-
କୋର୍ଟଙ୍କ ନିର୍ଦ୍ଦେଶକୁ ଡ଼ାକ୍ତର ସ୍ୱାମୀଙ୍କ ଅବମାନନା
-
ସୁମିତ୍ ଅସୁସ୍ଥ ଥିବା ଦର୍ଶାଇଲେ ଓକିଲ
-
ତପସ୍ୱିନୀଙ୍କ ପକ୍ଷରୁ ଥାନାରେ ଏତଲା
ଗଞ୍ଜାମ,ବ୍ରହ୍ମପୁର ସହର ବ୍ରହ୍ମାନଗର ଦ୍ୱିତୀୟ ଲେନ୍ ର ତପସ୍ୱିନୀ ଦାଶ ନାମ୍ନୀ ଜଣେ ନବ ବିବାହିତା ମହିଳାଙ୍କୁ ଶାଶୁଘର ଲୋକେ ଶାରିରୀକ ଓ ମାନସିକ ନିର୍ଯାତନା ଦେବା ଘଟଣାରେ ନବବଧୂ ତପସ୍ୱିନୀଙ୍କୁ ଡ଼ାକ୍ତର ସ୍ୱାମୀ ସୁମିତ ସାହୁଙ୍କ ସହିତ ପ୍ରଥମେ ସାତ ଦିନ ଏକାଠି ରହିବା ପାଇଁ ବ୍ରହ୍ମପୁର ଏସଡ଼ିଜେଏମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ଅବଧି ଗତ ୯ ତାରିଖରେ ଶେଷ ହେବା ପରେ ଡାକ୍ତର ସୁମିତ ଓ ପତ୍ନୀ ତପସ୍ୱିନୀ ଆସନ୍ତା ୧୭ ତାରିଖ ଯାଏ ଏକତ୍ର ଆସିକାରେ ଭଡ଼ା ଘରେ ରହିବାକୁ କୋର୍ଟ ପରବର୍ତି ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କର ହେପାଜତ କରିବେ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ । ମାମଲାର ପରବର୍ତି ଶୁଣାଣି ଆସନ୍ତା ୧୭ ତାରିଖରେ ହେବା ନେଇ କୋର୍ଟ ଦିନଧାର୍ଯ୍ୟ କରିଛନ୍ତି । ତେବେ ଇତିମଧ୍ୟରେ ତପସ୍ୱିନୀଙ୍କୁ ଛାଡ଼ି ଡାକ୍ତର ସ୍ୱାମୀ ସୁମିତ ପଳାଇଥିବା ଅଭିଯୋଗ ହୋଇଛି । ତପସ୍ୱିନୀଙ୍କ ଏହି ଅଭିଯୋଗ ପରେ ମୁହଁ ଖୋଲିଛନ୍ତି ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରା । ସେ କହିଛନ୍ତି ଯେ, ସୁମିତ୍ କୁଆଡେ ଯାଇନାହାଁନ୍ତି, ସେ ତାଙ୍କ ହେର୍ଡ଼କ୍ୱାର୍ଟର ବାଲିସିରା ଅଂଚଳରେ ଅଛନ୍ତି । ବର୍ତମାନ ସୁମିତ୍ ଅସୁସ୍ଥ ଅଛନ୍ତି । ଅସୁସ୍ଥତା ଯୋଗୁଁ ସେ ମେଡ଼ିକାଲରୁ ୫ ଦିନ ପାଇଁ ଛୁଟି ନେଇ ତାଙ୍କ ବନ୍ଧୁଙ୍କ ଘରେ ବିଶ୍ରାମ ନେଉଛନ୍ତି । ଏବଂ ତପସ୍ୱିନୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ଓକିଲ ଶ୍ରୀ ବେହେରା ।
ଅନ୍ୟପକ୍ଷରେ ସ୍ୱାମୀ ସୁମିତଙ୍କୁ ପାଉ ନଥିବା ଅଭିଯୋଗ କରିଛନ୍ତି ପତ୍ନୀ ତପସ୍ୱିନୀ । ଗତକାଲି ସକାଳେ କେହି ଜଣେ ଆସି ସୁମିତଙ୍କୁ ସ୍କୁଟିରେ ନେଇଯାଇଥିବା ତପସ୍ୱିନୀ କହିଛନ୍ତି । ତପସ୍ୱିନୀ ଏନେଇ ତାଙ୍କ ଓକିଲ ପ୍ରଦୀପ ବେହେରାଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଛନ୍ତି । ଓକିଲ ପ୍ରଦୀପ କହିଛନ୍ତି ଯେ, ସୁମିତ ଯଦି ପ୍ରକୃତରେ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ସହ ତପସ୍ୱିନୀଙ୍କୁ ପ୍ରତାରଣା କରି ସେଠାରୁ ଚାଲି ଯାଇଥାନ୍ତି । ତେବେ ଆଗାମୀ ଦିନରେ ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜ୍ଜୁ ହେବ ।ଅପରପକ୍ଷରେ ତପସ୍ୱିନୀ ଆସିକା ଥାନାରେ ସୁମିତଙ୍କ ବିରୋଧରେ ଏତଲା କରିଛନ୍ତି । ଆସିକା ଚିନିଶିଳ୍ପ ଅତିଥି ଭବନରେ ସେ ଦୀର୍ଘ ୨୪ ଘଂଟା ସୁମିତଙ୍କୁ ଅପେକ୍ଷା କରି ନିରାଶ ହେବାପରେ ଆସିକା ଥାନାକୁ ଯାଇ ଗତକାଲି ରାତିରେ ସୁମିତ ନିଖୋଜ ଥିବା ସମ୍ପର୍କରେ ଏତଲା କରିଛନ୍ତି । ଏତଲାକୁ ଭିତି କରି ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି । ତେବେ ମାମଲାରେ ଜଜ୍ ପରବର୍ତୀ ପଦକ୍ଷେପ କ’ଣ ଗ୍ରହଣ କରୁଛନ୍ତି, ତାହା ଉପରେ ଜନସାଧାରଣଙ୍କ ନଜର ରହିଛି ।