ମାଲକାନଗିରି, ଧାନ ବିକିବାକୁ ଚାହିଁ ରହିଛନ୍ତି ଚାଷୀ । ଲ୍ୟାମ୍ପ କର୍ମକର୍ତ୍ତାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ମଣ୍ଡି ନେଇ ଅନିଶ୍ଚିତତା ଦେଖାଦେଇଛି । ଏପରି ସ୍ଥଳେ, ଆସନ୍ତା ୧୫ ତାରିଖ ମଧ୍ୟରେ ମଣ୍ଡି ନଖୋଲିଲେ ୧୬ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦିଆଯିବା ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଦଳର ଏକ ବୈଠକରେ ଏହା ସ୍ଥିର କରାଯାଇଛି । ୧୫ ତାରିଖରୁ ମଣ୍ଡି ଖୋଲିବାକୁ ବ୍ୟବସ୍ଥା କରାଯାଉଥିବା ଜିଲ୍ଲା ଯୋଗଣ ଅଧିକାରୀ କହିଛନ୍ତି । ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ଵରେ ବୈଠକ ହୋଇଥିଲା । ଶତାଧିକ କର୍ମୀ ଓ ନେତା ଏଥିରେ ସାମିଲ୍ ହୋଇଥିଲେ । ପରେ କର୍ମୀମାନେ ଏକ ଶୋଭାଯାତ୍ରାରେ ଦଳୀୟ ଭବନରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ଜିଲ୍ଲାଯୋଗାଣ ଅଧିକାରୀ ଅଜୟ କୁମାର ରଥଙ୍କୁ ଭେଟି ସମସ୍ୟା ଜଣାଇବା ସହ ଦାବିପତ୍ର ଦେଇଥିଲେ । ଏଥି ସହ ତୁରନ୍ତ ଜିଲ୍ଲାରେ ମଣ୍ଡି ଖୋଲିବାକୁ ଦାବି କରିଥିଲେ ।