
ନୂଆପଡା, ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ବିରିଘାଟ ଗ୍ରାମକୁ ସଂଯୋଗ କରୁଥିବା ପୋଲ ନିର୍ମାଣ ଅତ୍ୟନ୍ତ ନିମ୍ନମାନର ହେଉଥିବା ବେଳେ ପୋଲ କାମ ମନ୍ଥର ଗତିରେ ଚାଲୁ ରହିଥିବାରୁ କେବେ ସମ୍ପୂର୍ଣ୍ଣ ହେବ ବୋଲି ବିରିଘାଟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସୂଚନା ମତେ ଗତ ୨୦୧୮ ମସିହାରେ ବିରିଘାଟ ଗ୍ରାମକୁ ସଂଯୋଗ କରୁଥିବା ସୁନ୍ଦର ନଦୀରେ ପୋଲ ନିର୍ମାଣ କାମ ଆରମ୍ଭ କରାଗଲା । ହେଲେ ପୋଲ ନିର୍ମାଣ କରୁଥିବା ଠିକାଦାର ଜଣକ ଅତ୍ୟନ୍ତ ନିମ୍ନମାନର କାମ କରୁଥିବା ସହ ମନ୍ଥର ଗତିରେ କାମ କରୁଥିବା କାରଣରୁ ପୋଲ କାମ କେବେ ସରିବ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ ବର୍ଷା ମାସରେ ପୋଲ କାମ ନିମ୍ନ ମାନର ନିର୍ମାଣ ହୋଇଥିବାରୁ ପୋଲର ଗୋଟିଏ ଖମ୍ବ ଦବି ଯାଇଥିଲା । ଯାହାଫଳରେ ପୋଳର ସ୍ଥାୟିତ୍ଵ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବର୍ତମାନ ପର୍ଯ୍ୟନ୍ତ ହାରହାରି ୪ ବର୍ଷ ପୁରିବାକୁ ଯାଉଥିଲେ ମଧ୍ୟ ୩୦ ପ୍ରତିଶତ କାମ ସରିଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ବିରିଘାଟ ଗ୍ରାମରେ ଏକ ପଂଚାୟତ ମୁଖ୍ୟଳୟ ସହ ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ରହିଥିବାରୁ ଏହି ଗ୍ରାମ ଉପରେ ଆଖପାଖ ଗ୍ରାମବାସୀ ନିର୍ଭର କରିଥାନ୍ତି । କିନ୍ତୁ ଗ୍ରାମକୁ ଯିବାକୁ ହେଲେ ନଦୀକୁ ଡେଇକି ଯିବାକୁ ପଢୁଥିବାରୁ ଲୋକେ ଅନେକ ଅସୁବିଧା ଭୋଗ କରି ଯାତାୟତ କରିଥାନ୍ତି । ଏହାସହ ପଂଚାୟତର ଜନସାଧାରଣ ଖଡିଆଳ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇଥିବା ବେଳେ ହାରାହାରୀ ୨୦ କିଲୋମିଟର ବୁଲିକି ଯାତାୟତ କରିଥାନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ନିମ୍ନ ମାନର କାମକୁ ତଦାରଖ କରିବା ସହ ସଂପୃକ୍ତ ଠିକାଦର ଉପରେ ଉଚିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବୀ ଜଣାଇ ଅତିଶିଘ୍ର ପୋଲ ନିର୍ମାଣ କାମ ଶେଷ କରିବାକୁ ଦାବୀ କରିଛନ୍ତି ।