ସାଲେପୁର, ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବରୁ ରାଜ୍ୟରେ ଅଙ୍ଗନୱାଡି ଯୋଜନା ଏକ ପ୍ରକାର ଫେଲ୍ ମାରିଛି । ଅଙ୍ଗନୱାଡି କର୍ମୀଙ୍କ କାନ୍ଧରେ ବିଭିନ୍ନ ବୋଝଲଦି ଦେଇ ସେମାନଙ୍କୁ ଏକ ପ୍ରକାର ମାନସିକ ନିର୍ଯ୍ୟାତନା ଦିଆଯାଉଛି । ନା ସେମାନେ କେନ୍ଦ୍ର ସରକାରଙ୍କ ନା ରାଜ୍ୟ ସରକାରଙ୍କର ସରକାରୀ କର୍ମଚାରୀର ମାନ୍ୟତା ପାଉଛନ୍ତି । ସମାନ କାମକୁ ସମାନ ଦରମା ଦେବାରେ ରାଜ୍ୟ ସରକାର ଏକ ପ୍ରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ସରକାରୀ ନିୟମାନୁସାରେ ୪୦୦ ଜନ ସଂଖ୍ୟା ବିଶିଷ୍ଟ ଅଂଚଳରେ ଏକ ଅଙ୍ଗନୱାଡି କେନ୍ଦ୍ର ଖୋଲିବ । ଏହାଠାରୁ କମ୍ ରହିଥିଲେ ସେଠାରେ ଏକ ମିନୀ ଅଙ୍ଗନୱାଡି କେନ୍ଦ୍ର ଖୋଲିବ । ବର୍ତ୍ତମାନ ରାଜ୍ୟର ବିଭିନ୍ନ ବ୍ଳକରେ ଦେଖାଯାଉଛି ଯେ ଗୋଟିଏ ଗୋଟିଏ ମିନୀ ଅଙ୍ଗନୱାଡି କେନ୍ଦ୍ରରେ ୪୦୦ ରୁ ଆରମ୍ଭ କରି ୧୧୦୦ ପର୍ଯ୍ୟନ୍ତ ଜନସଂଖ୍ୟା ରହିଛି । ହେଲେ ଉକ୍ତ କେନ୍ଦ୍ରଗୁଡିକୁ ଅତିରିକ୍ତ କେନ୍ଦ୍ରର ମାନ୍ୟତା ପ୍ରଦାନ କରାଯାଉ ନାହିଁ । ଅଙ୍ଗନୱାଡି କର୍ମୀଙ୍କ ପରି ମିନୀ ଅଙ୍ଗନୱାଡି କର୍ମୀ ଅଧିକ ପରିଶ୍ରମ କରୁଛନ୍ତି । ଏପରିକି ଅଙ୍ଗନୱାଡି କେନ୍ଦ୍ର ପରିଚାଳନା କରିବା ସହ ସହାୟିକାର କର୍ତ୍ତବ୍ୟ ତୁଲାଉଛନ୍ତି । ହେଲେ ସେମାନଙ୍କୁ ମାସିକ ପାରିତୋସିକ ମିଳୁଛି ମାତ୍ର ୫ ହଜାର ୩୭୫ ଟଙ୍କା । ସେହିଭଳି ମିନୀ ଅଙ୍ଗନୱାଡି କର୍ମୀଙ୍କଠାରୁ କମ୍ କାମ କରି ମଧ୍ୟ ଅଙ୍ଗନୱାଡି କର୍ମୀଙ୍କୁ ମାସିକ ୭୫୦୦ ଟଙ୍କା ପାରିତୋଷିକ ମିଳୁଛି । ଯାହାକି ମୁଖ୍ୟ ଅଙ୍ଗନୱାଡି କର୍ମୀଙ୍କଠାରୁ ମିନୀ ଅଙ୍ଗନୱାଡି କର୍ମଚାରୀ ୨୧୨୫ ଟଙ୍କା କମ୍ ପାଉଛନ୍ତି । ନିୟମାନୁସାରେ ୪୦୦ ରୁ ଉର୍ଦ୍ଧ୍ବ ଜନସଂଖ୍ୟା ବିଶିଷ୍ଟ ମିନୀ ଅଙ୍ଗନୱାଡି କେନ୍ଦ୍ରକୁ ଅତିରିକ୍ତ କେନ୍ଦ୍ରରେ ରୂପାନ୍ତରିତ କରାଯାଇ ପାରିବ । ୧୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ମିନୀ ଅଙ୍ଗନୱାଡି କର୍ମୀମାନେ ଅଧିକ ଜନସଂଖ୍ୟାକୁ ନେଇ କାର୍ଯ୍ୟ କରୁଥିଲେ ମଧ୍ୟ କ’ଣ ପାଇଁ ରାଜ୍ୟ ସରକାର ସେମାନଙ୍କର ସମସ୍ୟାକୁ ସମାଧାନ କରିବାରେ ପଛଘୁଞ୍ଚା ଦେଉଛନ୍ତି ତାହା ଚର୍ଚ୍ଚାର ବିଷୟ ପାଲଟିଛି । ଏଣୁ ରାଜ୍ୟ ସରକାର ତୁରନ୍ତ ରାଜ୍ୟରେ ଥିବା ସମସ୍ତ ମିନୀ ଅଙ୍ଗନୱାଡି କେନ୍ଦ୍ର ଯାହାଙ୍କର ଜନସଂଖ୍ୟା ୪୦୦ ରୁ ଉର୍ଦ୍ଧ୍ବ ସେମାନଙ୍କୁ ତୁରନ୍ତ ଅତିରିକ୍ତ ଅଙ୍ଗନୱାଡି କେନ୍ଦ୍ରରେ ପରିଣତ କରିବାକୁ ଦାବି ହେଉଛି ।