ମାଲକାନଗିରି, ପିଢି ପିଢି ଧରି କୋଣ୍ଡାରେଡି ସମ୍ପ୍ରଦାୟର ଜନସାଧାରଣ ଆଦିବାସୀ ଜନଜାତି ମାନ୍ୟତା ପାଇଁ ବିକ୍ଷୋଭ ଓ ଆନ୍ଦୋଳନ କରୁଛନ୍ତି । ୨୦୧୧ ମସିହାରେ ପୂର୍ବତନ ଜିଲାପାଳ ଆର୍ . ଭିନିଲ କ୍ରିଷ୍ଣାଙ୍କୁ ମାଓବାଦୀ ଅପହରଣ ସମୟରେ ମୁକ୍ତି ପାଇଁ ଯେଉଁ କେତୋଟି ଦାବି ଥିଲା ତା ମଧ୍ୟରେ କୋଣ୍ଡାରେଡି଼ ଜନଜାତିକୁ ଆଦିବାସୀ ମାନ୍ୟତା ଦେବା ମୁକ୍ତି ପାଇଁ ଚୁକ୍ତିର ପ୍ରମୁଖ ଦାବି ଥିଲା । ରାଜ୍ୟ ସରକାର ସେ ସମୟରେ ପ୍ରତିଶ୍ରୁତି ଦେଇଥିବା ବେଳେ ଘଟଣାକୁ ୧୦ ବର୍ଷ ବିତିଲାଣି । ସରକାର ଅଦ୍ୟାବଧୀ ଏହି ଜନସାଧାରଣଙ୍କୁ ଜନଜାତି ମାନ୍ୟତା ଦେଇ ନାହାନ୍ତି ।
ଗତ କିଛିଦିନ ପୂର୍ବେ ନବରଙ୍ଗପୁର ସାଂସଦ ରମେଶ ମାଝି ବୈପାରିଗୁଡା ଅଞ୍ଚଳର ଦୁରୁଆ ସମ୍ପ୍ରଦାୟଙ୍କୁ ଆଦିବାସୀ ମାନ୍ୟତା ପ୍ରସଙ୍ଗରେ ସଂସଦରେ ତାଙ୍କର ଦାବି ରଖି ଥିଲେ । ଏହି କୋଣ୍ଡାରେଡି ସମ୍ପ୍ରଦାୟଙ୍କ ସମ୍ପର୍କରେ କୌଣସି ମତ ଦେଇ ନ ଥିବାରୁ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ଚିତ୍ରକୋଣ୍ଡା ଓ କାଲିମେଳା ବ୍ଲକର ପାପୁଲୁର, କୁର୍ମାନୁର, କପାତୁଟି, ମାନ୍ୟମକୋଣ୍ଡା, ନୂଆଗୁଡା, ଗୁଣ୍ଠାବେଡ , ଦୋରାଗୁଡା ଭଳି ୨୦ରୁ ଉର୍ଦ୍ଧ୍ବ ପଞ୍ଚାୟତରେ ୩୦ ହଜାରରୁ ଊର୍ଦ୍ଧ୍ବ ଏହି ସମ୍ପ୍ରଦାୟର ଲୋକେ ବସବାସ କରନ୍ତି । ଆନ୍ଧ୍ରପ୍ରଦେଶରେ କୋଣ୍ଡାରେଡି ସମ୍ପ୍ରଦାୟଙ୍କୁ ଆଦିବାସୀ ମାନ୍ୟତା ଦିଆଯାଇଥିବା ବେଳେ ଓଡ଼ିଶାରେ ଉପେକ୍ଷା କରାଯାଉଛି । ଆଦିବାସୀ ମାନ୍ୟତା ଦିଆଯାଇ ନଥିବାରୁ ଜଙ୍ଗଲ ଜମି ପଟ୍ଟା, କୋଣ୍ଡାରେଡି ସମ୍ପ୍ରଦାୟ ପିଲା ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ବ ଏହି ସମ୍ପ୍ରଦାୟର ଛାତ୍ରଛାତ୍ରୀ ରହିଥିବା ବେଳେ ଜାତିଗତ ପ୍ରମାଣପତ୍ର ପାଇପାରୁନାହାନ୍ତି ।
କୋଣ୍ଡାରେଡି ସମ୍ପ୍ରଦାୟର ରାମାରାଓ ମାଝି କହିଛନ୍ତି ଯେ, ସରକାରଙ୍କ ବିଫଳତା ଯୋଗୁଁ ଉକ୍ତ ଅଞ୍ଚଳରେ ମାଓବାଦୀଙ୍କର ଉପଦ୍ରବ ବୃଦ୍ଧି ପାଇଛି । ଯଦି ଏହି ଅଞ୍ଚଳର ଲୋକଙ୍କର ପ୍ରକୃତ ବିକାଶ କରାଯାଏ, ତାହାହେଲେ ମାଓବାଦୀ ସମସ୍ୟା ଆପେ ଆପେ ଦୂର ହୋଇଯିବ । ଆଦିବାସୀ ମାନ୍ୟତା ପାଇଁ ଏହି ସମ୍ପ୍ରଦାୟ ପକ୍ଷରୁ ଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ଯାଇ ପୂର୍ବତନ ମନ୍ତ୍ରୀ ଜୟରାମ ରମେଶ ସମେତ ଜୁଏଲ ଓରାମ ଆଦିବାସୀ ମନ୍ତ୍ରୀ ଥିବା ସମୟରେ ମଧ୍ୟ ଏହି ସମ୍ପ୍ରଦାୟ ପକ୍ଷରୁ ତାଙ୍କୁ ଲିଖତ ଭାବେ ଅନୁରୋଧ କରାଯାଇଥିଲା । ସମସ୍ତ ପ୍ରତିଶୃତି ଦେବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ତୁରନ୍ତ ଯଦି ସେମାନଙ୍କୁ ଆଦିବାସୀ ମାନ୍ୟତା ଦିଆନଗଲେ ଆଗାମୀ ନିର୍ବାଚନକୁ ବର୍ଜନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।