର ଆବାହକ ଶ୍ରୀ ସିଦ୍ଧାର୍ଥ ରାୟ ପ୍ରାରମ୍ଭରେ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ ଥିବାବେଳେ ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା ମଞ୍ଚ ସଞ୍ଚାଳନ କରିଥିଲେ ଏବଂ ଗ୍ରୀନ ଅମ୍ବ୍ରେଲା ଫାଉଣ୍ଡେସନର ସଭାପତି ରତ୍ତିକାନ୍ତ ପ୍ରତିହାରୀ ଅନୁଷ୍ଠାନ ତରଫରୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ସଂକଳ୍ପ ଫାଉଣ୍ଡେସନର ସଭାପତି ସୁଚରିତା ପାଢ଼ୀ, କଳିଙ୍ଗ ସର୍ଫେଶ୍ ଲାଇଫ ସେଭିଙ୍ଗ ସୋସାଇଟିର ସମ୍ପାଦକ ହରି ରାଓ, ସାଇ ଉଦୟ ଟ୍ରଷ୍ଟର ରାଜ କିଶୋର ପାତ୍ର, ସମର୍ପଣ ଟ୍ରଷ୍ଟ ର ବ୍ରଜକିଶୋର ସାହୁ, ଆମ ଶ୍ରୀକ୍ଷେତ୍ର ବାସି ଅନୁଷ୍ଠାନର ଶଙ୍କର ପଣ୍ଡା, ବୋଧି ଚକ୍ର ର ରମା ବଲଭ୍ ମହାପାତ୍ର, ଶ୍ରୀକ୍ଷେତ୍ର ଦୀବ୍ୟାଙ୍ଗ ସେବା ସଂଗଠନର ଗଜଲକ୍ଷ୍ମୀ ରାଏ, ଦି ମିରର ସଞ୍ଜୟ କୁମାର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।