
ମାଲକାନଗିରି, ମାଲକାନଗିରି ଥାନା ପକ୍ଷରୁ ଚଢାଉ କରାଯାଇ ୧୦୧ କିଲୋ ଗଞ୍ଜେଇ ଜବତ କରାଯିବା ସହ ୨ ଜଣ ଆସାମୀକୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ବିଶେଷ ସୂତ୍ରରୁ ଖବରର ପାଇ ମାଲକାନଗିରି ଥାନା ଆଇଆଇସି ରାମ ପ୍ରସାଦ ନାଗ କୋରୁ କୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟ୍ରେଲ ଛକ ନିକଟରେ ଦୁଇ ଜଣ ବ୍ୟକ୍ତି ଗଞ୍ଜେଇ ବ୍ୟାଗ ଧରି ବାହାରକୁ ଯିବାକୁ ପ୍ରସ୍ତୁତ ହେଉଥିବାବେଳେ ପୁଲିସ ଚଢାଉ କରିଥିଲା । ଏହି ଚଢାଉରେ ଦୁଇ ଜଣ ଚାଲାଣକାରୀଙ୍କୁ ଗିରଫ କରାଯିବା ସହ ୧୦୧ କିଲୋ ଗଞ୍ଜେଇ କୁ ମଧ୍ୟ ଜବତ କରାଯାଇଛି ।ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଏମଭି-୪୨ ଗ୍ରାମର ରାଜୁ ବିଶ୍ବାସ ଏବଂ ଉତ୍ତର ପ୍ରଦେଶର ଆଗ୍ରା ରୁ ଆସି ଏମଭି-୧୪ ନମ୍ବର ଗ୍ରାମରେ ରହି ଗଞ୍ଜେଇ କାରବାର କରୁଥିବା ସୁରେନ୍ଦ୍ର ସିଂକୁ ପୁଲିସ ଗିରଫ କରିଛି । ଗଞ୍ଜେଇ ଚାଲାଣ ରୋକିବାରେ ମାଲକାନଗିରି ପୁଲିସର ଘନ ଘନ ଚଢାଉ ଏବଂସମ୍ପତ୍ତି ବ୍ୟାଜପ୍ତ କରାଯାଉଥିବା ଯୋଗୁଁ ଗଞ୍ଜେଇ ଚାଲାଣକାରୀଙ୍କ ମଧ୍ୟରେ ଭେଳେଣୀ ପଡିଛି । ଏହି ଗଞ୍ଜେଇ ଚିତ୍ରକୋଣ୍ଡା ରୁ ଉତ୍ତର ପ୍ରଦେଶକୁ ଚାଲାଣ କରାଯାଉଥିବା ଜଣାପଡିଛି ।