କେନ୍ଦୁଝର, କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ନବ ନିର୍ମିତ ସିନ୍ଥେଟିକ ହ୍ୟାଣ୍ଡବଲ ଷ୍ଟାଡିୟମରେ ପ୍ରଥମ ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହୋଇଛି । ଏଥିରେ କେନ୍ଦୁଝର ମହିଳା ଏ’ ଓ ବି’ ଏବଂ ପୁରୁଷ ଏ’ ଓ ବି’ ମଧ୍ୟରେ ଏହି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ଚିତାକର୍ଷକ ମ୍ୟାଚ ନବ ନିର୍ମିତ ସିନ୍ଥେଟିକ କୋର୍ଟରେ ଅନୁଷ୍ଠିତ ହୋଇଥିଲା । କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଖେଳାଳୀ ଓ ଖେଳପ୍ରେମୀ ମାନଙ୍କୁ ଉଦବୋଧନ ଦେବା ଅବସରରେ କହିଥିଲେ ଯେ, ଏହି ଅତ୍ୟାଧୁନିକ ହ୍ୟାଣ୍ଡବଲ ଷ୍ଟାଡିୟମ ପ୍ରତିଷ୍ଠା ଫଳରେ ଖେଳାଳୀ ଓ ଖେଳପ୍ରେମୀ ମାନଙ୍କର ବହୁ ଦିନର ସ୍ୱପ୍ନ ପୁରଣ ହୋଇଛି । ଏଠାରେ ଆନ୍ତର୍ଜତୀୟ ମାନର ସିନ୍ଥେଟିକ ହ୍ୟାଣ୍ଡବଲ କୋର୍ଟର ବ୍ୟବସ୍ଥା କରାଯାଇଛି । ଯାହାକି ରାଜ୍ୟର ପ୍ରଥମ । ଏବଂ ଏହା ଖେଳାଳୀ ମାନଙ୍କୁ ନିଜର ଉତ୍କର୍ଷତା ପ୍ରତିପାଦନ କ୍ଷେତ୍ରରେ ସହାୟକ ହେବ । କେନ୍ଦୁଝର ଜିଲ୍ଲାରେ ଆନ୍ତର୍ଜାତିକ ମାନର ବ୍ୟବସ୍ଥା ରହିଥିବା ଏହି ହ୍ୟାଣ୍ଡବଲ ଷ୍ଟାଡିୟମରେ ରାତ୍ରୀବେଳା ଖେଳ ପାଇଁ ଆଲୋକର ବ୍ୟବସ୍ଥା ରହିଛି । ଆନ୍ତର୍ଜାତିକ ହ୍ୟାଣ୍ଡବଲ ଫେଡେରେସନ ମାନଙ୍କୁ ଅନୁସରଣ କରି ଏହା ନିର୍ମିତ ହୋଇଛି । ଷ୍ଟାଡିୟମ ଭିତରେ ଚାଲିବା ପାଇଁ ପାଥୱେ, ଓପନ ଜିମ୍, ଆକ୍ୟୁପ୍ରେସର, ଟ୍ରାକ୍, ଶିଶୁମାନଙ୍କର ଖେଳିବା ପାଇଁ ବ୍ୟବସ୍ଥା, ପାନୀୟ ଜଳ, ଶୌଚାଳୟ ବ୍ୟବସ୍ଥା ରହିଛି । ଏଭଳି ସିନ୍ଥେଟିକ କୋର୍ଟ ହ୍ୟାଣ୍ଡବଲ ଷ୍ଟାଡିୟମ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ଅନେକ ଆନ୍ତର୍ଜାତିକ ସ୍ତରର ଖେଳାଳୀ ସୃଷ୍ଟି କରିବାରେ ସହାୟକ ହେବ ବୋଲି ଜିଲ୍ଲାପାଳ ଠାକରେ କହିଥିଲେ । ଏତଦ୍ ବ୍ୟତିତ ଶଙ୍କରପୁର ଠାରେ ଧରଣୀଧର ସ୍ପୋର୍ଟସ କମ୍ପେକ୍ସ ଆଧୁନିକକରଣ କରାଯାଉଛି । ଏସ.ପି. ମିତ୍ରଭାନୁ ମହାପାତ୍ର , ଡି.ଏଫ.ଓ. ଧନରାଜ ଏଚ.ଡି. ଏହି ସମାରୋହରେ ଉଦବୋଧନ ଦେଇ କହିଥିଲେ ଯେ, କେନ୍ଦୁଝର ଠାରେ ବିଶ୍ୱମାନର ସିନ୍ଥେଟିକ କୋର୍ଟର ବ୍ୟବସ୍ଥା ସହ ହ୍ୟାଣ୍ଡବଲ ଷ୍ଟାଡିୟମ ନିର୍ମାଣ ଏକ ଗୌରବର ବିଷୟ । ହ୍ୟାଣ୍ଡବଲ କ୍ରିଡ଼ାରେ କେନ୍ଦୁଝର ଜିଲ୍ଲାର ସମୃଦ୍ଧ ପରମ୍ପରା ରହିଛି । ଏହି ନବ ନିର୍ମିତ ଅତ୍ୟାଧୁନିକ ହ୍ୟାଣ୍ଡବଲ ଷ୍ଟାଡିୟମ ସେହି ପରମ୍ପରାକୁ ଅଧିକ ରୁଦ୍ଧିମନ୍ତ କରିବା ସହ ଅଧିକ ଆନ୍ତର୍ଜାତିକ ସ୍ତରରେ ଖେଳାଳୀ ସୃଷ୍ଟି କରି ଜିଲ୍ଲା, ରାଜ୍ୟ ତଥା ଦେଶର ସୁନାମ ବର୍ଦ୍ଧନ କରିବାରେ ସହାୟକ ହେବ ବୋଲି କହିଥିଲେ । ଏବଂ ଖେଳାଳୀ ମାନଙ୍କର ଉତରତର ଉନ୍ନତି କାମନା କରିଥିଲେ ।
ବେଶ୍ ରୋମାଚଂକର ହୋଇଥିଲା ଏହି ପ୍ରଦର୍ଶନୀ ହ୍ୟାଣ୍ଡବଲ ମ୍ୟାଚ୍ । ସିନ୍ଥେଟିକ କୋର୍ଟରେ ଖେଳିଥିବା କାରଣରୁ ଖେଳାଳୀମାନେ ବେଶ୍ ଉତ୍ସାହିତ ଥିବା ପରିଲିକ୍ଷିତ ହୋଇଥିଲା । ପ୍ରଥମ ପ୍ରଦର୍ଶନୀ ମ୍ୟାଚରେ ମହିଳା ବର୍ଗରେ ବି’’ ଦଳ ଏ’ ଦଳକୁ ୯-୩ ଗୋଲରେ ପରାସ୍ତ କରିଥିବା ବେଳେ ପୁରୁଷ ବର୍ଗରେ ବି ଦଳ ଏ ଦଳକୁ ୧୪ – ୫ ଗୋଲରେ ପରାସ୍ତ କରିଥିଲା ।ଏଥିରେ ଅମ୍ପାୟାର ଭାବରେ ସସ୍ମିତା ବିଶ୍ୱାଳ, ରଶ୍ମି ରଞ୍ଜନ, ପ୍ରକାଶ ପ୍ରଧାନ ଏବଂ ପ୍ରଦୋଷ ପ୍ରଧାନ ଖେଳ ପରିଚାଳନା କରିଥିଲେ ।