ରାଉରକେଲା, ସୁନ୍ଦରଗଡ଼ ଜିଲ୍ଲାର ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ ମିଳୁ ନାହାନ୍ତି, ଲୋକେ ତାଙ୍କ ଦେଖାପାଉନାହାନ୍ତି, କାମ ଲାଗି ବାରମ୍ବାର ଯାଇ ସାଧାରଣ ଲୋକେ ଫେରୁଛନ୍ତି ଅଭିଯୋଗ ଆଣି ରାଉରକେଲା ସହରକୁ ଲାଗି ରହିଥିବା ହିଲଟପ୍ ବସ୍ତି ବାସୀ ବିଧାୟକଙ୍କର ଫଟୋ ଥାଇ ଅନେକ ନିଖୋଜ ପୋଷ୍ଟର ସେହି ଅଂଚଳରେ ମାରିବା ପରେ ଜିଲ୍ଲାରେ ବିଧାୟକ ଓ ସାଂସଦଙ୍କର କାମକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ଦୁଇ ଦିନ ତଳେ ଏଭଳି ଏକ ପୋଷ୍ଟରକୁ ସେହି ବସ୍ତିର କ୍ଲବ ଘର ଓ ଅନ୍ୟ ଯାଗାରେ ମରାଯାଇଥିବା ନେଇ ଚର୍ଚ୍ଚା ଧରିଥିଲା । ସେହି ବସ୍ତି ବାସିନ୍ଦାଙ୍କ କହିବା କଥା, ସମ୍ପୃକ୍ତ ଅଂଚଳରେ ପାନୀୟ ଜଳର ସମସ୍ୟା, ରାସ୍ତା, ପାଇଖାନା ଆଦି ସହ ସମସ୍ତ ପ୍ରକାର ସରକାରୀ ସୁବିଧା ପାଇବାରେ ଅଂଚଳ ବାସୀ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ନିର୍ବାଚନ ପରେ ଲୋକେ ବିଧାୟକଙ୍କୁ ଏନେଇ ଜଣାଇବାକୁ ଯାଇ ବାରମ୍ବାର ଫେରୁଛନ୍ତି, କିନ୍ତୁ ବିଧାୟକ ମିଳୁ ନାହାନ୍ତି । ତାଙ୍କ ପାଖ ଲୋକେ କହୁଛନ୍ତି ସେ ଭୁବନେଶ୍ୱରରେ ରହୁଛନ୍ତି । ତେଣୁ ଅଂଚଳ ବାସୀଙ୍କ ଠାରୁ ଭୋଟ୍ ପାଇ ବିଧାୟକ ହେବା ପରେ ଯଦି ଜଣେ ଲୋକଙ୍କ କଥା ବୁଝିଲେନି ତେଣୁ ଲୋକେ ତାଙ୍କୁ ଏଭଳି ନିଖୋଜ କରିଥିବା ଖବର ମିଳିଛି ।
ଖବରରୁ ଜଣାପଡିଛି ଯେ, ବିଧାୟକ ସୁବ୍ରତ ବାବୁ ଗତ ପ୍ରାୟ ଏକ ବର୍ଷ ଧରି ଲୋକଙ୍କ ପାଖରୁ ଦୂରେଇ ଯାଇଥିବା କୁହାଯାଉଛି । ଗତ କରୋନା ସମୟରୁ ସେ ଏକ ପ୍ରକାର ଆଉ ମିଳୁନଥିବା ଆଲୋଚନା ଚାଲିଛି । ଖାଲି ଏହି ଅଂଚଳ ନୁହେଁ, ଲାଠିକଟା, ସାରନଗରୀ ଅଂଚଳରେ ମଧ୍ୟ ଏହି ବାର୍ତା ପ୍ରଚାର ଚାଲିଛି । ତାଙ୍କ ପାଖରେ ଥିବା କିଛି ଲୋକେ ସାଧାରଣ ଲୋକଙ୍କୁ ଆଉ ପାଖ ପୁରାଉ ନଥିବାରୁ ଏଭଳି ସମସ୍ୟା ଦ୍ୱିଗୁଣିତ ହେବାରେ ଲାଗିଥିବା ଖବର ମିଳିଛି । ବିରୋଧୀ ଦଳ ମାନେ ଏଭଳି ମାମଲାରେ ଭୋଟ୍ ନେଇ ଜିତିବା ପରେ ବିଧାୟକ ଲୋକଙ୍କୁ ଠକିଛନ୍ତି ଓ ପ୍ରତାରିତ କରିଛନ୍ତି ବୋଲି ମତ ରଖିଛନ୍ତି । ତେବେ ରାଉରକେଲା ଓ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀ ଲାଗି ରହିଥିବା ବେଳେ ରାଉରକେଲା ନିର୍ବାଚନ ମଣ୍ଡଳୀରେ ବିଧାୟକ ସାରଦା ବାବୁ ନିୟମିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ଓ ଲୋକପ୍ରିୟ ହୋଇ ଚର୍ଚ୍ଚାରେ ରହିଥିବା ବେଳେ ନିକଟରେ ଥିବା ନିର୍ବାଚନମଣ୍ଡଳୀର ସୁବ୍ରତ ବାବୁଙ୍କର ଏଭଳି ଅବସ୍ଥା କାହିଁକି ବୋଲି ଆଲୋଚନା ଚାଲିଛି । ଜିଲ୍ଲାରେ ବିଜେଡିକୁ ରାସ୍ତା ଦେଖାଇ ଆଗେଇ ନେଉଥିବା ସାରଦା ବାବୁ ସୁବ୍ରତଙ୍କୁ କାହିଁକି ପରାମର୍ଶ ଦେଉନାଉହାନ୍ତି ନାଁ ସେ ତାଙ୍କ ପରାମର୍ଶ ନେଉନାହାନ୍ତି ବୋଲି ପ୍ରଶ୍ନ ହେଲାଣି । ସେପଟେ ଏଭଳି ପୋଷ୍ଟର ମରା ଅଭିଯାନ ପ୍ରଚାର ହେବା ପରେ ଅନ୍ୟ ବିଧାୟକ ମାନେ ମଧ୍ୟ ତତ୍ପର ହୋଇଉଠିଥିବା ଖବର ମିଳିଛି । ଯେଉଁମାନେ ନିର୍ବାଚନ ମଣ୍ଡଳୀରେ ଅଧିକ ସମୟ ଦେଉନଥିଲେ ଏବେ ସେମାନେ ସଚେତନ ହେଉଥିବା ଖବର ମିଳିଛି । ଏହି ପୋଷ୍ଟର ମରା କାମ ପରେ ଏହାର ପ୍ରଭାବ ଆଗାମୀ ନିର୍ବାଚନ ଉପରେ ପଡିବାର ସମ୍ଭାବନା ରହୁଥିବା ମଧ୍ୟ ଆଲୋଚନା ଚାଲିଛି । ତେବେ ଆଜି ସେହି ଅଂଚଳକୁ ବିଧାୟକଙ୍କର ସମର୍ଥକ ମାନେ ଯାଇ ଲୋକଙ୍କୁ ବୁଝାଶୁଝା କରି ଏକ ମାସ ଭିତରେ ସମସ୍ୟାର ସମାଧାନ କରାଯିବ ବୋଲି କହିଥିବା ବେଳେ ବିଧାୟକଙ୍କ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର ବୋଲି କେତେକ ମତ ଦେଇଛନ୍ତି । ତେବେ ଏନେଇ ବିଧାୟକ ସୁବ୍ରତଙ୍କର ପ୍ରତିକ୍ରିୟା ନେବାକୁ ଉଦ୍ୟମ କରାଯାଇଥିଲେ ସୁଦ୍ଧା ତାହା ସମ୍ଭବ ହୋଇପାରିନାହିଁ ।