
ନୂଆଦିଲ୍ଲୀ, ତାମିଲନାଡୁର କୁନୁରରେ ବାୟୁସେନାର ଏକ ଏମଆଇ-୧୭ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ସିଡିଏସ ଜେନେରାଲ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ମଧ୍ୟ ଥିଲେ । ବରିଷ୍ଠ ସେନା ଅଧିକାରୀଙ୍କ ସମେତ ଏହି ହେଲିକପ୍ଟରରେ ସମୁଦାୟ ୧୪ ଜଣ ଲୋକ ଥିଲେ । ଦୁର୍ଘଟଣା ପରେ ସିଡିଏସ୍ ରାୱତଙ୍କୁ ଡାକ୍ତରଖାନା ନିଆଯାଇଛି । ଦୁର୍ଘଟଣା ଏବଂ ଜେନେରାଲ ରାୱତ ଏହି ହେଲିକପ୍ଟରରେ ଥିବା ନେଇ ଟ୍ୱିଟ୍ କରି ଭାରତୀୟ ବାୟୁସେନା ନିଶ୍ଚିତ କରିଛି । ଏଥିସହ ବାୟୁସେନା ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି । ଏଥିରେ କେତେ ଜଣଙ୍କ ମୃତ୍ୟୁ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲେ ହେଁ ପ୍ରାୟ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ବାୟୁସେନା ମୁଖ୍ୟ ଘଟଣାସ୍ଥଳରେ ପହଂଚିଥିବା ଜଣାପଡିଛି ।
ଦୁର୍ଘଟଣା ଏତେ ଭୟାଭୟ ଥିଲା ଯେ ହେଲିକପ୍ଟରର ବିଭିନ୍ନ ଅଂଶ ଛିନଛତ୍ର ହୋଇ ପଡି ରହିଛି । ବଡ ବଡ ଗଛ ଏହାପରେ ଉପରେ ପଡି ରହିଛି । ଦୁର୍ଘଟଣା ପରେ ହେଲିକପ୍ଟରରୁ ନିଆଁ ଜଳିବା ଆରମ୍ଭ କରିଥିଲା । ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଂଚି ସାହାଯ୍ୟ କରିବା ଆରମ୍ଭ କରିଥିଲେ । ହେଲିକପ୍ଟର ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଗୁରୁତର ଥିବା ସିଡିଏସ୍ ଜେନେରାଲ ରାୱତଙ୍କୁ ସେନା ହସ୍ପିଟାଲରେ ଭର୍ତି କରାଯୋଇଛି ।
ଅପରପକ୍ଷରେ ଖରାପ ପାଗ ହେତୁ କିମ୍ବା କିଛି ଯାନ୍ତ୍ରିକ ତ୍ରୁଟି ହେତୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି କି ନାହିଁ ତାହା ଜଣା ପଡିନାହିଁ ।