ମାଲକାନଗିରି, ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୁଲିସ ଏବଂ ମାଲକାନଗିରି ଜିଲା ଅବକାରୀ ବିଭାଗ ମିଳିତ ଭାବେ ବଡ଼ପଦର ପଞ୍ଚାୟତର କମାରଗୁଡ଼ା ଏବଂ ପଳାସପଦର ଗ୍ରାମରେ ଲଗାଯାଇଥିବା ବହୁ ପରିମାଣର ବେଆଇନ ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରିଛନ୍ତି । ଚିତ୍ରକୋଣ୍ଡା ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ପୁଲିସର ଏକ ଟିମ ଓ ଜିଲା ଅବକାରୀ କର୍ମଚାରୀଙ୍କ ଦ୍ବାରା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡ଼ପଦର ପଞ୍ଚାୟତର ପଳାସପଦର ଓ କମାରଗୁଡ଼ା ଗ୍ରାମ ଅଞ୍ଚଳରେ ଚଢ଼ଉ କରି ବେଆଇନ ଭାବେ ୪୫ଏକର ଜମିରେ ଲଗାଯାଇଥିବା ୬୫ , ୫୦୦ହଜାର ଗଞ୍ଜେଇ ଗଛକୁ କାଟି ନଷ୍ଟ କରିବା ସହ ପୋଡ଼ି ଦିଆଯାଇଛି , ଯାହାର ଆନୁମାନିକ ମୂଲ୍ୟ ୭କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି । ଚିତ୍ରକୋଣ୍ଡା ପୁଲିସ ପକ୍ଷରୁ ତୃତୀୟଥର ପାଇଁ ଏହି ଅଞ୍ଚଳରେ ଚଢ଼ଉ କରାଯାଇଥିଲା । ଗତ ନଭେମ୍ବର ମାସ ୧୧ତାରିଖ ଠାରୁ ଚିତ୍ରକୋଣ୍ଡା ପୁଲିସ ଏବଂ ଅବକାରୀ ବିଭାଗ ମିଳିତ ଆନୁକୂଲ୍ୟରେ ଗଞ୍ଜେଇ କଟା ଅଭିଯାନ ଜାରି ରହିଛି । ଫଳରେ ବେଆଇନ ଭାବରେ ଗଞ୍ଜେଇ ଚାଷ କରୁଥିବା ଚାଷୀଙ୍କ ମଧ୍ୟରେ ଭୟର ଆତଙ୍କ ଖେଳିଯାଇଛି!