-
ଅଭିଶପ୍ତ ଜୀବନ ବିତାଉଛନ୍ତି ଅଞ୍ଚଳବାସୀ
କନ୍ଧମାଳ, ବଣ ପାହାଡ଼ ଘେରା କନ୍ଧମାଳ ଜିଲ୍ଲା । ପ୍ରକୃତି କୋଳରେ ବସବାସ କରନ୍ତି ଅଧିକାଂଶ ଅନୂସୁଚିତ ଜାତି ଓ ଜନଜାତି ବର୍ଗର ଲୋକେ । ପ୍ରଶାସନିକ ଅବହେଳା କାରଣରୁ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ନିରୀହ ଗ୍ରାମବାସୀ । ନା ଅଛି ରାସ୍ତା, ନାଅଛି ବିଜୁଳି ଆଲୁଅ ନା ଅଛି ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା । ଶିକ୍ଷା ଓ ସ୍ବାସ୍ଥ୍ୟ କଥା ନକହିବା ଭଲ । ଏଭଳି ଅଭିଶପ୍ତ ଜୀବନ ବିତାଉଛନ୍ତି ତିନୋଟି ଗ୍ରାମର ୨୦୦ ରୁ ଉର୍ଦ୍ଧ୍ବ ପରିବାର । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଦାସିଙ୍ଗିବାଡି ଗ୍ରାମପଞ୍ଚାୟତର ଗଡ଼ାପାକାଲି, ଦାଲାଗାଡୁ ଓ ପ୍ରାହେଡ଼ିପଙ୍ଗା ଗ୍ରାମରେ ସ୍ଥିତି ପରଖିବା ପାଇଁ ପହଁଚିଥିଲେ ଆମ ପ୍ରତିନିଧି ।
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଦାସିଙ୍ଗିବାଡ଼ି ଗ୍ରାମ ପଞ୍ଚାୟତର ଗଡ଼ାପାକାଲି ଗାଁ । ଏହି ଗାଁକୁ ମୁଖ୍ୟ ରାସ୍ତାରୁ ପାଖାପାଖି ୧୫ କିଲୋମିଟର ଅଙ୍କାବଙ୍କା, ଖାଲଢିପ ପାହାଡ଼ିଆ ରାସ୍ତାରେ ଯିବାକୁ ପଡ଼େ । ଗାଁ ରେ ପାଖାପାଖି ୩୦ରୁ ୪୦ ପରିବାର ବସବାସ କରନ୍ତି । ସମସ୍ତେ ପ୍ରାୟତଃ ଖଟିଖିଆ ଶ୍ରେଣୀର ଲୋକେ । ଗଡ଼ାପାକାଲି ଗାଁ ରେ ଏକ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଅଛି, ହେଲେ ଶ୍ରେଣୀଗୃହ ଓ ଅଙ୍ଗନଓ୍ବାଡ଼ି ଗୃହ ଏଯାବତ୍ ନିର୍ମାଣ ହୋଇପାରିନାହିଁ । ଫଳରେ ଭଙ୍ଗା ଦଦରା କୁଡ଼ିଆ ଘରେ ଖରାବର୍ଷା ଶୀତରେ ୨୮ ଜଣ ପିଲିଙ୍କ ଭବିଷ୍ୟତ ଗଢ଼ା ଚାଲିଛି ତିନି ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ବାରା । ବିଦ୍ୟାଳୟ ଗୃହ ଓ ଅଙ୍ଗନଓ୍ବାଡ଼ି ଗୃହ ନିର୍ମାଣ କରାଗଲେ ନିଜେ ସୁରକ୍ଷିତ ରହିବା ସହ ଠିକ୍ ଭାବରେ ଶିକ୍ଷାଦାନ ହୋଇପାରନ୍ତା ବୋଲି କହିଛନ୍ତି ଶିକ୍ଷୟତ୍ରୀ ଓ ଅଭିଭାବକ ।
ରାସ୍ତା ଅଭାବରୁ ଗାଁର କୌଣଶି ବିକାଶ ହୋଇପାରୁନାହିଁ । ଏଥିସହିତ ଗାଁକୁ ବିଜୁଳି ଆଲୁଅ ସାତସପନ ହୋଇପଡ଼ିଥିବା ବେଳେ ବିଶୁଦ୍ଧ ପାନୀୟ ଜଳର ଅଭାବ ରହିଛି । ଫଳରେ ଲୋକେ ନଦୀ, ନାଳ, ଚୁଆ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ଯୋଗୁଁ ଗାଁ କୁ ପହଞ୍ଚି ପାରୁନାହିଁ ଆମ୍ବୁଲାନ୍ସ । ଗର୍ଭବତୀ ମହିଳାଙ୍କୁ ବୋହି ଡାକ୍ତରଖାନା ନେବାବେଳେ ଅନେକ ମହିଳା ରାସ୍ତା ଘାଟରେ ପ୍ରସବ କରୁଥିବା ବେଳେ ଅନେକ ରୋଗୀ ଡାକ୍ତରଖାନା ପହଞ୍ଚି ନପାରି ଅକାଳ ମୃତ୍ୟୁବରଣ କରିଥିବା ନଜିର ରହିଛି । ଗଡ଼ାପାକାଲି ଗାଁ ସମେତ ଦାଲାଗାଡୁ ଓ ପ୍ରାହେଡ଼ିପଙ୍କା ଗ୍ରାମର ୨୦୦ରୁ ଉର୍ଦ୍ଧ୍ବ ପରିବାର ଦୈନନ୍ଦିନ ଜୀବନରେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ସେପଟେ ଏନେଇ ଦାରିଙ୍ଗବାଡ଼ି ବିଡ଼ିଓ ଗଦାଧର ପାତ୍ରଙ୍କୁ ଯୋଗାଯୋଗ କରିବାରୁ ଆମେ ଏ ବିଷୟରେ ଅବଗତ ଅଛୁ । ଖୁବଶୀଘ୍ର ରାସ୍ତା ନିର୍ମାଣ ସହ ଅଞ୍ଚଳର ଅନ୍ୟାନ୍ୟ ସମସ୍ୟା ସୁଧାରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛୁ ବୋଲି ପ୍ରତିକ୍ରିୟାରେ କହିଛନ୍ତି । ହେଲେ ପ୍ରଶାସନର ପ୍ରତିଶୃତି କେତେ କାର୍ଯ୍ୟକାରୀ ହେଉଛି ଏବଂ ଅଞ୍ଚଳବାସୀଙ୍କ ସମସ୍ୟା କେବେ ସୁଧୁରୁଛି ତାହା ଦେଖିବାକୁ ବାକି ରହିଲା ।