
ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ତେଲରାଇ ପଞ୍ଚାୟତ ଅନ୍ତର୍ଗତ ଏମ୍ଭି – ୧୦୭ ଜଙ୍ଗଲରୁ ପୁଲିସ ଜଣେ ବିବାହିତା ମହିଳାଙ୍କ ଗଳିତ ଶବ ଉଦ୍ଧାର କରିଛି । ମୃତ ମହିଳା ଜଣକ ଏମ୍ଭି – ୧୦୭ ଗ୍ରାମର ଜଗନ୍ନାଥ ବିଶ୍ଵାସଙ୍କ ପତ୍ନୀ ସାରଥୀ ବିଶ୍ଵାସ ଏବଂ ସେ ଏକ ସପ୍ତାହ ହେଲା ନିଖୋଜ ଥିଲେ ବୋଲି ଜଣା ପଡ଼ିଛି । ସୂଚନା ଅନୁଯାୟୀ , ଗତ ଏକ ସପ୍ତାହ ତଳେ ସାରଥୀ ଘରୁ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲେ । ପରିବାର ଲୋକ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନଥିଲେ । ଏମ୍ଭି ୧୦୭ ଓ ଜବା ନପାଲୀ ଗାଁ ମଝିରେ ଥିବା ଜଙ୍ଗଲର ଏକ ଗଛରେ ଜଣେ ମହିଳାଙ୍କ ଶବ ଝୁଲୁଥିବା ସେ ବାଟ ଦେଇ ଯାଉଥିବା ବେଳେ କିଛି ଲୋକ ଦେଖିବାକୁ ପାଇଥିଲେ । ଶବଟି ପଚିସଢ଼ି ଯାଇଥିବା କାରଣରୁ ଦୁର୍ଗନ୍ଧ ହେବା ପରେ ଘଟଣା ସଂପର୍କରେ ଜଣା ପଡ଼ିଥିଲା । ଏ ସଂପର୍କରେ ପରିବାର ଲୋକ ଏମ୍ଭି – ୭୯ ପୁଲିସକୁ ଖବର ଦେଇଥିଲେ! ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ ।ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ପୋଲିସ ତଦନ୍ତ ଜାରିରଖିଛି !