ମାଲକାନଗିରି, ସମୁଦ୍ର ପତ୍ତନ ଠାରୁ ୫ ହଜାର ଫୁଟ୍ ଉଚ୍ଚରେ ରହିଛି ମାଲକାନଗିରି ଜିଲ୍ଲାର ବଣ୍ଡାଘାଟି । ଏଠାରେ ଅନେକ ଗାଁକୁ ପକ୍କା ରାସ୍ତା ନାହିଁ । ପୁଣି ପାହାଡ଼ ଚଢ଼ିବାକୁ ପଡୁଛି । ତେଣୁ ରୋଗୀ ଏବଂ ଗର୍ଭବତୀଙ୍କୁ ଅନେକ ସମୟରେ ହୀନସ୍ତା ହେବାକୁ ପଡ଼ୁଥିଲା । ଦୁର୍ଗମ ଅଞ୍ଚଳରୁ ଭାରରେ ବୋହି ଆଣିବାକୁ ପଡ଼ୁଥିଲା । ବାରମ୍ବାର ଏମିତି ଘଟଣା ଘଟିବା ପରେ ତତ୍ପରତା ପ୍ରକାଶ କରିଥିଲେ ରାଜ୍ୟ ସରକାର । ବିନା କୌଣସି ସମସ୍ୟାରେ ଏବଂ ଠିକ୍ ସମୟରେ ରୋଗୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇବାକୁ ଆରମ୍ଭ କଲେ ବାଇକ୍ ଆମ୍ବୁଲାନ୍ସ ସେବା । ଏହି ସେବା ଆରମ୍ଭ ହେବାପରେ ଖଇରପୁଟ ବ୍ଲକ୍ରେ ଲାଗି ରହିଥିବା ସମସ୍ୟା ସବୁଦିନ ପାଇଁ ଅନ୍ତ ହୋଇଯିବ ବୋଲି ଆଶା କରାଯାଉଥିଲା । ବର୍ତମାନ କିନ୍ତୁ ବାସ୍ତବତା ସଂପୂର୍ଣ୍ଣ ଭିନ୍ନ । ରୋଗ ଯନ୍ତ୍ରଣା ଠାରୁ ବଳି ଯାଇଛି ଅଧିକ ଖର୍ଚ୍ଚ । ବଣ୍ଡାଘାଟିର ଦୁଇ ପଞ୍ଚାୟତରେ ପ୍ରାୟ ୭ ହଜାର ଲୋକ ବସବାସ କରୁଛନ୍ତି । ପ୍ରତିବର୍ଷ ଚିକିତ୍ସା ଅଭାବରୁ ଅନେକ ଲୋକ ମୃତ୍ୟୁବରଣ କରଛନ୍ତି । ଭାଗ୍ୟରେ ଥିଲେ କିଛି ଜଣ ହିଁ ଡାକ୍ତରଖାନାରେ ପହଞ୍ଚୁଛନ୍ତି ଏବଂ ଶଯ୍ୟା ଖଣ୍ଡେ ପାଉଛନ୍ତି । ତେଣୁ ବଣ୍ଡାଘାଟିର ଗର୍ଭବତୀ ଏବଂ ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲା । ଶେଷରେ ଏହି ଦାବିକୁ ପୂରଣ ଦିଗରେ ପଦକ୍ଷେପ ନିଆଯାଇଥିଲା । ଓପିଲିପି ପକ୍ଷରୁ ଗୋଟିଏ ବାଇକ୍ ଆମ୍ବୁଲାନ୍ସ ପ୍ରସ୍ତୁତ କରି ପ୍ରଦାନ କରାଯାଇଛି । ଏହି ବାଇକ୍ ଆମ୍ବୁଲାନ୍ସ ଅଣ୍ଡରାହାଲ ପଞ୍ଚାୟତରେ ରହିଛି । ଏହି ପଞ୍ଚାୟତର ୧୦ରୁ ଉର୍ଦ୍ଧ୍ବ ଗ୍ରାମକୁ ଆଜି ବି ପକ୍କା ରାସ୍ତା ନାହିଁ । ତେଣୁ ରାସ୍ତା ନଥିବା ଗାଁର ରୋଗୀ ବାଇକ୍ ଆମ୍ବୁଲାନ୍ସ ସେବା ଯୋଗେ ମୁଦୁଲିପଡା ଡାକ୍ତରଖାନା ପର୍ଯ୍ୟନ୍ତ ଯାଉଛନ୍ତି । ବାଇକ୍ ଆମ୍ବୁଲାନ୍ସକୁ ସ୍ଵେଚ୍ଛାସେବୀ ନନ୍ଦ ଶିକ୍ଷା ଚଳାଇଛନ୍ତି । ପ୍ରତିଦିନ ଦୁର୍ଗମ ଗ୍ରାମର ରୋଗୀଙ୍କୁ ଆମ୍ବୁଲାନ୍ସରେ ନେଇ ଡାକ୍ତରଖାନା ପର୍ଯ୍ୟନ୍ତ ପହଞ୍ଚାଉଛନ୍ତି । କିନ୍ତୁ ଏଥିପାଇଁ ରୋଗୀଙ୍କୁ ହିଁ ଦେବାକୁ ପଡ଼ୁଛି ତେଲ ବାବଦ ଖର୍ଚ୍ଚ ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଥିବା ନେଇ ଡିଣ୍ଡିମ ପିଟୁଛନ୍ତି । ହେଲେ ବଣ୍ଡାଘାଟି ଭଳି ଦୁର୍ଗମ ଅଞ୍ଚଳର ଗରିବ ରୋଗୀ ଏବେ ବି ଡାକ୍ତରଖାନା ପର୍ଯ୍ୟନ୍ତ ଯିବା ପାଇଁ ଖର୍ଚ୍ଚାନ୍ତ ହେଉଛନ୍ତି । ସେହିପରି ବାଇକ୍ ମରାମତି ସହ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ନା ସରକାର କିଛି ସହଯୋଗ କରୁଛନ୍ତି ନା ଜିଲ୍ଲା ପ୍ରଶାସନ ସାହାଯ୍ୟ କରୁଛି । ନିଜେ ନନ୍ଦ ଶିଶା ବାଇକ୍ ମରାମତି ବାବଦ ଖର୍ଚ୍ଚ କରୁଛନ୍ତି । ବଣ୍ଡାଘାଟିରେ ବସବାସ କରୁଥିବା ଜନଜାତି ଅତି ଗରିବ ହୋଇଥିବା ବେଳେ ବହୁ କଷ୍ଟରେ ଜୀବନଯାପନ କରୁଛନ୍ତି । ସେମାନେ ଆମ୍ବୁଲାନ୍ସ ଖର୍ଚ୍ଚ ଦେଇ ଡାକ୍ତରଖାନାକୁ ଯିବା ସମ୍ଭବପର ନୁହେଁ ତଥାପି କିଛି ରୋଗୀ ଟଙ୍କା ଯୋଗାଡ଼ କରି ଗାଡ଼ିରେ ତେଲ ପକାଇ ଡାକ୍ତରଖାନା ଯାଉଛନ୍ତି । ଯେଉଁମାନେ ଟଙ୍କା ଦେବାରେ ଅକ୍ଷମ ଘରେ ରହି ଦେଶୀ ଚିକିତ୍ସାର ସାହାରା ନେବାକୁ ବାଧ୍ୟ ହେଉଛନ୍ତି । ଜନଜାତିଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଆଜି ବି ସେମାନେ ସର୍ବନିମ୍ନ ସୁବିଧା ପାଇବାରୁ ବଞ୍ଚିତ । ତେଣୁ ବଣ୍ଡାଘାଟି ପାଇଁ ବଡ଼ ଆମ୍ବୁଲାନ୍ସ ଯୋଗାଇ ଦେବା ସହ କିପରି ମାଗଣାରେ ରୋଗୀ ଡାକ୍ତରଖାନା ଯାଇପାରିବେ ସରକାର ସେନେଇ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି ।