-
ଖୋଲା ଆକାଶ ତଳେ ରାତି କାଟିଲେ ବସ୍ତି ବାସିନ୍ଦା
ବ୍ରହ୍ମପୁର, ବ୍ରହ୍ମପୁର ଲାଞ୍ଜିପଲ୍ଲୀ ହରିଜନ ସାହିରେ ଦୀର୍ଘ ୪୦ରୁ ୫୦ ବର୍ଷ ଧରି ବସବାସ କରି ଆସୁଥିବା ଲୋକଙ୍କୁ ଏଠାରୁ ଉଚ୍ଛେଦ କରିବା ପାଇଁ ଏହି ବସ୍ତିରେ ବ୍ରହ୍ମପୁର ମହାନଗର ନିଗମ (ବିଏମସି)ଠାରୁ ଉଚ୍ଛେଦ ଜାରୀ ରହିଛି । ଇତିମଧ୍ୟରେ ୩୦ଟି ଘର ଭଙ୍ଗାଯାଇ ଉଚ୍ଛେଦ କରାଯାଇଛି । ଜେସିବି ଦ୍ୱାରା ଘର ଭଙ୍ଗାଯିବା ବେଳେ ଲକ୍ଷ୍ମୀ ଦାଶ ନାମ୍ନୀ ଜଣେ ମହିଳାଙ୍କ ଉପରେ ଇଟା ପଡିଯିବାରୁ ସେ ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ବସ୍ତିବାସିନ୍ଦାଙ୍କ ପକ୍ଷରୁ ଉଚ୍ଛେଦକାରୀ ଜେସିବି ଡ୍ରାଇଭରଙ୍କ ଉପରକୁ ଢ଼େଲା ମାଡ ହୋଇଥିଲା । ଏଥିରେ ଜେସିବି ଡ୍ରାଇଭର ଆହତ ହୋଇଛନ୍ତି । ପୋଲିସ ପକ୍ଷରୁ ପାଲଟା ଆକ୍ରମଣ ହୋଇଥିଲା । ଏଥିରେ କେତେକ ବସ୍ତିବାସିନ୍ଦା ଆହତ ହୋଇଥିବା ସୂଚନା ମିଳିଛି । ଆହତ ଲକ୍ଷ୍ମୀ ଦାଶଙ୍କୁ ରେଡ଼କ୍ରସ ପାଣ୍ଠିରୁ ୧୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବା ସହ ଡ଼୍ରାଇଭର ଓ ଆହତ ବ୍ୟକ୍ତି ମାନଙ୍କୁ ଡ଼ାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଛି । ଜବରଦଖଲ ଉଚ୍ଛେଦ ପରେ ଘଟଣାସ୍ଥଳରେ ଚାପା ଉତେଜନା ଲାଗି ରହିଛି ।
ଅନ୍ୟପକ୍ଷରେ ଏଭଳି ଶୀତରେ ଖୋଲା ଆକାଶ ତଳେ ରାତି କାଟିଛନ୍ତି ବସ୍ତି ବାସିନ୍ଦା । ତେବେ ତୁରନ୍ତ ଉଚ୍ଛେଦ ହୋଇଥିବା ପରିବାରଙ୍କୁ ଅନ୍ୟତ୍ର ଗୃହ ଯୋଗାଇଦିଆଯିବ ବୋଲି (ବିଏମସି) ପକ୍ଷରୁ ସୂଚନା ଦିଆଯାଇଛି ।