ବାରିପଦା, ୩୧ ଅକ୍ଟୋବର (ହି.ସ.)- ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଂଚଳରେ ଗତ ୨୦୧୭ ଡିସେମ୍ବର ୧୨ ତାରିଖରେ ସଂଗଠିତ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ମାମଲାର ବିଚାର କରି ଆଜି ରାଇରଙ୍ଗପୁର ଅତିରିକ୍ତ ଦୌରାଜଜ୍ ଅଭିଯୁକ୍ତ ଚୈତନ୍ୟ ବେହେରା (୫୮)କୁ ଦୋଷୀ ସାବ୍ୟସ୍ତ କରିବା ସହ ୭ ବର୍ଷ ଜେଲ୍ ଦଣ୍ଡ ଏବଂ ୫୦୦୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି ।
ସାରଦୁ ବେହେରା ଓ କେଶବତୀ ବେହେରାଙ୍କ ୩୦ ବର୍ଷିୟା ଦିବ୍ୟାଙ୍ଗ ଝିଅ ଘଟଣା ଦିନ ଶୌଚ ପାଇଁ ନଦୀ କୂଳକୁ ଯାଇଥିବା ବେଳେ ଅଭିଯୁକ୍ତ ଚୈତନ୍ୟ ତାଙ୍କୁ ସେଠାରୁ ନିକଟସ୍ଥ ବୁଦା ମଧ୍ୟକୁ ଉଠାଇନେବା ସହ ବଳ ପୂର୍ବକ ଦୁଷ୍କର୍ମ କରିଥିଲା । ଯୁବତୀ ଜଣକ ଘରକୁ ଫେରି ପରିବାର ଲୋକଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ପୀଡ଼ିତାଙ୍କ ପକ୍ଷରୁ ଏନେଇ ବିଶୋୟୀ ଥାନାରେ ଏତଲା ହୋଇଥିଲା । ଅଭିଯୋଗକୁ ଭିତି କରି ପୋଲିସ ୬୮/୧୭ ରେ ଏକ ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ମାମଲା କୋର୍ଟରେ ବିଚାରଧିନ ଥିଲା । ମାମଲାରେ ସମସ୍ତ ସାକ୍ଷ୍ୟ, ପ୍ରମାଣ ବୟାନକୁ ଭିତି କରି କୋର୍ଟ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି ।