-
ପୋଲିସ କମିଶନରଙ୍କ ବିରୁଦ୍ଧରେ ହେଉ କାର୍ଯ୍ୟାନୁଷ୍ଠାନ, ନ ହେଲେ ହେବ ଆନ୍ଦୋଳନ
ଭୁବନେଶ୍ୱର ,କମିଶନରେଟ ପୋଲିସ କଂଗ୍ରେସ ଭବନରେ ପଶି ମାଡ ମରା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଦାବି କରିଛନ୍ତି । ଏହି ମାମଲାରେ ଜାଂଚ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରା ଗଲେ କଂଗ୍ରେସ ଦଳ କମିଶନରେଟ ପୋଲିସ କାର୍ଯ୍ୟାଳୟ ଘେରାଉ କରିବ ବୋଲି ସେ ଚେତାବନୀ ଦେଇଛନ୍ତି ।
ସେ ପୋଲିସ କମିଶନରଙ୍କୁ ଚାଲେଂଜ ଦେଇ କହିଛନ୍ତି ଯେ କଂଗ୍ରେସ କର୍ମୀ ପଥର ମାରିବା ପ୍ରମାଣିତ କଲେ ସେ ରାଜନୀତି ଛାଡିଦେବେ । ହେଲେ ତାହା ପ୍ରମାଣିତ କରିନପାରିଲେ ପୋଲିସ କମିଶନର ତାଙ୍କ ଚାକିରି ଛାଡିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି । ପୋଲିସ କଂଗ୍ରେସ ଭବନ ଭିତରକୁ ଢେଲା ମାରିଛି । ତେଣୁ ପୋଲିସ କମିଶନରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି ।
ଉଲ୍ଲେଖନୀୟ ଯେ ଗତକାଲି ପିସିସି ଅଫିସରେ ପଶି ପୋଲିସର ମାଡ଼ ମାରିଥିଲା । ଏହି ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଥିଲା କଂଗ୍ରେସ । କଂଗ୍ରେସ ମାମଲାର ନ୍ୟାୟିକ ତଦନ୍ତ କରିବାକୁ ଦାବି କରିଥିଲା । ପୋଲିସ୍ ମାନବାଧିକାର ଉଲ୍ଲଘଂନ କରିଛି । ଗୋଡ଼ାଇ ଗୋଡ଼ାଇ ପିଟିବା, ପିସିସି ଅଫିସ୍ ଭିତରେ ଆତଙ୍କ ଖେଳାଇବା ଭଳି କାର୍ଯ୍ୟ ପୋଲିସ୍ କରିଛି ବୋଲି କଂଗ୍ରେସ ପକ୍ଷରୁ କୁହା ଯାଇଥିଲା ।