
ନୂଆପଡା, ନୂଆପଡା ଜିଲ୍ଲା ସିନାପାଲି ବିଡ଼ିଓ ସଦାଶିବ ନାଏକ ରାନିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କରିଥିବା ଜଣାପଡ଼ିଛି । ଉକ୍ତ ପରିଦର୍ଶନ ସମୟରେ ଶ୍ରୀ ନାଏକଙ୍କ ସମେତ ସିନାପାଲି ତହସିଲଦାର ଲୋକନାଥ ଶବର, କାର୍ଯ୍ୟନିର୍ବାହୀ ଅଧିକାରୀ, ସ୍ଥାନୀୟ ସରପଞ୍ଚ ତଥା ଅନ୍ୟାନ୍ୟ ଅଧିକାରୀ ସାମିଲ୍ ଥିଲେ । ରାଣୀମୁଣ୍ଡା ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନବ ନିର୍ମିତ ଗ୍ରାମ୍ୟ ହାଟ, ଗ୍ରାମ୍ୟ ପାର୍କ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ । ଉକ୍ତ ନିର୍ମାଣ କାର୍ଯ୍ୟର ସଫଳତା ନେଇ ନିର୍ମାଣ ଦାୟୀତ୍ୱରେ ଥିବା ଅଧିକାରୀଙ୍କୁ ପ୍ରଶଂସା କରିଥିଲେ । ନିର୍ମାଣଧୀନ ଥିବା ଗ୍ରାମ୍ୟ ପାର୍କରେ ପୁଣି ଆବଶ୍ୟକ ତଥା ଅଧୁରା ଥିବା କାମକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ସ୍ଥାନୀୟ ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ଗ୍ରାମ୍ୟପାର୍କକୁ ଆହୁରି ଆକର୍ଷଣୀୟ କରି ନିର୍ମାଣ କରାଯିବା ସହ ଶିଶୁ ମାନଙ୍କ ପାଇଁ ମଧ୍ୟ ବିଭିନ୍ନ ପ୍ରକାର ଖେଳଣା ଓ ଆମୋଦ ପ୍ରମୋଦର ବ୍ୟବସ୍ଥା କରାଯିବ ବୋଲି ସ୍ଥାନୀୟ ସରପଞ୍ଚ ଯୋଜନା କରିଥିବା କହିଥିଲେ । ସେହିପରି ଏହି ପାର୍କକୁ ଲାଗି ରହିଥିବା ପଡିଆକୁ ଏକ ଆଦର୍ଶ ଖେଳପଡ଼ିଆ ଭାବରେ ନିର୍ମାଣ କରାଯିବା ନେଇ ମଧ୍ୟ ଯୋଜନା କରାଯାଇଛି । ଏହି ସ୍ଥାନ ପରିଦର୍ଶନ କରି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ ପରେ ଉପସ୍ଥିତ ଅଧିକାରୀ ଖୁସିବ୍ୟକ୍ତ କରିଥିଲେ । ପରେ ନିକଟରେ ଚାଲିଥିବା ରାଣୀମୁଣ୍ଡା ଧାନମଣ୍ଡି ବୁଲି ଦେଖି ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।