
ପୁରୀ, ମହାପ୍ରଭୁଙ୍କ ମାନବୀୟ ଲୀଳା ମଧ୍ୟରେ ପ୍ରାବରଣ ଷଷ୍ଠୀ ଉତ୍ସବ ହେଉଛି ଅନ୍ୟତମ ଲୀଳା ଉତ୍ସବ । ଯିଏ ପରମ ବ୍ରହ୍ମ ନିରାକାର ପରମାତ୍ମା ତାଙ୍କୁ ସାଧାରଣ ଜୀବ ମାନଙ୍କ ପରି ଶୀତ ଅନୁଭୂତ ହୁଏ । ସତରେ କଣ ଏହା ସମ୍ଭବ କି ? ଯା ଠାରୁ ସମସ୍ତ ସଂସାର ଉତ୍ପନ୍ନ ସେ ଛାର ଶୀତର ଅଧୀନ ହେବା କିଛି ଆଶ୍ଚର୍ଯ୍ୟ କଥା ନୁହେଁ ।
ଋତୁ ମାନଙ୍କ ପ୍ରଭାବ ସଂସାରରେ ସମସ୍ତଙ୍କୁ ଉଣା ଅଧିକେ ଅନୁଭୂତ ହୁଏ । ଯାହାଦ୍ୱାରା ପ୍ରକୃତିରେ ବିଭିନ୍ନ ପରିବର୍ତନ ମାନ ହୋଇଥାଏ । ପ୍ରତ୍ୟେକ ଋତୁ ମାନଙ୍କ କର୍ତବ୍ୟକୁ ସମ୍ମାନ ଜଣାଇ ମହାପ୍ରଭୁଙ୍କ ଋତୁ ଅନୁଯାୟୀ ବେଶ ଓ ଉତ୍ସବ ମାନ ଅନୁଷ୍ଠିତ ହୋଇଥାଏ । ମାର୍ଗଶିର ଶୁକ୍ଳପକ୍ଷ ଷଷ୍ଠୀ ଓଢ଼ଣି ଷଷ୍ଠୀ ନାମରେ ପରିଚିତ । ଏହି ସମୟରୁ ଅଧିକ ଶୀତ ଅନୁଭୂତ ହେଉଥିବାରୁ ଏହି ଦିନୁ ମହାପ୍ରଭୁ ମାନଙ୍କ ସହିତେ ସବୁ ଦେବାଦେବୀଙ୍କ ଘୋଡଲାଗି ଅନୁଷ୍ଠିତ ହୋଇଥାଏ । ଶ୍ରୀକ୍ଷେତ୍ରେ ମହାପ୍ରଭୁଙ୍କ ଘୋଡ଼ଲାଗି ଆଜିଠାରୁ ଆରମ୍ଭ ହୋଇ ବସନ୍ତ ପଚଂମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁ ଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହା ହେଉଛି ଅନ୍ୟତମ ଯାତ୍ରା । ସମସ୍ତ ସପ୍ତଧା ବିଗ୍ରହ ସହିତେ ଶ୍ରୀ କ୍ଷେତ୍ରର ସମସ୍ତ ଦେବାଦେବୀଙ୍କୁ ଘୋଡ଼ଲାଗି ଅନୁଷ୍ଠିତ ହୋଇଥାଏ । ଏକାମ୍ର କ୍ଷେତ୍ରରେ ମହାପ୍ରଭୁ ଲିଙ୍ଗରାଜଙ୍କ ମଧ୍ୟ ଏହା ହେଉଛି ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଯାତ୍ରା । ମହାପ୍ରଭୁ ଏହି ଦିନ ନୂତନ ଘୋଡ଼ ପରିଧାନ କରିଥାନ୍ତି । ଏହି ଘୋଡ଼ଲାଗି ପ୍ରାବରଣ ଷଷ୍ଠୀରୁ ଆରମ୍ଭ ହୋଇ ସରସ୍ୱତୀ ପୂଜା ପର୍ଯ୍ୟନ୍ତ ପାଳିତ ହୋଇଥାଏ । ସମସ୍ତ ଶିବାଳୟରେ ଓ ଦେବୀ ମନ୍ଦିରରେ ଘୋଡ଼ଲାଗି ପର୍ବ ଅନୁଷ୍ଠିତ ହୋଇଥାଏ ।ଘୋଡ଼ ଅନ୍ୟ ନିତିଦିନ ବସ୍ତ୍ର ପରି ଏହା ବାରଲାଗି ବର୍ଣ୍ଣ ହୋଇଥାଏ । ସୋମବାର ଶୁକ୍ଳ, ମଙ୍ଗଳବାର ବାରପାଟିଆ (ପଂଚରଙ୍ଗି), ବୁଧବାର ସବୁଜ, ଗୁରୁବାର ପୀତ, ଶୁକ୍ରବାର ଧଳା ଛିଟା, ଶନିବାର କଳା ଓ ରବିବାର ନାଲି ରଙ୍ଗର ହୋଇଥାଏ । ପ୍ରତିବର୍ଷ ଏହା ନୂତନ ଭାବେ ନିର୍ମିତ କରାଯାଇଥାଏ ।