ଗଞ୍ଜାମ, ବାତ୍ୟା ଚାଲିଗଲା, ବର୍ଷା ଛାଡିଗଲା । ତେବେ ଗଞ୍ଜାମ ଜିଲ୍ଲାରେ ଫସଲ ହାନିର କରୁଣ ଚିତ୍ର ଦେଖିବାକୁ ମିଳିଛି । ବାତ୍ୟା ପବନ ସାଙ୍ଗକୁ ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ଫଳରେ ବ୍ୟାପକ ଫସଲ ହାନି ଘଟିଛି । ଫସଲ ଭରା କ୍ଷେତରେ ବର୍ଷାପାଣି ଜମି ରହିଥିବାରୁ କ୍ଷେତରୁ ପାଣି ଶୁଖିବାକୁ ପ୍ରାୟ ୪ ଦିନ ଲାଗି ଯାଇପାରେ । ଫଳରେ ଅମଳ ହେବାକୁ ଥିବା ବହୁ ଧାନ ଫସଲ ବର୍ଷା ପାଣିରେ ବୁଡି ରହି ପଚିଷଢ଼ି ଗଜା ହେବାର ସମ୍ଭାବନା ଦେଖାଦେଇଛି । ଏତଦ୍ ବ୍ୟତୀତ ଅର୍ଥକାରୀ ଫସଲ କୋବି, ବିନ୍, ପୋଟଳ, ବିଲାତି ବାଇଗଣ, ଅମୃତଭଣ୍ଡା, ବାଇଗଣ, ଝୁଡ଼ଙ୍ଗ, ଲଙ୍କା, କଲରା ପ୍ରଭୃତି ଗଛ ମଧ୍ୟ ମୂଳ ଷଢ଼ି ନଷ୍ଟ ହେବାରେ ଲାଗିଛି । ଲଗାଣ ବର୍ଷା ସବୁକିଛି ଧୋଇନେଲା ପରେ ବର୍ଷସାରା ପରିବାର ପ୍ରତିପୋଷଣ କରିବ କିପରି ସେଇ ଚିନ୍ତାରେ ଚାଷୀ । ଚାଷ ପାଇଁ କରିଥିବା ଋଣ ସୁଝିବ କିପରି ସେହି ଚିନ୍ତାରେ ପାତ୍ରପୁର ବ୍ଲକ ଉଲମା ଗ୍ରାମର ଜଣେ ଆଦିବାସୀ ଚାଷୀ କୈଳାସ ଶବର କୀଟନାଶକ ଔଷଧ ଖାଇ ଗତକାଲି ସଂନ୍ଧ୍ୟାରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ଏପରି ସ୍ଥିତିରେ ତୁରନ୍ତ ସରକାରଙ୍କ ପକ୍ଷରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ ପାଇଁ ସାଧାରଣରେ ଦାବି ହେଉଛି ।