ମାଲକାନଗିରି, ମାଲକାନଗିରି ବ୍ଳକ ଅନ୍ତର୍ଗତ ପାଲକୋଣ୍ଡା ଗ୍ରାମର ଦେବା ସୋଡ଼ିଙ୍କ ପୁଅ ଏରା ସୋଡ଼ିଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଛି । ଗତ ଅକ୍ଟୋବର ମାସରେ ସଡ଼କ ଦୁର୍ଘଟଣାର ଶିକାର ହେବା ପରେ ଏରାଙ୍କ ଶରୀର କାମ କରୁନି । ପରିବାର ଲୋକ ଜମିବାଡ଼ି ବିକ୍ରି କରି କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ କରାଇବା ପରେ ମଧ୍ୟ ସେ ସୁସ୍ଥ ହୋଇ ପାରିନାହାନ୍ତି । ଏରା ବର୍ତ୍ତମାନ ଘରେ ଶଯ୍ୟାଶାୟୀ ଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକ ରହିଛି । ପରିବାର ଲୋକ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଏରାଙ୍କ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି । ସୂଚନା ଅନୁଯାୟୀ , ଗତ ଅକ୍ଟୋବର ୧୦ ତାରିଖରେ ଏରା ସୋଡ଼ି କୌଣସି କାମରେ ବାଇକ୍ରେ ମାଲକାନଗିରି ଯାଉଥିବା ସମୟରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ସେ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଏରାଙ୍କ ବଡ଼ ଭାଇ ଶାନ୍ତୁନୁ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ନେଇ ଚିକିତ୍ସା କରାଇଥିଲେ । କିନ୍ତୁ ସ୍ଵାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଏରାଙ୍କୁ ତୁରନ୍ତ କଟକ ବଡ଼ ଡାକ୍ତରଖାନା ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ! ପରେ ଶାନ୍ତୁନୁ ଓ ବାପା ଦେବା ସୋଡ଼ି ଏରାଙ୍କୁ କଟକ ବଡ଼ ଡାକ୍ତରଖାନା ନେଇଥିଲେ । ଏରାଙ୍କ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ବୋଲି ଡାକ୍ତର କହିବା ପରେ ଟଙ୍କା ଯୋଗାଡ଼ ପାଇଁ ଦେବା ଘରକୁ ଆସିଥିଲେ । ପରେ ନିଜ ଜମିବାଡ଼ି ଓ ଗୃହପାଳିତ ପଶୁ ବିକ୍ରି କରି ପ୍ରାୟ ୪ଲକ୍ଷ ଟଙ୍କା କଟକ ଯାଇଥିଲେ । କିନ୍ତୁ ଲକ୍ଷାଧିକ ଖର୍ଚ୍ଚ ହେବା ପରେ ମଧ୍ୟ ସୁସ୍ଥ ହୋଇ ପାରି ନଥିଲେ । ଅନ୍ୟପଟେ ଚିକିତ୍ସା ପାଇଁ ପୁଣି ଟଙ୍କାର ଆବଶ୍ୟକତା ଥିବା ଡାକ୍ତର କହିଥିଲେ । ତେବେ ଟଙ୍କା ନଥିବାରୁ ପରିବାର ଲୋକ ଏରାଙ୍କୁ ଘରକୁ ଫେରାଇ ଆଣିଥିଲେ | ଦୁର୍ଘଟଣା ପରେ ଏରାଙ୍କ ଶରୀର କାମ କରୁ ନଥିବାରୁ ସେ ଘରେ ଶଯ୍ୟାଶାୟୀ ଅଛନ୍ତି । ଏରାଙ୍କ ଚିକିତ୍ସା ବାବଦକୁ ଜମିବାଡ଼ି ବିକ୍ରି କରି ଦେଇଥିବା ବେଳେ ପରିବାର ଲୋକଙ୍କ ନିକଟରେ ଆଉ ଏରା ଟଙ୍କା ନାହିଁ । ତେଣୁ ଆଜି ପରିବାର ଲୋକ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଅର୍ଥିକ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି । ତୁରନ୍ତ ପ୍ରଶାସନ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ସହଯୋଗ କଲେ ଏରା ସୁସ୍ଥ ହୋଇପାରିବ ବୋଲି ପରିବାର ଲୋକେ ଆଶା ବାନ୍ଧିଛନ୍ତି!