
ରାଉରକେଲା, ସୁନ୍ଦରଗଡ଼ ଜିଲ୍ଲାରେ ହୋମିଓପାଥି ଆର୍ୟୁବେଦ ଡାକ୍ତର କରୁଛନ୍ତି ଏଲୋପାଥି ଚିକିତ୍ସା । ମେଡିସିନ ଦୋକାନୀ ସାଜିଛନ୍ତି ବିଭିନ୍ନ ସ୍ପେସାଲିଟି, ନକଲି ଡାକ୍ତର ଏଠି ହାଉଯାଉ କିନ୍ତୁ ରାଜ୍ୟ ସରକାରଙ୍କ ଭେଷଜ ଆଇନ ଏଠି କାମ କରିନପାରି କୋମାରେ ପଡିରହିଛି । ଯାଂଚ୍ ହେଉନାହିଁ, ଫଳରେ ରାଜ୍ୟ ବାହାରୁ ମଧ୍ୟ ନକଲି ଡାକ୍ତର ଏଠାକୁ ଆସି ବେଆଇନ କାରବାର କରି ଫେରୁଛନ୍ତି । ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ନୀରବ ଦ୍ରଷ୍ଟା ସାଜିଛି । ଏହିଭଳି କାରବାର ଆଜି ନୁହେଁ ଦିର୍ଘ ଦିନ ଧରି ଚାଲିଛି । ବିଶେଷ କରି ଗ୍ରାମାଂଚଳ, ସହରର ବସ୍ତି ଅଂଚଳରେ ଏହି ନକଲି ଡ଼ାକ୍ତର ମାନଙ୍କର ଭିଡ଼ ଅଧିକ । ରାଉରକେଲା ସହର ଠାରୁ ମାତ୍ର ୨୦ କି.ମି. ଦୂରରେ ଥିବା ଲାଠିକଟା ବ୍ଲକ ଏହାର ଏକ ଉଦାହରଣ । ଏହି ବ୍ଲକରେ ଥିବା ସରକାରୀ ଡାକ୍ତରଖାନାରେ ତାଲା ପଡିଥିବା ବେଳେ ଓରିଣ୍ଡ ଡାକ୍ତରଖାନା ମଧ୍ୟ ଅନେକ ଦିନରୁ ବନ୍ଦ ହୋଇଯାଇଛି । ଏହି ବ୍ଲକ ତଥା ଆଖପାଖର ଲକ୍ଷାଧିକ ଲୋକେ କୌଣସି ଉପାୟ ନପାଇ ଏଠାରେ ଥିବା ଏକ ମେଡିସିନ ଦୋକାନ ଉପରେ ନିର୍ଭର କରିଥାନ୍ତି । ସେଠାରେ ବସନ୍ତି ନିଜକୁ ଆର୍ୟୁବେଦି ଡାକ୍ତର କହୁଥିବା ଷଡଙ୍ଗୀ ବାବୁ । ଖାଲି ଅପରେସନକୁ ଛାଡି ଦେଲେ ସେ ସମସ୍ତ ପ୍ରକାର ରାେଗୀଙ୍କୁ ସେହି ମେଡିକାଲ ଷ୍ଟୋରର ଏକ ପ୍ୟାଡରେ ନାନା ପ୍ରକାର ମେଡିସିନ ଲେଖିଦିଅନ୍ତି, ଇଂଜେକସନ ସାଲାଇନ ମଧ୍ୟ ସେ ଲଗାଇ ଦିଅନ୍ତି । ସାଙ୍ଗରେ କିଛି ନର୍ସଙ୍କୁ ମଧ୍ୟ ସେ ସହାୟକ ଭାବେ ରଖିଛନ୍ତି, ପ୍ରତି ରୋଗୀ ଏଠାକୁ ଆସିଲେ ଅନ୍ୟୁନ ୫୦୦ ମୁଦ୍ରା ଖର୍ଚ୍ଚ କରିଥାଏ, ମେଡିସିନ ଖର୍ଚ୍ଚ ଅଲଗା । ଷଡଙ୍ଗୀ ବାବୁଙ୍କର ଏହି ଡାକ୍ତରୀ କାରବାରରେ ଲେଖାଯାଉଥିବା ମେଡିସିନ ମଧ୍ୟ ଅତ୍ୟନ୍ତ ନିମ୍ନ ମାନର । ଏହି ମେଡିସିନ ସବୁ ସେ ଅଂଚଳରେ ଥିବା ମେଡିସିନ ଦୋକନୀ ମାନେ ରଖିଥାନ୍ତି । ଯେଉଁଠି ଡାକ୍ତର ଏଇଆ ସେଠି ମେଡିସିନ କଥା ଅବା କିଏ କାହିଁକି ପଚାରିବ । ଭାଗ୍ୟକୁୁ ଆଦରୀ ଏଠି ଯାହା ମିଳିଲା ନେଇଥାନ୍ତି, ପୁଣି ସେମାନେ ଭଲ ନହେଲେ ରାଉରକେଲାକୁ ଆସି ଚିକିତ୍ସା ହୋଇଥାନ୍ତି ବୋଲି ଅଭିଯୋଗ ହୋଇଛି । ଏହିଭଳି ଭାବେ ରାଉରକେଲା ପାଖକୁ ଲାଗି ରହିଥିବା ବନ୍ଧମୁଣ୍ଡା ଅଂଚଳ ହେଉ କିମ୍ବା ଖୋଦ୍ ରେଳବାଇ ଅଂଚଳରେ ମଧ୍ୟ ଜିଲ୍ଲା ପ୍ରଶାସନର ଆଖି ଆଗରେ ଏହିଭଳି ନକଲି ଡାକ୍ତର ମାନେ ସେମାନଙ୍କର ରାଜ୍ ଚଳାଇଛନ୍ତି । ଜିଲ୍ଲାର କୋଇଡା, ନୁଆ ଗାଁ, ବୀରମିତ୍ରପୁର, ହାତୀବାଡି ସମେତ ସମସ୍ତ ବ୍ଲକ ଅଂଚଳରେ ଏହିଭଳି ନକଲି ଡାକ୍ତର ମାନେ ଲୋକଙ୍କୁ ଭୁଆଁ ବୁଲାଇ ଡାକ୍ତର ସାଜିଛନ୍ତି ଓ ଯାହାଦ୍ବାରା ଲୋକଙ୍କ ଜୀବନ ବିପନ୍ନ ହେଉଛି । ଏହା ଦ୍ୱାରା ରୋଗୀ ମାନେ ଦରମରା ହେବା ସହ ଗୁରୁତର ହୋଇ ଶେଷରେ ସରକାରୀ ବେସରକାରୀ ଡାକ୍ତରଖାନାକୁ ଆସି ଅନେକ ଖର୍ଚ୍ଚାନ୍ତ ହେଉଛନ୍ତି । ସ୍ୱାସ୍ଥ୍ୟ ସେବା ଲାଗି ସରକାର ଅନେକ ସୁବିଧା କରିଛନ୍ତି ବୋଲି କହୁଛନ୍ତି, ହେଲେ ଆଜି ବି ସମସ୍ତ ବ୍ଲକରେ ଡାକ୍ତର ନାହାନ୍ତି, ଜଦି ଅଛନ୍ତି ତେବେ ମାସରେ ୫/୧୦ ଦିନ ମିଳୁଛନ୍ତି, ନଚେତ ନାକ କାନ, ଆନେସ୍ତେସିଆଡାକ୍ତର ମିଳୁଛନ୍ତି । ଏହି ଯାଗାରେ ରୋଗୀ ସେବା କିଭଳି ହେବ ଓ ନକଲି ଡାକ୍ତର ମାନେ ଏହାର ଫାଇଦା ନେବେ କି ନାହିଁ ତାହାର ବିଚାର କରାଯାଇପାରେ । ତେବେ ଜିଲ୍ଲାରେ ନକଲି ମେଡିସିନ, ନିମ୍ନମାନର ମେଡିସିନ କାରବାର ରୋକିବା ସହ ନକଲି ଡାକ୍ତର ମାନଙ୍କୁ ଜଗିବା ଲାଗି ରାଜ୍ୟ ଭେଷଜ ନିୟନ୍ତ୍ରକଙ୍କର ଦୁଇ ଦୁଇ ଜଣ ପ୍ରତିନିଧି (ଡ୍ରଗ୍ସଇନ୍ସପେକ୍ଟର) ଏଜିଲ୍ଲାରେ ରହନ୍ତି । ହେଲେ ଏସବୁ କାରବାରକୁ ସେମାନେ ରୋକିବା ପରିବର୍ତେ ନୀରବଦ୍ରଷ୍ଟା ସାଜିଥିବା କୁହାଯାଉଛି । ତେଣୁ ଏହି ଦିଗକୁ ବୁଝୁଥିବା ଲୋକେ ଗୋଟିଏ ଧାଡିରେ ମତଦେଇ କହିଛନ୍ତି ଏହି ଜିଲ୍ଲାରେ ଡ୍ରଗ୍ କସମେଟିକ ଆଇନରେ ଏକ ପ୍ରକାର ତାଲା ପଡିଛି ।