ସାଲେପୁର,ସାଧାରଣ ଲୋକ ବିଶେଷ କରି ଗରିବମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରରେ ମାଗଣାରେ ବିଭିନ୍ନ ଔଷଧ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ନିରାମୟ ଯୋଜନା ଆରମ୍ଭ କରିଛନ୍ତି । ଯାହାଫଳରେ ସାଧାରଣ ଗରୀବ ଲୋକମାନେ ମାଗଣାରେ ଔଷଧ ପାଇ ପାରିବେ । ହେଲେ କେତେକ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ ଯେ, ନିରାମୟ ଯୋଜନାରେ ରାଜ୍ୟ ସରକାର ପ୍ରାୟ ୪୫୦ ରୁ ୬୫୦ ପ୍ରକାରର ବିଭିନ୍ନ ପ୍ରକାର ଔଷଧ ମାଗଣାରେ ଯୋଗାଇ ଦେଉଛନ୍ତି । ହେଲେ ସାଲେପୁର, ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଶତାଧିକ ରୋଗୀ ନିର୍ଭର କରୁଥିବା ବେଳେ ଉପଯୁକ୍ତ ସେବା ପାଇ ନପାରି କଟକ ବଡ ମେଡିକାଲକୁ ଯାଇଥାଆନ୍ତି । ପ୍ରଶ୍ନ ଉଠେ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିରାମୟ ଯୋଜନାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଔଷଧ ସାମଗ୍ରୀ ଯୋଗାଇ ଦିଆଯାଉଛି ବୋଲି ସରକାର କହୁଥିଲା ବେଳେ ସ୍ୱାସ୍ଥ୍ୟକେନ୍ଦ୍ରକୁ ନାମକୁ ମାତ୍ର କେତୋଟି ମେଡିସିନ୍ ଛାଡିଦେଲେ ବହୁ ଗୁରୁତ୍ୱପୂର୍ଣ୍ଣ ଔଷଧକୁ ରୋଗୀମାନେ ବଜାରରୁ କିଣିବାକୁ ବାଧ୍ୟ ହୋଇଥାଆନ୍ତି । ଜଣେ ବିପିଏଲ୍ ଧାରୀ ବ୍ୟକ୍ତି ସ୍ୱାସ୍ଥ୍ୟକେନ୍ଦ୍ରରୁ ଔଷଧ ନପାଇ ଅର୍ଥାଭାବରୁ ମୃତ୍ୟୁ ମୁଖରେ ପଡିବା ନଜିର୍ ରହିଛି । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ବିଭିନ୍ନ ଚିକିତ୍ସା ସେବା ପାଇବା ପାଇଁ ନିଶ୍ଚିନ୍ତକୋଇଲି ବ୍ଲକ ସମେତ ମାହାଙ୍ଗା ବ୍ଲକ, ସାଲେପୁର ବ୍ଲକର ବହୁ ରୋଗୀ ଆସିଥାଆନ୍ତି । ଏହା ସହିତ ଦୈନନ୍ଦିନ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତମାନେ ମଧ୍ୟ ପ୍ରାଥମିକ ଚିକିତ୍ସା ପାଇଁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥାଆନ୍ତି । ଯେ କୌଣସି ଦୁର୍ଘଟଣାଗ୍ରସ୍ତ ରୋଗୀକୁ ପ୍ରଥମ ଚିକିତ୍ସା ସମୟରେ ଅନ୍ୟ ଔଷଧ ଇଂଜେକ୍ସନ ସହ ଟିଟାନାସ ଟକ୍ସାଇଡର ନିତାନ୍ତ ଆବଶ୍ୟକତା ଥାଏ । ମାତ୍ର ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ କଟକ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଟିଟାନସ୍ ଟକ୍ସାଇଡ୍ ସହିତ ୨ ଏମ୍ ଏଲ୍ ସିରିଞ୍ଜ ଆବଶ୍ୟକ ପରିମାଣର ଯୋଗାଇ ଦିଆଯାଉନଥିବା ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡାକ୍ତର ଅମିତ୍ କୁମାର ଜେନା ସୂଚନା ଦେଇଛନ୍ତି । ତୁରନ୍ତ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଟିଟାନସ୍ ଟକ୍ସାଇଡ୍ ଓ ୨ ଏମ୍ଏଲ୍ ସିରିଞ୍ଜ ଆବଶ୍ୟକ ପରିମାଣର ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।