କନ୍ଧମାଳ, କନ୍ଧମାଳ ଜିଲ୍ଲାରେ ଅବକାରୀ ବିଭାଗ କେବଳ ଲାଇସେନ୍ସ ପ୍ରଦାନ ଓ ବଟି ଆଦାୟରେ ଲାଗିଥିବା ଅଭିଯୋଗ ହେଉଥିବା ବେଳେ ଏହି ଅଭିଯୋଗ ଦୃଢ଼ୀଭୂତ ହୋଇଛି ଗତ ମାସରେ ଫୁଲବାଣୀ ସଦର ମହକୁମାରେ ଗଞ୍ଜେଇ ଚାଲାଣକାରୀ ଦୁଇ ଭାଇଙ୍କୁ ଗଞ୍ଜେଇ ସହ ଧରି ମୁଣ୍ଡ ଜାମିନରେ ଗୋଟିଏ ଭାଇକୁ ଅଟକ ରଖି ଅନ୍ୟ ଭାଇକୁ ପଚାଶ ହଜାର ଟଙ୍କା ଆଣିବା ପାଇଁ ଛାଡିବା । ଓ ଉକ୍ତ ମୁଣ୍ଡ ଜାମିନରେ ରଖାଯାଇଥିବା ଯୁବକକୁ ଅବକାରୀ କାର୍ଯ୍ୟାଳୟରେ ନ ରଖି ଫୁଲବାଣୀ ସହରର ମୋଚି ସାହିରେ ଏକ ଘରେ ଅଟକ ରଖିବା ଓ ଟଙ୍କା ଆଣିବାକୁ ଯାଇଥିବା ଯୁବକର ବିଳମ୍ବ ହେବାରୁ ଅଟକ ଥିବା ଯୁବକକୁ ଫୋନ କରିବା ପାଇଁ ଫୋନ ଦେବା, ଯୁବକଟି ଫୋନ କରିବା ବାହାନାରେ ଦୁଇ ମହଲା ଛାତ ଉପରକୁ ଯାଇ ହାତକଡି ସହ ଘରର ପାଇପ ଲାଇନ ଦେଇ ଖସି ପଳାଇବାକୁ ଚେଷ୍ଟା କରି ପାଇପ ଭାଙ୍ଗିଯିବାରୁ ତଳେ ପଡି ଗୁରୁତର ଆହତ ହେବା ଓ ଚିକିତ୍ସାଧୀନ ଅବସ୍ଥାରେ କଟକ ମେଡିକାଲରେ ତାର ମୃତ୍ୟୁ ଘଟିବା ଘଟଣା । ମୃତ ଯୁବକର ପରିବାର ଲୋକେ ଓ ଗାଁ ଲୋକେ ଶବକୁ ନେଇ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଥିବା ବେଳେ ଏହି ଘଟଣାକୁ ଚପାଇଦେବା ପାଇଁ ବେସରକାରୀ ଭାବେ ଉକ୍ତ ମୃତ ଯୁବକର ପରିବାରକୁ ଚାରି ଲକ୍ଷ ଟଙ୍କା ପ୍ରଦାନ କରି ଘଟଣାକୁ ଚାପି ଦେବା ପାଇଁ ଚେଷ୍ଟା ଚାଲିଥିବା ଅଭିଯୋଗ ହେଉଛି ଓ କ୍ଷତିପୂରଣ କରାଇ ଦେଇଥିବା ଦାବି କରି କିଛି ଦଲାଲ୍ ଉକ୍ତ ପରିବାରକୁ କମିଶନ ମାଗୁଥିବା ନେଇ ଆଲୋଚନା ଜୋର୍ ଧରିଛି ।
ସହରରେ ଅବକାରୀ କାର୍ଯ୍ୟାଳୟ ଥିଲେ ମଧ୍ୟ ଅଘୋଷିତ ଭାବେ ସ୍ଥାନୀୟ ମୋଚି ସାହିରେ ଏକ ସମାନ୍ତରାଳ କାର୍ଯ୍ୟାଳୟ ଅବକାରୀ କର୍ମଚାରୀଙ୍କ ଦ୍ଵାରା ଚାଲିଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ବିଭାଗୀୟ କର୍ମଚାରୀ ଚଢ଼ଉ କରି ନିଶା ବେପାରୀଙ୍କୁ ଧରିବା ପରେ ଅବକାରୀ କାର୍ଯ୍ୟାଳୟକୁ ନ ନେଇ ଏହି ଅଘୋଷିତ ମୋଚି ସାହି କାର୍ଯ୍ୟାଳୟକୁ ଆଣି ଅଟକ ରଖି ଟଙ୍କା ପଇସା କାରବାର ଚାଲେ । ଗଣମାଧ୍ୟମ ଓ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦୃଷ୍ଟିରୁ ଏଡେଇବା ପାଇଁ ଏହିଭଳି ଅଘୋଷିତ କାର୍ଯ୍ୟାଳୟରେ କାର୍ଯ୍ୟକ୍ରମ ଚାଲୁଥିବା ନେଇ ଅଭିଯୋଗ ହେଉଥିବା ବେଳେ ଏହି ଯୁବକର ଦୁର୍ଘଟଣା ଏହାର ପର୍ଦାଫାସ କରିଛି ।
ଫୁଲବାଣୀ ଅବକାରୀ ଅଧିକ୍ଷକଙ୍କୁ ଏନେଇ ପଚରା ଯିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ନ ଦେଇ ଏହା ଏକ କେସ୍ କରାଯାଇଥିବା ଓ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଏହାର ତଦନ୍ତ କରୁଛନ୍ତି କହି କଥାକୁ ଏଡାଇ ଯାଇଥିଲେ । ଘଟଣାକୁ ଚାପି ଦେବା ପାଇଁ ଚେଷ୍ଟା ଚାଲିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଉଚ୍ଚ କର୍ତ୍ତୃପକ୍ଷ ଏହାର ନିରପେକ୍ଷ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।