
ସାଲେପୁର,ମାହାଙ୍ଗା ବ୍ଲକର ୩୭ ଟି ପଂଚାୟତରେ ବିଭିନ୍ନ ରାଜସ୍ୱ ଗ୍ରାମରେ ଥିବା ଗୋଚର ଓ ଶ୍ମଶାନ ଜମି ଉପରେ ଚତୁର୍ଦ୍ଦଶ ଅର୍ଥ କମିଶନରଙ୍କ ଅନୁଦାନରେ ୨୦୧୫ – ୧୬ ମସିହାରେ ଏବଂ ପରବର୍ତ୍ତୀ ସମୟରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଶବଦାହ ଗୃହ ଗୁଡିକ ଏକ ପ୍ରକାର ଅଚଳ ହୋଇ ପଡିଛି । ପରିତ୍ୟକ୍ତ ଅବସ୍ଥାରେ ଶବଦାହ ଗୃହ ଗୁଡିକ ରହିଥିଲା ବେଳେ ଏହାର ନିକଟରେ ଖୋଳାଯାଇଥିବା ନଳକୂପ ଗୁଡିକ ଅଚଳ ହୋଇଗଲାଣି । ଏଥିପ୍ରତି ଗ୍ରାମ ପଂଚାୟତର ଦୃଷ୍ଟି ପଡୁନାହିଁ । ଯାହାଫଳରେ ଲୋକମାନେ ଗୋଚର ଓ ଶ୍ମଶାନ ଜମିର ଖୋଲା ସ୍ଥାନରେ ଶବ ଦାହ କରୁଛନ୍ତି । ତାହା ହେଲେ ଏଠାରେ ପ୍ରଶ୍ନ ଉଠୁଛି । ପଂଚାୟତର କେତେକ କର୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେମାନଙ୍କୁ ଉକ୍ତ ଶବଦାହ ଗୃହର ନିର୍ମାଣ କାର୍ଯ୍ୟର ଦାୟିତ୍ୱ ଦିଆଯାଇଥିବା ଚର୍ଚ୍ଚା ବି ହେଉଛି । କାହା ସ୍ୱାର୍ଥରେ ଏ ଶବଦାହ ଗୃହ ନିର୍ମାଣ କରାଯାଇଛି । ସରକାରୀ ଅର୍ଥକୁ କିଭଳି ଭାବରେ ହରିଲୁଟ୍ କରାଯାଇ ନିମ୍ନମାନର ଶବଦାହ ଗୃହ ନିର୍ମାଣ କରାଯାଉଛି ତାହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି । ଏପରିକି ବଣଜଙ୍ଗଲପୂର୍ଣ୍ଣ ଅବସ୍ଥାରେ ଶବ ଦାହ ଗୃହର ଚତୁପାର୍ଶ୍ବ ରହିଥିଲେ ମଧ୍ୟ ତାହାର ସଫେଇ ହେଉନାହିଁ । ଯେଉଁ ଉଦ୍ଦେଶ୍ୟ ନେଇ ଶବଦାହ ଗୃହ ନିର୍ମାଣ କରାଯାଇଥିଲା ତାହା ସମ୍ପୂର୍ଣ୍ଣ ହୋଇ ପାରିନାହିଁ ।