
ଭୁବନେଶ୍ୱର, ବିଧାନସଭାର ଚଳିତ ଅଧିବେଶନରେ ରାଜ୍ୟବାସୀଙ୍କ ସ୍ୱାର୍ଥସମ୍ବଳିତ ବିଷୟ ଓ ମୌଳିକ ଦାବୀକୁ ବିଧାନସଭାରେ ଆଲୋଚନା କରିବାକୁ ବିରୋଧୀ ଦଳକୁ ସୁଯୋଗ ଦିଆଯାଇନାହିଁ । ବାଚସ୍ପତି ଗୃହ କାର୍ଯ୍ୟ ପରିଚାଳନାରେ ନିରପେକ୍ଷତା ଅବଲମ୍ବନ କରୁନାହାନ୍ତି । ଧାର୍ଯ୍ୟ ଦିବସ ପୂର୍ବରୁ ଅଗଣତାନ୍ତ୍ରୀକ ଓ ଅସାମ୍ବିଧାନିକ ଭାବରେ ବିଧାନସଭା ଅଧିବେସନକୁ ବାଚସ୍ପତି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦେଇଥିବା ଅଭିଯୋଗ କରି ରାଜ୍ୟପାଳଙ୍କ ନିକଟରେ ଭାରତୀୟ ଜନତାପାର୍ଟି ବିଧାୟକଗଣ ଅଭିଯୋଗ କରିଛନ୍ତି ।
ଓଡ଼ିଶା ବିଧାନସଭା ବାଚସ୍ପତି ମହୋଦୟ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରି ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ ଭାବରେ ବିଧାନସଭାକୁ ପରିଚାଳନା କରୁଥିବାରୁ ସାମ୍ବିଧାନିକ ସଙ୍କଟ ପରିସ୍ଥିତି ସୃଷ୍ଟି ହେଉଥିବା ଅନୁଭବ କରି ତାଙ୍କ ବିରୁଦ୍ଧରେ ନିମ୍ନଲିଖିତ ଅଭିଯୋଗ ଉପସ୍ଥାପନ କରାଯାଇଛି ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଜଣାଇଛନ୍ତି ।
ନିୟମ ଅନୁଯାୟୀ ବିଧାନସଭାରେ ବର୍ଷରେ ଅତିକମରେ ୬୦ଟି କାର୍ଯ୍ୟ ଦିବସ ସହ ତିନୋଟି ଅଧିବେଶନ ବସିବାର ନିୟମ ରହିଛି । କିନ୍ତୁ ଓଡ଼ିଶା ଷୋଡଶ ବିଧାନସଭାର ୨୦୧୯/୨୦୨୦/୨୦୨୧ ବର୍ଷରେ ୧୮୦ଟି କାର୍ଯ୍ୟ ଦିବସ ସହ ୯ଟି ଅଧିବେଶନ ବସିବା ପରିବର୍ତେ ଆଜିସୁଦ୍ଧା ୧୧୨ ଟି କାର୍ଯ୍ୟ ଦିବସ ସହ ମାତ୍ର ୮ଟି ଅଧିବେସନ ଅନୁଷ୍ଠିତ ହୋଇଛି । ଅଷ୍ଟମ ଅଧିବେସନ ପାଇଁ ୩୧ଟି କାର୍ଯ୍ୟଦିବସ ସ୍ଥୀରୀକୃତ କରାଯାଇଥିଲା ବେଳେ ଅଧିବେସନ ସମାପନ ଦିବସର ୧୭ ଦିନ ପୂର୍ବରୁ ଅଗଣତାନ୍ତ୍ରିକ ଓ ଅସମ୍ବିଧାନିକ ଭାବରେ ଗୃହକୁ ବନ୍ଦକରି ଦିଆଯାଇଛି । ଗୃହର ନେତା ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ଦଳୀୟ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାକୁ ବାରମ୍ବାର ଗସ୍ତ କରୁଥିବା ବେଳେ ଦୁଇବର୍ଷ ହେବ ବିଧାନସଭାକୁ ନିଜେ ଆସୁ ନାହାନ୍ତି ।
ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଓ ଭାରତୀୟ ସମ୍ବିଧାନକୁ ସମ୍ମାନ ଦେବା ପାଇଁ ରାଜ୍ୟପାଳ ବାଚସ୍ପତିଙ୍କୁ ନିରପେକ୍ଷ ଭାବରେ ଗୃହ ପରିଚାଳନା କରିବାକୁ ଏବଂ ମୁଖ୍ୟମନ୍ତ୍ରୀ ବିଧାନସଭାରେ ନିଜେ ଉପସ୍ଥିତ ହେବା ପାଇଁ ନିର୍ଦ୍ଦେଶ ଦେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଛି ।
ଏହି ଅବସରରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ଜୟନ୍ତ ଷଡଙ୍ଗୀ, ମୁକେଶ ମହାଲିଙ୍ଗ, ନାଉରୀ ନାଏକ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, କୁସୁମ ଟେଟେ, ନିତ୍ୟାନନ୍ଦ ଗଣ୍ଡ, ଭାସ୍କର ମଢେଇ, ସନାତନ ବିଜୁଳି, ନବ ଚରଣ ମାଝୀ, ପ୍ରକାଶ ସୋରେନ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।