
ସାନଖେମୁଣ୍ଡି: ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଯୋଜନା କ୍ରମରେ ଶିକ୍ଷିତ ଓ ଅର୍ଧଶିକ୍ଷିତ ବେକାର ଯୁବକ ଓ ଯୁବତୀଙ୍କୁ ସ୍ୱାବଲମ୍ବୀ କରାଇବା ଉଦ୍ଦେଶ୍ୟ ନେଇ କାର୍ଯ୍ୟକରୁଥିବା ଦିନ ଦୟାଲ ଉପାଧ୍ୟାୟ ଜାତୀୟ କର୍ମନିଯୁକ୍ତି ଯୋଜନା ଅନ୍ତର୍ଗତ ଏକ ବ୍ଲକ ସ୍ତରୀୟ ନିଯୁକ୍ତି ମେଳା ସାନଖେମୁଣ୍ଡି ବ୍ଲକ ପରିସରରେ ଅନୁଷ୍ଠିତ ହୋଇଅଛି। ପୂର୍ବ ଦିନର ନିଯୁକ୍ତି ମେଳାରେ ହୋଇଥିବା ଅସମନୀୟତା ଓ ପ୍ରଚାର ପ୍ରସାରକୁ ଗୁରୁତ୍ୱ ନେଇ ବ୍ଲକ ପ୍ରଶାସନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସଂଗୀତା ବେହେରା ଉଦଘାଟନ କରିଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଉପାଧ୍ୟକ୍ଷ ଗୋବିନ୍ଦ ସ୍ୱାଇଁ, ସରପଞ୍ଚ ନୀଳମାଧଵ ରାଉତ, ପ୍ରତିନିଧି ସନ୍ତୋଷ କୁମାର ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ ସହିତ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସିସେଟା, ଗ୍ରାମତରଙ୍ଗ, ଏମ.ବି.ଡି(M.B.D), ଆଲକେମି, ସିବାନୀ ସାହି, ଆଇ.ଆର.ଜି ଏଜୁକେସନ ଟ୍ରଷ୍ଟ, ଆଦି ନିଯୁକ୍ତି ସଂସ୍ଥାର ଷ୍ଟଲ ଖୋଲାଯାଇ ଶିକ୍ଷିତ ବେକାର ଯୁବକ ଓ ଯୁବତୀଙ୍କୁ ଆକୃଷ୍ଟ କରାଯାଇ ଥିଲା। ଅନୁଷ୍ଠିତ ଏହି ନିଯୁକ୍ତି ମେଳାରେ ସର୍ବମୋଟ ୩୦୫ ଜଣ ଆଶାୟୀ ନାମ ପଞ୍ଜିକରଣ କରିଥିବା ବେଳେ ୨୩୨ଜଣ ଅଶାୟୀଙ୍କୁ ବିଭିନ୍ନ କର୍ମନିଯୁକ୍ତି ସଂସ୍ଥା ପାଇଁ ମନୋନୀତ କରାଯାଇଥିବା ସୂଚନା ମିଳିଅଛି। ସାନଖେମୁଣ୍ଡି ବ୍ଲକ ସୌଜନ୍ୟରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବିଡ଼ିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ଦାୟିତ୍ୱରେ ମଙ୍ଗଳ ଅଧିକାରୀ ମହୋଦୟ ସଂଯୋଜନ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।